ଏଣିକି ଆର୍ମି କ୍ୟାଣ୍ଟିନରୁ କାର୍ କିଣିବା ହେବ ମହଙ୍ଗା, ୧ ଜୁନରୁ ଏହି ନିୟମରେ ହେବ ପରିବର୍ତ୍ତନ

350

ସାଧାରଣତଃ ଲୋକେ ଶସ୍ତା ଜିନିଷ କିଣିବା ପାଇଁ ସେନାର କ୍ୟାଣ୍ଟିନ୍ କୁ ପ୍ରାଥମିକତା ଦିଅନ୍ତି । ଆର୍ମି କ୍ୟାଣ୍ଟିନରେ ଛୋଟରୁ ବଡ ସାମଗ୍ରୀ ପର୍ଯ୍ୟନ୍ତ ବଜାର ମୂଲ୍ୟରୁ ଶସ୍ତା ଦାମରେ ମିଳେ । ଏହା କାରଣ କି ଲୋକ କିଣାକିଣି କରିବା ପାଇଁ ସେନାରେ ସାମିଲ ଥିବା ସଂପର୍କୀୟଙ୍କ ପାଖକୁ ଯାଆନ୍ତି । ଶସ୍ତା ଜିନିଷ କିଣିବା ଚକ୍କରରେ କେତେକ ଲୋକ କାର ମଧ୍ୟ ଆର୍ମି କ୍ୟାଣ୍ଟିନରୁ କିଣିବା ପସନ୍ଦ କରନ୍ତି । କିନ୍ତୁ ଏବେ ୧ ଜୁନରୁ କ୍ୟାଣ୍ଟିନରୁ କାର କିଣିବା ମହଙ୍ଗା ହୋଇଯିବ ।

ଏବେ ସେନା ଅଧିକାରୀ ଦାମୀ କାର କିଣିବାରେ ବଡ ରିହାତି ଲାଭ କରିପାରିବେ ନାହିଁ । ସେନା ଅଧିକାରୀମାନେ ମହଙ୍ଗା କାର କିଣିବା ମାତ୍ରେ ସେମାନଙ୍କୁ ବଡ ରିହାତି ଦିଆଯାଉଥିଲା । କିନ୍ତୁ ଏହି ରିହାତି ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି । ଏହି ନିଷ୍ପତି ପରେ ସେନାଧିକାରୀ ବା ଅବସରପ୍ରାପ୍ତ ସେନାଧିକାରୀ ୮ ବର୍ଷରେ କେବଳ ଥରେ ହିଁ ରିହାତି ମୂଲ୍ୟରେ କାର କିଣିପାରିବେ ।

ସେନା ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ ମୁତାବକ ଜୁନ ୧ ତାରିଖରୁ ସେନା ଅଧିକାରୀ ଆର୍ମି କ୍ୟାଣ୍ଟିନରୁ ୧୨ ଲକ୍ଷ ଟଙ୍କା ଯାଏଁ ମୂଲ୍ୟର କାର ଯାହାର ଇଂଜିନ କ୍ଷମତା ୨୫୦୦ ସିସି ଯାଏଁ ହୋଇଥିବ ସେହି କାରରେ ହିଁ ରିହାତି ପାଇବେ । ତେବେ ଏହି ମୂଲ୍ୟରେ ଜିଏସଟି ଅଲଗା ଭାବେ ଦେବାକୁ ପଡିବ । ସେହିପରି ଅଧିକାରୀଙ୍କୁ ଛାଡିଦେଲେ ଯବାନମାନଙ୍କ ପାଇଁ ବି କାର କିଣିବା ନିୟମରେ ପରିବର୍ତ୍ତନ କରାଯାଇଛି । ଏଣିକି ଯବାନମାନେ ୧୪୦୦ ସିସିର ଇଂଜିନ କ୍ଷମତା ଥିବା କାର ଯାହାର ମୂଲ୍ୟ ୫ ଲକ୍ଷ ଟଙ୍କା ମଧ୍ୟରେ ହେଉଥିବ ତାହା ହିଁ କିଣିପାରିବେ । ଏଥିରେ ମଧ୍ୟ ଜିଏସଟି ଅନ୍ତର୍ଭୂକ୍ତ ହେବ ନାହିଁ । ଜିଏସଟି କୁ ଅଲଗା ଭାବେ ଦେବାକୁ ପଡିବ ।