ଛିଡୁନି କି ମନ୍ତ୍ରୀମଣ୍ଡଳର ଅଡୁଆ ଅଙ୍କ? ଶପଥ ଗ୍ରହଣର ୨୦ ଘଣ୍ଟା ପରେ ବି ବଣ୍ଟାହେଇନି ବିଭାଗ ।

494

କନକ ବ୍ୟୁରୋ: କେନ୍ଦ୍ରରେ ଗଠନ ହେଇସାରିଛି ଏନଡିଏ ସରକାର । ପ୍ରଧାନମନ୍ତ୍ରୀ ପଦରେ ଶପଥ ନେଇସାରିଛନ୍ତି ନରେନ୍ଦ୍ର ମୋଦୀ । ରବିବାର ମୋଦୀଙ୍କ ସହ ତାଙ୍କ ମନ୍ତ୍ରୀମଣ୍ଡଳ ରାଷ୍ଟ୍ରପତି ଭବନ ପରିସରରେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ହେଲେ ଳିତ ଥର କେନ୍ଦ୍ର ମନ୍ତ୍ରମଣ୍ଡଳ ଶପଥ ଗ୍ରହଣ କରିବାର ୨୦ ଘଣ୍ଟା ପରେ ବି ମନ୍ତ୍ରୀ ମାନଙ୍କ ଭିତରେ ବିଭାଗ ବଣ୍ଟନ ହେଇପାରିନି । କୁହାଯାଇଛି ୨୦ ବର୍ଷ ଭିତରେ ପ୍ରଥମ ଥର ପାଇଁ ଏମିତି ଘଟଣା ଘଟିଛି ।

ତେବେ ଗତକାଲି ଶପଥ ଗ୍ରହଣ କରିବା ପରେ ଆଜି ସକାଳୁ ମୋଦୀ ନିଜର କାର୍ଯ୍ୟଭାର ସମ୍ଭାଳିଛନ୍ତି । ଆଉ ସନ୍ଧ୍ୟାରେ ମୋଦୀ କ୍ୟାବିନେଟର ବୈଠକ ବସିବାକୁ ଅଛି । କୁହାଯାଇଛି ଏହି ବୈଠକ ପରେ ବିଭାଗ ବଣ୍ଟନ ନେଇ ଚିତ୍ର ସ୍ପଷ୍ଟ ହେଇପାରେ । ଆଉ ମନ୍ତ୍ରୀଙ୍କ ଭିତରେ ବିଭାଗ ବଣ୍ଟନ ହେଇପାରେ ।ସୂଚନା ଅନୁସାରେ, ପୂର୍ବଭଳି ଗୃହ ବିଭାଗ ଅମିତ ଶାହାଙ୍କ ପାଖରେ ରହିପାରେ, ତା ସହିତ ପ୍ରତିରକ୍ଷା ବିଭାଗରେ ରାଜନାଥ ସିଂହ, ବୈଦେଶିକ ମନ୍ତ୍ରାଳୟରେ ଏସ୍ ଜୟଶଙ୍କରଙ୍କୁ ଦାୟିତ୍ୱ ପୁଣିଥରେ ଦେଇପାରନ୍ତି ମୋଦୀ । ତାବ୍ୟତୀତ ଅର୍ଥ ମନ୍ତ୍ରାଳୟ ଏଥର ନିର୍ମଳା ସୀତାରମଣ ନଚେତ୍ ପିୟୁଷ ଗୋଏଲଙ୍କୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୩ ଓଡିଶା ସାଂସଦଙ୍କୁ କେଉଁ ବିଭାଗ ମିଳୁଛି ତାକୁ ନେଇ ଆଲୋଚନା ବଢିଛି ।

୨୦୧୪ରେ ପ୍ରଥମ ଥର ସରକାରକୁ ଆସିବା ପରେ ୪୬ ମନ୍ତ୍ରୀଙ୍କୁ ନେଇ ଗଢା ହେଇଥିଲା କେନ୍ଦ୍ରରେ ମୋଦୀ ସରକାର । ସେତେବେଳେ ବିଜେପିକୁ ପୂର୍ଣ୍ଣ ବହୁମତ ମିଳିଥିବାରୁ ମନ୍ତ୍ରୀମଣ୍ଡଳର ସଂଖ୍ୟା ବେସ୍ କମ୍ ରହିଥିଲା । ଏହାପରେ ୨୦୧୯ରେ ମଧ୍ୟ ମାତ୍ର ୫୮ ମନ୍ତ୍ରୀଙ୍କୁ ନେଇ କେନ୍ଦ୍ରରେ ସରକାର ଗଢିଥିଲା ବିଜେପି । ହେଲେ ଏଥର କିନ୍ତୁ ଏହି ସଂଖ୍ୟା ୭୦ ଟପି ୭୨ ଛୁଇଁଛି । କୁହାଯାଉଛି ଏଥର ବିଜେପିକୁ ଏକାକି ସଂଖ୍ୟା ଗରିଷ୍ଠତା ମିଳିନଥିବାରୁ, ସହଯୋଗୀଙ୍କୁ ଖୁସି କରିବାକୁ ଯାଇ ମନ୍ତ୍ରୀଙ୍କ ସଂଖ୍ୟା ବଢାଯାଇଛି । ଯାହାକି ବିଭାଗ ବଣ୍ଟନରେ ଅଡୁଆ ସୃଷ୍ଟି କରିଛି ।