ବିଜେପି ସରକାରଙ୍କ ୪ ବର୍ଷରେ କ’ଣ ହୋଇଛି ଶସ୍ତା କ’ଣ ହୋଇଛି ମହଙ୍ଗା ! ଜାଣନ୍ତୁ ପୁରା ଖବର ।

50

ମୋଦି ସରକାରଙ୍କ ୪ ବର୍ଷର ସଫଳତାର ପ୍ରଚାର ପ୍ରସାର କରିବା ପାଇଁ ବିଜେପି କର୍ମୀମାନେ ପୁରା ଦମ୍ ଲଗାଇ ଦେଇଛନ୍ତି । କିନ୍ତୁ ପ୍ରକୃତରେ ବିଜେପି ଶାସନକାଳର ଏହି ୪ ବର୍ଷରେ ଦରଦାମ ବୃଦ୍ଧି କୁ ନେଇ ବିରୋଧୀମାନେ ବିଜେିପକୁ ଘେରୁଥିବା ବେଳେ ଜନସାଧାରଣଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ହେଲେ ପ୍ରକୃତରେ କାହାର ମୁଲ୍ୟ କେତେ ବଢ଼ିଛି ଏବଂ କାହାର ହ୍ରାସ ହୋଇଛି ଦେଖନ୍ତୁ ଏହି ରିପୋର୍ଟରେ ।

୨୦୧୪ ମେ ୨୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁମତ ସାବ୍ୟସ୍ତ କରି ସରକାର ଗଢ଼ି କ୍ଷମତାକୁ ଆସିଥିଲେ । ୨୦୧୪ ପରଠାରୁ ଦୈନିକ ଆବଶ୍ୟକୀୟ ସାମଗ୍ରୀ ମଧ୍ୟରୁ ଅଟା, ଚାଉଳର ଦରଦାମ ସ୍ୱଳ୍ପ ମାତ୍ରାରେ ବୃଦ୍ଧି ପାଇଛି । କିନ୍ତୁ ବ୍ରାଣ୍ଡେଡ୍ ତେଳ, ସାବୁନ ଭଳି କସମେଟିକ ଜିନିଷ ଉପରେ ୩୩ ପ୍ରତିଶତ ମୁଲ୍ୟ ବୃଦ୍ଧି ହୋଇଛି । ଗତ କିଛି ମାସ ହେବ ସବୁଠାରୁ ଅଧିକ ମୁଲ୍ୟ ପେଟ୍ରୋଲ, ଡିଜେଲରେ ଅହେତୁକ ବୃଦ୍ଧି ପାଉଛି । ବାଣିଜ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ ୨୦୧୪ ମୁଦ୍ରାସ୍ପୀତି ୬.୧ ପ୍ରତିଶତ ଏବଂ ଦରଦାମ ବୃଦ୍ଧି ୮.୨୮ ପ୍ରତିଶତ ଥିଲା । କିନ୍ତୁ ୨୦୧୮ ଏପ୍ରିଲ ମାସ ଶେଷ ସୁଦ୍ଧା ମୁଦ୍ରାସ୍ପୀତି ୩.୧୮ ପ୍ରତିଶତ ଥିବାବେଳେ ଦରଦାମ ବୃଦ୍ଧି ୪.୫୮ ପ୍ରତିଶତରେ ପହଁଚିଛି । ଗତ ବର୍ଷ ଜୁଲାଇ ମାସରୁ ମୋଦି ସରକାର ଜିଏସଟି ବା ସେବାକର ଲଗାଇଥିଲେ । ଯାହାଦ୍ୱାରା ଖୋଲା ବିକ୍ରୀ ହେଉଥିବା ଅଟା , ଚାଉଳକୁ ବାଦ ଦେଇ ବ୍ରାଣ୍ଡେଡ୍ ସାମଗ୍ରୀ ଉପରେ ୧୨ ପ୍ରତିଶତ ଜିଏସଟି ଲଗାଇଲେ ।

ସେହିପରି ନ୍ୟାସନାଲ କାଉଂସିଲ ଅଫ ଆପ୍ଲାଏଡ ଇକୋନୋମିକ ରିସର୍ଚ୍ଚ (ଏନସିଏଆଇଆର) ରିପୋର୍ଟ ଅନୁଯାୟୀ ୨୦୧୪ ବର୍ଷ ଅପେକ୍ଷା ୨୦୧୭-୧୮ରେ ପନିପରିବା ଉପରେ ଦରଦାମ ଅଧିକ ବୃଦ୍ଧି ପାଇଛି । ରିଫାଇନ ତେଲ ଲିଟର ପିଛା ୧୨୦ଟଙ୍କାରୁ ୮.୩୩ ପ୍ରତିଶତ ବୃଦ୍ଧି ପାଇ ୧୩୦ଟଙ୍କା ପ୍ରତି ଲିଟର ପହଁଚିଲାଣି । ଅନ୍ୟପଟେ ସୋରିଷ ତେଲରେ ମଧ୍ୟ ୧୦ ପ୍ରତିଶତ ଦର ବୃଦ୍ଧି ପାଇ ୧୦୫ ଟଙ୍କା ପ୍ରତି ଲିଟର ଛୁଇଁଲାଣି । ବ୍ରାଣ୍ଡେଡ ଲୁଣ, ସାବୁନ ଭଳି ଅନେକ ସାମଗ୍ରୀରେ ଦରଦାମ ବୃଦ୍ଧି ହୋଇଛି । ଦେଶୀ ଘିଅ କିଲୋ ପିଛା ୩୩୦ରୁ ବୃଦ୍ଧି ହୋଇ ୪୬୦ ଟଙ୍କା ହୋଇଛି । ତେବେ ଏପରି ଦରଦାମ ଅସ୍ଥିରତା ବିଶେଷ ଭାବେ ଜନସାଧାରଣ ଏବଂ ଖାଉଟିକୁ ପ୍ରଭାବିତ କରିଛି ।

ଅନ୍ୟପଟେ ହ୍ରାସ ପାଇଥିବା ସାମଗ୍ରୀ ମଧ୍ୟରୁ ଡାଲି, ମସଲାର ମୂଲ୍ୟ କ୍ରମଶଃ ହ୍ରାସ ପାଇଥିବା ନ୍ୟାସନାଲ କାଉଂସିଲ ଅଫ ଆପ୍ଲାଏଡ ଇକୋନୋମିକ ରିସର୍ଚ୍ଚ (ଏନସିଏଆଇଆର) ରିପୋର୍ଟରୁ ଜଣା ପଡିଛି । ଏହାସହ ଅଟା, ଚାଉଳ ଦରଦାମରେ ମଧ୍ୟ ବିଶେଷ ବୃଦ୍ଧି ହୋଇ ନାହିଁ । ଗତ ଚାରିବର୍ଷ ହେବ ଚିନି କିଲୋ ପିଛା ଥିଲା ୩୫ରୁ ୪୦ଟଙ୍କା ଯାହା ବର୍ତ୍ତମାନ କିଲୋପିଛା ୯ ଟଙ୍କାକୁ ହ୍ରାସ ପାଇ ୩୧ଟଙ୍କାରେ ପହଁଚିଛି । ଅନ୍ୟପଟେ ହଳଦୀ ପାଉଡର, ଧନିଆ ପାଉଡର ଲଙ୍କା ପାଉଡର ମୂଲ୍ୟ ମଧ୍ୟ ସ୍ଥିର ରହିଛି ।