କନକ ବ୍ୟୁରୋ : କେନ୍ଦ୍ର ସରକାର ହଠାତ ସଂସଦରେ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ସେପ୍ଟେମ୍ବର ୧୮ ତାରିଖରୁ ୨୨ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ । କୁହାଯାଉଛି କି ଏହି ଅଧିବେଶନରେ ୫ଟି ବୈଠକ ବସିବ । ସୂତ୍ର ସୂଚନା ମୁତାବକ ସଂସଦର ଏହି ସ୍ୱତନ୍ତ୍ର ଅଧିବେଶନରେ ମୋଦୀ ସରକାର ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ବିଧେୟକ ଆଣିପାରନ୍ତି ।

Advertisment

ଦେଶରେ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’କୁ ନେଇ ଅନେକ ଦିନ ହେବ ଚର୍ଚ୍ଚା ଲାଗି ରହିଛି । ଚଳିତ ବର୍ଷ ଜାନୁଆରୀ ମାସରେ ଆଇନ କମିଶନ ଏହାକୁ ନେଇ ରାଜନୈତିକଦଳମାନଙ୍କୁ ୬ଟି ପ୍ରଶ୍ନର ଜବାବ ମାଗିଥିଲେ । ସରକାର ଏହାକୁ ଲାଗୁ କରିବାକୁ ଚାହୁଁଥିବା ବେଳେ କିଛି ରାଜନୈତିକ ଦଳମାନେ ଏହାକୁ ବିରୋଧ କରୁଛନ୍ତି ।

ସେପଟେ ୨୨ତମ ଆଇନ କମିଶନ ଏନେଇ ଏକ ସାର୍ବଜନୀକ ନୋଟିସ ଜାରି କରି ରାଜନୈତିକ ଦଳ,ନିର୍ବାଚନ ଆୟୋଗ ଓ ନିର୍ବାଚନ ପ୍ରକ୍ରିୟା ସହିତ ଜଡିତ ସମସ୍ତ ସଂଗଠନକୁ ମତ ମାଗିଥିଲେ । ଆଇନ କମିଶନ ପଚାରିଥିଲେ କି ଏକାସହିତ ନିର୍ବାଚନ କରିବା ଦ୍ୱାରା ଲୋକତନ୍ତ୍ର, ସମ୍ବିଧାନର ମୂଳ ଢାଞ୍ଚା ବା ଦେଶର ସଂଘୀୟ ବ୍ୟବସ୍ଥା ଉପରେ କିଛି କୁପ୍ରଭାବ ପକାଇବ କି ?