ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି । ନିଜ ଅଞ୍ଚଳର ବିକାଶ ପାଇଁ ପୁଣି ସାଂସଦ ମାନଙ୍କୁ ଦିଆଯିବ ହାତପାଣ୍ଠି, ଜାଣନ୍ତୁ ମିଳିବ କେତେ ?

138

କନକ ବ୍ୟୁରୋ : କେନ୍ଦ୍ର ସରକାର ପୁଣିଥରେ ସାଂସଦ ହାତପାଣ୍ଠି ଯୋଜନା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ବୁଧବାରଦିନ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଏହି ନିଷ୍ପତ୍ତି ବାବଦରେ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଏବେ ଅର୍ଥ ବ୍ୟବସ୍ଥାର ସୁଧାର ଆସିଥିବାରୁ ସାଂସଦ ହାତପାଣ୍ଠି ଯୋଜନାକୁ ସରକାର ପୁଣିଥରେ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଆଜିର କ୍ୟାବିନେଟ୍ ବୈଠକରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଅନୁରାଗ ଠାକୁର କହିଛନ୍ତି କି ଆଜି କ୍ୟାବିନେଟ ଓ ସିସିଇଏର ବୈଠକ ହୋଇଥିଲା । ସେ ଆହୁରି କହିଛନ୍ତି କି କୋଭିଡ -୧୯ ବିରୋଧୀ ଯୁଦ୍ଧରେ ଖର୍ଚ୍ଚ ବୃଦ୍ଧି ପାଇଥିବାରୁ ସାଂସଦ ହାତପାଣ୍ଠିକୁ ବନ୍ଦ କରାଯାଇଥିଲା ଏବେ ଦେଶରେ ଅର୍ଥ ବ୍ୟବସ୍ଥାର ସୁଧାର ଆସିଥିବାରୁ ଏହି ଯୋଜନାକୁ ପୁଣିଥରେ ଚାଲୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଚଳିତ ବର୍ଷ ପ୍ରତ୍ୟେକ ସାଂସଦଙ୍କୁ ହାତପାଣ୍ଠି ଖର୍ଚ୍ଚ ବାବଦରେ ୨ କୋଟି ଲେଖାଏଁ ଟଙ୍କା ଦିଆଯିବ ଓ ଆସନ୍ତା ବର୍ଷ ଠାରୁ ପୂର୍ବଭଳି ପ୍ରତିବର୍ଷ ୫ କୋଟି ଟଙ୍କା ଲେଖାଏଁ ପ୍ରତି ସାଂସଦଙ୍କୁ ମିଳିବ ।

କେବଳ ସେତକି ନୁହେଁ ଆଜିର ବୈଠକରେ ସରକାର ନଭେମ୍ବର ୧୫ ତାରିଖକୁ ଜନଜାତୀୟ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଦିନ ସହିଦ ବିର୍ଷା ମୁଣ୍ଡାଙ୍କ ଜୟନ୍ତୀ ହୋଇଥିବାରୁ ଏହାକୁ ନଜରରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।