ଦଳିତଙ୍କ ପାଇଁ ଅଧ୍ୟାଦେଶ ଆଣିପାରନ୍ତି ମୋଦି ସରକାର ! ଏସସି-ଏସଟି ଆଟ୍ରୋସିଟିଜ ଆକ୍ଟ-୧୯୮୯କୁ ବଳବତର ରଖିବା ପାଇଁ ଯୋଜନା, ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

48

କନକ ବ୍ୟୁରୋ : ଏସସି-ଏସଟି ଆଇନରେ ସଂଶୋଧନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦେଖାଦେଇଥିବା ଦଳିତ ଓ ଅଣଦଳିତ ଆନ୍ଦୋଳନକୁ ଶାନ୍ତ କରିବା ଲାଗି ଯୋଜନା କରୁଛି କେନ୍ଦ୍ର । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ, ଏସସି-ଏସଟି ଆଟ୍ରୋସିଟିଜ ଆକ୍ଟ-୧୯୮୯କୁ ବଳବତର ରଖିବା ଲାଗି ଅର୍ଡିନାନ୍ସ ଆଣିପାରନ୍ତି ମୋଦି ସରକାର । ଅର୍ଥାତ ମୂଳ ଆଇନରେ କୌଣସି ପରିବର୍ତନ ହେବନାହିଁ ।

ଆଗାମୀ ମୌସୁମୀ ଅଧିବେଶନରେ ଏସଂପର୍କିତ ଅଧ୍ୟାଦେଶ ଆଣିବାକୁ ଚାଲିଛି ବିଚାରବିମର୍ଶ । ଦଳିତ ହିଂସା ବିରୋଧୀ ଆଇନର ଅପବ୍ୟବହାର କରାଯାଉଥିବା ଅନୁଭବ କରି ଏଥିରେ ସଂଶୋଧନ ପାଇଁ ମାର୍ଚ୍ଚ ୨୦ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଯାହାକୁ ଦଳିତ ବିରୋଧୀ କହି ପ୍ରଥମେ ଏପ୍ରିଲ ୨ ତାରିଖରେ ଭାରତ ବନ୍ଦ ପାଳନ କରିଥିଲେ କେତେକ ଦଳିତ ସଂଗଠନ । ଏପରିକି କେନ୍ଦ୍ରରେ ମୋଦି ସରକାରଙ୍କୁ ଦଳିତ ବିରୋଧୀ କହି ବନ୍ଦକୁ ସମର୍ଥନ ଜଣାଇଥିଲେ ବିରୋଧୀ ରାଜନୈତିକ ଦଳ ।

ଏହାପରେ ପୁଣି ରାୟ ସପକ୍ଷରେ ଏପ୍ରିଲ ୧୦ ତାରିଖରେ ଭାରତ ବନ୍ଦ ଡାକରା ଦେଲେ ଅଣଦଳିତ ସଂଗଠନ ବା ଉଚ୍ଚ ବର୍ଗର ଲୋକେ । ତେବେ ସୁପ୍ରିମକୋର୍ଟରେ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରାଳୟ ଦାୟର କରିଥିବା ରିଭ୍ୟୁ ପିଟିସନର ଶୁଣାଣି ପରେ ହିଁ ଏଦିଗରେ କିଛି ଠୋସ ପଦକ୍ଷେପ ନେଇପାରନ୍ତି ମୋଦି ସରକାର ।