ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର । ବଦଳିବାକୁ ଯାଉଛି ବାଇକରେ ବସିବାର ତରିକା । ସରକାର ଆଣିଲେ ନୂଆ ନିୟମ, ଜାଣନ୍ତୁ କ’ଣ ହେଲା ପରିବର୍ତ୍ତନ ।

13,634

କନକ ବ୍ୟୁରୋ : ସଡକ ଦୁର୍ଘଟଣାକୁ କମ୍ କରିବା ପାଇଁ ଏବଂ ଗାଡିଚାଳକଙ୍କ ସୁରକ୍ଷାକୁ ନଜରରେ ରଖି କେତେକ ନୂଆ ନିୟମ ଆଣିବାକୁ ଯାଉଛନ୍ତି ସରକାର । ଏପରିକି ବାଇକ ଚାଳକଙ୍କ ପାଇଁ କେନ୍ଦ୍ର ସଡକ ପରିବହନ ବିଭାଗ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି ।

ଏଣିକି ବଦଳିବାକୁ ଯାଉଛି ବାଇକରେ ବସିବାର ତରିକା । ପରିବହନ ମନ୍ତ୍ରାଳୟର ଗାଇଡଲାଇନ୍ ଅନୁଯାୟୀ, ବାଇକର ଦୁଇ ପାଶ୍ୱର୍ରେ ଉଭୟ ଚାଳକ ଏବଂ ପଛରେ ବସୁଥିବା ଲୋକଙ୍କ ପାଖରେ ଏକ ହ୍ୟାଣ୍ଡେଲ ରହିବ । ଏଭଳି ନିୟମର ଉଦ୍ଦେଶ୍ୟ ହେଉଛି, ପଛରେ ବସୁଥିବା ଚାଳକଙ୍କ ସୁରକ୍ଷା । ଏପର୍ଯ୍ୟନ୍ତ କୌଣସି ବାଇକରେ ଏଭଳି ସୁବିଧା ନାହିଁ ।

ବାଇକର ପଛରେ ବସୁଥିବା ଲୋକଙ୍କ ପାଇଁ ଦୁଇ ପାଶ୍ୱର୍ରେ ଫୁଟଷ୍ଟାଣ୍ଡ ରହିବା ବାଧ୍ୟତାମୂଳକ କରାଯାଇଛି । ଆଉ ସବୁଠାରୁ ବଡ କଥା ହେଉଛି, ବାଇକର ପଛ ଚକର ବାମ ପଟର ଅଧା ଅଂଶ ସୁରକ୍ଷିତ ଭାବେ କଭର କରାଯିବ । ଯେପରିକି ପଛରେ ବସୁଥିବା ଲୋକଙ୍କ ଡ୍ରେସ କିମ୍ବା ମହିଳାଙ୍କ ଶାଢି ଚକରେ ଲାଗିବ ନାହିଁ ।

ଏହା ସହ ବାଇକରେ ହାଲୁକା କଂଟେନର ଲଗାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଜାରି କରିଛି ମନ୍ତ୍ରାଳୟ । ଏହି କଂଟେନରର ଲମ୍ବ ୫୫୦ ମିମି, ଚଉଡା ୫୧୦ ମିମି ଏବଂ ଉଚ୍ଚତା ୫୦୦ ମିମିରୁ ଅଧିକ ହେବ ନାହିଁ ।

ତେବେ ନିକଟରେ ଗାଡିର ଟାୟାରକୁ ନେଇ ମଧ୍ୟ କିଛିଟା ଗାଇଡଲାଇନ୍ ଜାରି କରିଥିଲେ ସରକାର । ଏହି ଗାଇଡଲାଇନ୍ ଅନୁଯାୟୀ, ୩.୫ ଟନ୍ ପର୍ଯ୍ୟନ୍ତ ଓଜନ ଥିବା ଗାଡିର ଟାୟାର ପ୍ରେସର ମନିଟରିଂ ସିଷ୍ଟମ ପାଇଁ କୁହାଯାଇଥିଲା । ଏହି ସିଷ୍ଟମରେ ଗାଡିର ଟାୟାରରେ ପ୍ରେସରର ସ୍ଥିତି କଣ ରହିଛି, ସେନେଇ ସେନ୍ସର ଜରିଆରେ ଗାଡିଚାଳକଙ୍କୁ ସୂଚନା ମିଳିଥାଏ । ଆଉ ଏବେ ଗାଡିରେ ବସିବା ତରିକାରେ ପରିବର୍ତନ କରିବାକୁ ଯାଉଛନ୍ତି ସରକାର ।