୨୦୦ ଫାଇନ୍ ଦେଉଥିଲେ, ଏବେ ୧୦୦୦ ଦେବେ । ଧୁମ୍ରପାନକାରୀଙ୍କ ବିରୋଧରେ କଡା ଆଭିମୁଖ୍ୟ ।

413

କନକ ବ୍ୟୁରୋ : ଧୁମ୍ରପାନ ସ୍ୱାସ୍ଥ୍ୟପକ୍ଷେ ଅତ୍ୟନ୍ତ ହାନିକାରକ ଅଟେ । ଏହା ଜାଣିବା ସତ୍ୱେ ମଧ୍ୟ ଧୁମ୍ରପାନ ନିଶାରେ କବଳିତ ହେଉଛନ୍ତି ଯୁବ ସମାଜ । ସବୁଠାରୁ ବଡ କଥା ହେଉଛି, ଅନେକ ଲୋକ ସର୍ବସାଧାରଣରେ ମଧ୍ୟ ଧୁମ୍ରପାନ କରିଥାନ୍ତି । ଯାହାକି ଆଇନ୍ ଅନୁଯାୟୀ ଏକ ଅପରାଧ । ଆଉ ଏଥିପାଇଁ ପୂର୍ବରୁ ଦଣ୍ଡବିଧାନ ବି ରଖାଯାଇଛି । କିନ୍ତୁ ନିୟମ ବାଟବଣା ହୋଇଥିବାବେଳେ ଅନେକ ଲୋକ ବେଫିକର ସର୍ବସାଧାରଣରେ ଧୁମ୍ରପାନ କରୁଛନ୍ତି ।

କିନ୍ତୁ ଏଣିକି ଏଦିଗରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ସର୍ବସାଧାରଣ ସ୍ଥାନରେ ଧୁମ୍ରପାନ କରିବା ଏଣିକି ପଡିବ ମହଙ୍ଗା । ଧରାପଡିଲେ ଦେବାକୁ ହେବ ଜୋରିମାନା । ଜାତୀୟ ଗଣମାଧ୍ୟମରୁ ହସ୍ତଗତ ହୋଇଥିବା ରିପୋର୍ଟ ଅନୁଯାୟୀ, ସର୍ବସାଧାରଣରେ ଧୁମ୍ରପାନ ନିଷେଧ କରିବା ପାଇଁ କୋଟପା ଆକ୍ଟରେ ପରିବର୍ତ୍ତନ କରିବାର ପ୍ରସ୍ତୁତି କରୁଛନ୍ତି ସରକାର । ପୂର୍ବରୁ ସର୍ବସାଧାରଣରେ ଧୁମ୍ରପାନ କରି ଧରାପଡିଲେ କୋଟପା ଆକ୍ଟ ଅନୁଯାୟୀ, ୨୦୦ ଟଙ୍କା ଜୋରିମାନା ଦେବାର ନିୟମ ରହିଥିଲା । ଆଉ ଏହି ଆକ୍ଟରେ ପରିବର୍ତ୍ତନ ହେଲେ, ଜୋରିମାନାର ରାଶି ୧୦୦୦ ଟଙ୍କାରୁ ଅଧିକ ହୋଇପାରେ ।

ସର୍ବସାଧାରଣ ସ୍ଥାନରେ ଧୁମ୍ରପାନ କରିବା ଏଣିକି ପଡିବ ଅଧିକ ମହଙ୍ଗା । କେବଳ ଏତିକି ନୁହେଁ, ନାବାଳକ କିମ୍ବା ନାବାଳିକାଙ୍କୁ ତମାଖୁ ଉତ୍ପାଦନ ବିକ୍ରି କଲେ ମଧ୍ୟ ଉକ୍ତ ବ୍ୟବସାୟୀଙ୍କୁ ମୋଟା ଅଙ୍କର ଜୋରିମାନା ଦେବାକୁ ହେବ । ଏହା ସହ ଶିକ୍ଷାନୁଷ୍ଠାନ ଆଖପାଖରେ ତମାଖୁ ଜାତୀୟ ସାମଗ୍ରୀ ବିକ୍ରି କଲେ ମଧ୍ୟ ଜୋରିମାନା ଦେବାକୁ ହେବ । ଏହା ସହ ସ୍କୁଲ କିମ୍ବା କଲେଜ୍ ପରିସରର ୧୦୦ ମିଟର ଦୂରତା ଭିତରେ ମଧ୍ୟ ତମାଖୁ ସାମଗ୍ରୀ ବିକ୍ରି କରାଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଗତ କିଛି ବର୍ଷ ମଧ୍ୟରେ ସର୍ବସାଧାରଣରେ ଧୁମ୍ରପାନ କରିବା କାରଣରୁ ୫ କୋଟି ଟଙ୍କା ଜୋରିମାନା ଆଦାୟ କରିଛନ୍ତି ସରକାର । ଆଉ କୋଟପା ଆକ୍ଟ ଅନୁଯାୟୀ, ଜୋରିମାନା ଆଦାୟ କରିବାରେ ତାମିଲନାଡୁ ସବୁଠୁ ଆଗରେ ରହିଛି । ଆଉ ଏହି କ୍ରମରେ ଜୋରିମାନା ଆଦାୟ କରିବାରେ ଗୁଜୁରାଟ ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ଅନ୍ୟ ସବୁ ରାଜ୍ୟ ଗୁଡିକରେ ମଧ୍ୟ ଏଦିଗରେ ସଚେତନ ହେବା ପାଇଁ ସରକାର ଖୁବଶୀଘ୍ର କୋଟପା ଆଇନରେ ପରିବର୍ତ୍ତନ କରିପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।