୪ ବର୍ଷ ପୂର୍ବେ ସଂସଦରେ ହୋଇଥିଲା ପାରିତ । ଆଜିଠାରୁ ଦେଶରେ ଲାଗୁହେଲା ନାଗରିକତା ସଂଶୋଧନ ଆଇନ

318

କନକ ବ୍ୟୁରୋ : ବହୁ ବାଦ ବିବାଦ ପରେ ଆଜି କେନ୍ଦ୍ର ଗୃହମନ୍ତ୍ରଣାଳୟ ତରଫରୁ ଦେଶରେ ନାଗରିକତା ସଂଶୋଧନ ବିଧେୟକ ଲାଗୁ ହୋଇଛି । ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କର ଏହା ଏକ ବଡ ପଦକ୍ଷେପ ବୋଲି କୁହାଯାଇଛି । ଏବେ ଏହି ଆଇନ ମାଧ୍ୟମରେ ଭାରତର ୩ ପଡୋସୀ ଦେଶର ଅଳ୍ପ ସଂଖ୍ୟକମାନଙ୍କୁ ଭାରତର ନାଗରିକତା ମିଳିପାରିବ । ଏନେଇ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଅନଲାଇନ ପୋର୍ଟାଲରେ ଆବେଦନ କରିପାରିବେ ।

ସୂଚନା ଥାଉ କି, ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଜାରି କରିଥିବା ଘୋଷଣାପତ୍ରରେ ସିଏଏକୁ ସାମିଲ କରିଥିଲା । ଏହାକୁ ବିଜେପି ଏକ ବଡ ନିର୍ବାଚନୀ ପ୍ରସଙ୍ଗ ବନାଇଥିଲା । ଗୃହମନ୍ତ୍ରୀ ଅମିତ ଶାହା କିଛିଦିନ ତଳେ ଏକ ନିର୍ବାଚନୀ ରାଲିରେ କହିଥିଲେ କି ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ନାଗରିକତା ସଂଶୋଧନ ଆଇନ ଲାଗୁ ହେବାକୁ ଯାଉଛି । ଏବେ କେନ୍ଦ୍ର ସରକାର ଏନେଇ ଏକ ବିଜ୍ଞପ୍ତି ଜାରି କରି ସିଏଏ ଆଇନ ଲାଗୁ କରିଛନ୍ତି ।

ଏହି ଆଇନ ବଳରେ ମୁସଲିମ ସମୁଦାୟ ବ୍ୟତୀତ ତିନୋଟି ପଡୋସୀ ରାଷ୍ଟ୍ରରୁ ଆସିଥିବା ଅନ୍ୟ ଧର୍ମର ଲୋକଙ୍କୁ ଭାରତରେ ନାଗରିକତା ମିଳିପାରିବ । ଏନେଇ କେନ୍ଦ୍ର ସରକାର ଏକ ୱେବ୍ ପୋର୍ଟାଲ ମଧ୍ୟ ପ୍ରସ୍ତୁତ କରିଛନ୍ତି । ତିନୋଟି ମୁସଲିମ୍ ବହୁଳ ପଡୋସୀ ଦେଶର ଆସି ଭାରତରେ ରହୁଥିବା ଅଳ୍ପ ସଂଖ୍ୟକମାନଙ୍କୁ ନାଗରିକତା ପାଇବାକୁ ହେଲେ ଏହି ପୋର୍ଟାଲରେ ପଞ୍ଜିକରଣ କରିବାକୁ ପଡିବ । ସରକାରୀ ଯାଂଚ ପରେ ଏହି ଆବେଦନକାରୀଙ୍କୁ ଭାରତର ନାଗରିକତା ପ୍ରଦାନ କରାଯିବ । ଏଥିପାଇଁ ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରୁ ଆସିଥିବା ବିସ୍ଥାପିତମାନଙ୍କୁ କୌଣସି କାଗଜ ଦେଖାଇବାକୁ ପଡିବ ନାହିଁ ।