କର୍ଣ୍ଣାଟକ ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ : ନମୋ ଆପ ଜରିଆରେ ଦଳିତ ଓ ପଛୁଆବର୍ଗ କର୍ମୀଙ୍କ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

31

କନକ ବ୍ୟୁରୋ : ଆଜି ସରୁଛି କର୍ଣ୍ଣାଟକ ନିର୍ବାଚନ ପାଇଁ ପ୍ରଚାର । ଆଜି ସନ୍ଧ୍ୟା ସୁଦ୍ଧା ପ୍ରଚାର ଶେଷ ହେବ । ତେଣୁ ଶେଷ ଦିନରେ ଭୋଟରଙ୍କ ପାଖରେ ପହଂଚିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବେ ତିନୋଟି ପ୍ରମୁଖ ଦଳ କଂଗ୍ରେସ, ବିଜେପି ଓ ଜେଡିଏସ । ତେବେ ଏହି ୩ଟି ଯାକ ଦଳ ବିକାଶ ଓ ଭ୍ରଷ୍ଟାଚାର ନିର୍ବାଚନ ଫଳାଫଳ ନିର୍ଣ୍ଣୟ କରିବ ବୋଲି କହୁଥିଲାବେଳେ ବାସ୍ତବ ପ୍ରସଙ୍ଗ କିନ୍ତୁ ଭିନ୍ନ । କାରଣ ବର୍ତ୍ତମାନ ରାଜ୍ୟରେ ଜାତି ସମୀକରଣର ହାୱା ଦେଖିବାକୁ ମିଳିଛି । ଏହା ହିଁ ହାର ଜିତର ଭାଗ୍ୟ ନିର୍ଣ୍ଣୟ କରିବ ବୋଲି କୁହାଯାଉଛି । ଆସନ୍ତା ୧୨ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ହେଉଥିବା ବେଳେ ୧୫ ତାରିଖରେ ଭୋଟ ଗଣତି ହେବ । ଆଉ ଶେଷ ପର୍ଯ୍ୟାୟରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଆଜି ଶେଷ ଉଦ୍ୟମ କରିବେ ବିଭିନ୍ନ ଦଳ ।

ଆଜି କର୍ଣ୍ଣାଟକ ନିର୍ବାଚନ ପ୍ରଚାର ଶେଷ ଦିନ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ନମୋ ଆପ୍ ଜରିଆରେ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଶେଷ କରି ରାଜ୍ୟର ଏସସି, ଏସଟି, ପଛୁଆ ବର୍ଗ ଓ ସ୍ଲମ କର୍ମୀ ଭାଗ ନେଇଛନ୍ତି । ଦେଶରେ ଦଳିତ ଓ ପଛୁଆ ବର୍ଗରୁ ସବୁଠାରୁ ଅଧିକ ବ୍ୟକ୍ତି ବିଜେପି ସହ ଯୋଡା ଏବଂ ସେମାନଙ୍କ ପ୍ରତିନିଧିତ୍ୱ ମଧ୍ୟ ବିଜେପିରେ ସବୁଠୁ ବେଶୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କର୍ମୀମାନେ ଘର ଘର ବୁଲି ସରକାରଙ୍କ ଯୋଜନା ବିଷୟରେ ବୁଝାଇବାକୁ ସେ ପରାମର୍ଶ ଦେଇଛନ୍ତି । ବିଜେପି କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀର ଦଳ ନୁହେଁ ବୋଲି ମୋଦି କହିଛନ୍ତି । ତାଙ୍କ ସରକାରଙ୍କ ଲକ୍ଷ୍ୟ ହେଉଛି ସବୁଠାରୁ ପଛରେ ରହିଥିବା ବ୍ୟକ୍ତିର ବିକାଶ ବୋଲି ପ୍ରଧାନମନ୍ତ୍ରୀ ନିଜ ଉଦବୋଧନରେ କହିଛନ୍ତି । ପ୍ରଧାନମନ୍ତ୍ରୀ ମେ ୧ ତାରିଖରୁ କର୍ଣ୍ଣାଟକ ନିର୍ବାଚନରେ ପ୍ରଚାର ଆରମ୍ଭ କରିଥିଲେ । ଏହା ପରେ ସେ କ୍ରମାଗତ ଭାବେ ସେ କର୍ଣ୍ଣାଟକ ନିର୍ବାଚନ ସହ ଯୋଡି ରହି ରହିଛନ୍ତି । ଏହା ପୂର୍ବରୁ ସେ ମହିଳା ମୋର୍ଚ୍ଚା, ଦଳୀୟ ପ୍ରାର୍ଥୀଙ୍କ ସହ ନମୋ ଆପ୍ ଜରିଆରେ ଆଲୋଚନା କରିଛନ୍ତି ।