କଟକରେ ମୋଦି ଦେଲେ ୪ ବର୍ଷର ହିସାବ ! ମୋଦିଙ୍କ ଘଣ୍ଟାକର ଭାଷଣ, ଜାଣନ୍ତୁ ଗୋଟିଏ କ୍ଲିକରେ

73

କନକ ବ୍ୟୁରୋ : ବିଜେପି ସରକାରର ୪ ବର୍ଷ ପୂର୍ତ୍ତି ଉପଲକ୍ଷେ କଟକରେ ଆୟୋଜିତ ହେଉଥିବା ଜନକଲ୍ୟାଣ ସମାବେଶରେ ୪ ବର୍ଷ ସଫଳତାର କାହାଣୀ ବଖାଣିଛନ୍ତି ନରେନ୍ଦ୍ର ମୋଦି । ଜୟ ଜଗନ୍ନାଥ କହିବା ସହ ନିଜ ଅଭିଭାଷଣ ଆରମ୍ଭ କରିଥିଲେ ମୋଦି । ଏହାସହ ଗରିବଙ୍କ ଦେବତା ଜଗନ୍ନାଥଙ୍କ ମାଟିକୁ ଆସି ନିଜକୁ ଧନ୍ୟ ମନେ କରୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ କଟକର ଐତିହ୍ୟକୁ ମନେ ପକାଇଛନ୍ତି ମୋଦି । ଜଗନ୍ନାଥଙ୍କ ଭୂମିରୁ ଆରମ୍ଭ ହୋଇଥିବା କାମ କେବେ ବିଫଳ ହୋଇନାହିଁ ବୋଲି ନିଜ ଅଭିଭାଷଣରେ କହିଥିଲେ ପ୍ରଧାନମନ୍ତ୍ରୀ ।

ଆଉ ଏହାପରେ ନିଜର ୪ବର୍ଷ ସରକାରର ଗୋଟି ଗୋଟି କରି ହିସାବ ଦେଇଥିଲେ ମୋଦି । ୪ ବର୍ଷ ମଧ୍ୟରେ ସରକାର କଣ କରିଛନ୍ତି ତାହାର ଲମ୍ବା ତାଲିକା ଲୋକଙ୍କ ସାମ୍ନାରେ ରଖିଥିଲେ ପ୍ରଧାନମନ୍ତ୍ରୀ । ଉଜ୍ଜଳା ଯୋଜନା, ସ୍କିଲ ଇଣ୍ଡିଆ, ବେଟି ବଚାଅ, ବେଟି ପଢ଼ାଅ ଭଳି ସଫଳ ଯୋଜନାର ଉଦାହରଣ ଦେଇଥିଲେ ମୋଦି । ବିଜେପି ସରକାରର ୪ ବର୍ଷ ମଧ୍ୟରେ ଦେଶ ନିରାଶାରୁ ଆଶା ଆଡ଼କୁ ବଢ଼ୁଛି, କୁଶାସନରୁ ସୁଶାସନ,କଳାଧନରୁ ଜନଧନ ମାର୍ଗରେ ବଢ଼ିଚାଲିଛି । ଦିଲ୍ଲୀରେ ବସିଥିବା କେନ୍ଦ୍ର ସରକାର ସବକା ସାଥ, ସବକା ବିକାଶ ମନ୍ତ୍ର ନେଇ ସମସ୍ତଙ୍କ ପାଇଁ କାମ କରୁଛି ବୋଲି କହିଥିଲେ ମୋଦି । ୪ ବର୍ଷ ପୂର୍ବେ ବହୁମତ ହାସଲ କରି ସରକାର ଗଢ଼ିଥିଲୁ । ଆଉ ଏହି ୪ ବର୍ଷ ମଧ୍ୟରେ ଦେଶରେ ଅନେକ ବିକାଶ ହୋଇଛି । ଚାଷୀଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀ ଓ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଗରିବ ଲୋକଙ୍କ ପାଇଁ ଅନେକ ଯୋଜନା ବିଜେପି ସରକାର ଆରମ୍ଭ କରିଥିବାର ରିପୋର୍ଟ କାର୍ଡ଼ ଦେଇଥିଲେ ମୋଦି ।

amit Sahaଏହି ୪ ବର୍ଷ ମଧ୍ୟରେ ଗରିବଙ୍କୁ ଦେଶର ଅର୍ଥ ବ୍ୟବସ୍ଥା ସହ ଯୋଡ଼ାଯାଇଛି । ଖାସକରି ବିରୋଧୀଙ୍କୁ ଟାର୍ଗେଟ କରିବା ସହ ମୋଦି କହିଥିଲେ ଦେଶରେ କନଫ୍ୟୁଜନ ନୁହେଁ କମିଟମେଣ୍ଟର ସରକାର ଚାଲିଛି । ସେଥିପାଇଁ ସର୍ଜିକାଲ ଷ୍ଟ୍ରାଇକ, ୱାନ ର୍ୟାଙ୍କ ୱାନ ପେ, ବେନାମୀ ସମ୍ପତି ଆଇନ ଲାଗୁ କରାଯାଇପାରିଛି । ବିଜେପି ସରକାର କଠିନ ନିଷ୍ପତି ନେଇଥିବାରୁ ଦେଶରୁ କଳାଧନ ଓ ଭଷ୍ଟ୍ରାଚାର ଦୂର ହୋଇଛି ।

ବେନାମୀ ସମ୍ପତି ଆଇନ ଲାଗୁ ହେବା ଯୋଗୁଁ ୩୫ ଶହ କୋଟି ଟଙ୍କାର ବେନାମୀ ସମ୍ପତି ଜବତ ହୋଇଛି । ଏହାଛଡ଼ା ବିରୋଧୀ ମାନଙ୍କୁ ର୍ଟାଗେଟ କରିବାକୁ ଯାଇ ମୋଦି କହିଥିଲେ, ଦେଶକୁ ବଞ୍ଚାଇବା ପାଇଁ ନୁହେଁ ବରଂ ନିଜ ସ୍ୱାର୍ଥ ପାଇଁ ଏକାଠି ହୋଇଛନ୍ତି ବିରୋଧୀ । ଅଧିକାଂଶ ଘୋଟାଲା ଅଭିଯୁକ୍ତ ଏକାଠି ହୋଇଛନ୍ତି । ଭଷ୍ଟ୍ରାଚାର ଦୂର କରିବା ପାଇଁ ବିଜେପି ସରକାର ସର୍ବଦା ତତ୍ପର । ଆଉ ଏହାର ଉଦାହରଣ ହେଉଛି, ଦେଶର ପୂର୍ବତନ ଚାରି ମୁଖ୍ୟମନ୍ତ୍ରୀ ଏବେ ଘୋଟାଲା ଅଭିଯୋଗରେ ଜେଲ ଅଛନ୍ତି ।
ମୋଦି ନିଜ ଅଭିଭାଷଣରେ କଂଗ୍ରେସର ୬୫ ବର୍ଷର ସରକାର ଓ ବିଜେପିର ୪ ବର୍ଷର ସରକାରର ରିପୋର୍ଟ କାର୍ଡ଼ ରଖିଥିଲେ । ଏହାସହ କଂଗ୍ରେସ ସରକାର ଉପରେ ବର୍ଷିଥିଲେ ମୋଦି । କଂଗ୍ରେସ ସରକାର କେବଳ ଯୋଜନା ଘୋଷଣା କରି ଭୁଲି ଯାଆନ୍ତି । ଯାହା ଫଳରେ ଆଜି ଦେଶରେ ଗରିବ ଓ ଚାଷୀଙ୍କ ଅବସ୍ଥା ଏଭଳି ରହିଛି । ସ୍ୱାଧୀନତା ପରଠାରୁ ୨୦୧୪ ସୁଦ୍ଧା ଯେଉଁଠି ଦେଶରେ ୫୦ ପ୍ରତିଶତ ସଡ଼କ ହୋଇଥିଲା ତାହା ବିଜେପି ସରକାରର ୪ ବର୍ଷ ମଧ୍ୟରେ ୮୫ ପ୍ରତିଶତରେ ପହଞ୍ଚିଛି । ସେହିଭଳି ସ୍ୱଚ୍ଛତାରେ ମଧ୍ୟ ମୋଦି ସରକାର ନିଜର ସଫଳତାର କାହାଣୀ ବଖାଣିଛନ୍ତି । ୨୦୧୪ ସୁଦ୍ଧା ଦେଶରେ ୪୦ ପ୍ରତିଶତ ଅଞ୍ଚଳରେ ସ୍ୱଚ୍ଛତା ଥିବା ବେଳେ ଗତ ଚାରି ବର୍ଷରେ ଏହା ୮୦ ପ୍ରିତଶତକୁ ବୃଦ୍ଧି ପାଇଛି । ସ୍ୱାଧୀନତା ପରଠାରୁ ୨୦୧୪ ପର୍ଯ୍ୟନ୍ତ ଦେଶର ୬ କୋଟି ପରିବାରଙ୍କ ନିକଟରେ ଶୌଚାଳୟ ରହିଥିବା ବେଳେ ଗତ ୪ ବର୍ଷରେ ୪.୫ କୋଟି ନୂତନ ଶୌଚାଳୟ ନିର୍ମାଣ କରିଛି ବିଜେପି ସରକାର । ଉଜ୍ଜଳା ଯୋଜନାରେ ୪ ବର୍ଷ ମଧ୍ୟରେ ୧୦ କୋଟି ଲୋକଙ୍କୁ ନୂଆ ଏଲପିଜି କନେକ୍ସନ ଦିଆଯାଇଛି । ଏହାସହ ଉଜ୍ଜଳା ଯୋଜନାରେ ୪ କୋଟି ମହିଳାଙ୍କ ଘରେ ମାଗଣାରେ ଗ୍ୟାସ ଯୋଗାଣ । ଆଉ ଏହି ଯୋଜନାରେ ଓଡ଼ିଶାରେ ୨୫ ଲକ୍ଷ ପରିବାରକୁ ମାଗଣାରେ ଗ୍ୟାସ ଯୋଗାଇ ଦିଆଯାଇଛି ।

ବିଜେପି ସରକାର ସମୟରେ ପାରାଦ୍ୱୀପର ବିକାଶ ଆରମ୍ଭ ହୋଇଥିଲା । ୨୦୧୪ ମସିହାରେ କେନ୍ଦ୍ରରେ ମୋଦି ସରକାର ଆସିବା ପରେ ପାରାଦ୍ୱୀପରେ ତୈଳ ବିଶୋଧାନଗାରାର ଶୁଭ ଦିଆଯାଇଥିଲା । ଏପରିକି ଏହି ସମୟରେ ପାସପୋର୍ଟ , କମ୍ପାନି ରେଜିଷ୍ଟର କରିବା ସମୟସୀମା ମଧ୍ୟ କମ ହୋଇଥିଲା । ଏପରିକି ଦେଶରୁ କଳାଧନ ହଟାଇବା ପାଇଁ ୨ ଲକ୍ଷ ୩୬ ହଜାର କମ୍ପାନିର ସଦିଗ୍ଧ କମ୍ପାନିର ଲାଇସେନ୍ସ ରଦ୍ଦ କରାଯାଇଛି । ୧୪ ଶହରୁ ଅଧିକ ପୁରୁଣା ଆଇନ ବନ୍ଦ ହୋଇଛି । ଆଉ ଏହାସହ ୨୦୨୨ ସୁଦ୍ଧା ଦେଶର ସମସ୍ତ ଗରିବଙ୍କୁ ଘର ଓ କୃଷକଙ୍କ ଆୟ ଦୁଇଗଣ କରିବାକୁ ସଂକଳ୍ପ ନେଇଛି ବିଜେପି ।

ତେବେ ନିଜ ଅଭିଭାଷଣ ଶେଷ ଆଡ଼କୁ ରାଜ୍ୟ ସରକାରଙ୍କ ଉପରେ ଖୁବ ବର୍ଷିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଖାସକରି ମହାନଦୀକୁ ନେଇ ନବୀନ ସରକାରଙ୍କୁ ବାଣ ମାରିଥିଲେ ମୋଦି । ମହାନଦୀକୁ ନେଇ ମହାବିବାଦ ମଧ୍ୟରେ ଆଜି କଟକ ଜନକଲ୍ୟାଣ ସମାବେଶରୁ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି କେନ୍ଦ୍ର, ମହାନଦୀ ବିବାଦର ସମାଧାନ ପାଇଁ ଉଦ୍ୟମ କରୁଥିବା ବେଳେ ରାଜ୍ୟ ପଛଘୁଞ୍ଚା ଦେଉଛି । ମହାନଦୀ ପାଣି ଚାଷୀଙ୍କ କାମରେ ଲାଗିପାରୁନାହିଁ । ଅଧିକାଂଶ ଜଳ ସମୁଦ୍ରକୁ ଯାଇ ବ୍ୟର୍ଥ ହେଉଛି । ବହୁ ଜଳସେଚନ ପ୍ରକଳ୍ପ ଆଜିଯାଏଁ ପଡିରହିଛି । ତେଣୁ ଓଡ଼ିଶାର ଚାଷୀଙ୍କ ସ୍ଥିତି କେନ୍ଦ୍ର ସରକାର ବଦଳାଇବେ ବୋଲି କହିଛନ୍ତି ମୋଦି । ଓଡ଼ିଶା ସରକାର ଏତେ ଦିନ ଧରି କଣ କରୁଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଓଡ଼ିଶାର ସ୍ୱାସ୍ଥ୍ୟସେବାର ବିଫଳତାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି ମୋଦି । ଆଦିବାସୀ ଅଞ୍ଚଳରୁ ସବୁବେଳେ ନୈରାଶଜନକ ଚିତ୍ର ସାମ୍ନାକୁ ଆସୁଛି ଏଭଳି ସ୍ଥଳେ ରାଜ୍ୟ ସରକାର ନିଜ ଦାୟିତ୍ୱ ନ ତୁଲାଇଲେ ମଧ୍ୟ କେନ୍ଦ୍ର ସରକାର ତାର ଦାୟିତ୍ୱ ସୂଚାରୁ ରୂପେ ତୁଲାଉଛନ୍ତି ବୋଲି କହିଛନ୍ତି ମୋଦି ।