କନକ ବ୍ୟୁରୋ : ଭାରତ ଗସ୍ତରେ ଆସିଥିବା ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସ୍ୱତନ୍ତ୍ର ଉପହାର ପ୍ରଦାନ କରିଛନ୍ତି । ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଏକ ହାତ ତିଆରି ରାଜକୀୟ ବିଞ୍ଚଣା ଉପହାରରେ ଦେଇଛନ୍ତି । ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଉପହାରରେ ମିଳିଥିବା ଏହି ସ୍ୱତନ୍ତ୍ର ବିଞ୍ଚଣା ବେଶ ଆକର୍ଷଣୀୟ ଓ ସୁନ୍ଦର ଦିଶୁଛି । ଚନ୍ଦନ କାଠରେ ନିର୍ମିତ ହୋଇଥିବା ଏହି ସ୍ୱତନ୍ତ୍ର ବିଞ୍ଚଣାକୁ ରାଜସ୍ଥାନର କାଠ ଶିଳ୍ପୀ ମାନେ ନିର୍ମାଣ କରିଛନ୍ତି । ଏହାକୁ ପାରମ୍ପରିକ ଉପାୟରେ ତିଆରି କରିଛନ୍ତି କାଠ ଶିଳ୍ପୀ । ଏହାଛଡା ଏହି ସ୍ୱତନ୍ତ୍ର ବିଞ୍ଚଣାରେ ବିଭିନ୍ନ ପ୍ରକାର କାରୁକାର୍ଯ୍ୟ କରାଯାଇଛି ।
ଅତି ଆକର୍ଷଣୀୟ ଓ ସୁନ୍ଦର ଦିଶୁଥିବା ଏହି ସ୍ୱତନ୍ତ୍ର ବିଞ୍ଚଣାର ପୂରା ଉପରେ ଏକ ମୟୂର ପକ୍ଷୀର କାରୁକାର୍ଯ୍ୟ କରାଯାଇଛି । ଏହାଛଡା ଏହି ହସ୍ତ ନିର୍ମିତ ପଙ୍ଖାରେ ବିଭିନ୍ନ କାରୁକାର୍ଯ୍ୟ ଜରିଆରେ ଭଗବାନ ଶ୍ରୀକୃଷ୍ଣଙ୍କ ବିଭିନ୍ନ ମୁଦ୍ରାକୁ ସ୍ଥ୍ାନ ଦିଆଯାଇଛି । ଯାହା ପ୍ରେମ, ଦୟାର ପ୍ରତୀକ । ପାରମ୍ପରିକ ଉପକରଣ ସାହାଯ୍ୟରେ ଏହି ସ୍ୱତନ୍ତ୍ର ରାଜକୀୟ ବିଞ୍ଚଣା ନିର୍ମାଣ କରିବାକୁ ମାସ ମାସ ସମୟ ଲାଗିଛି । ଏଥିରେ ଏକ ଛୋଟ ଘୁଙ୍ଗୁର ଲାଗିଛି ଯାହା ପବନ ପ୍ରବାହିତ ହେବା କ୍ଷଣି ବାଜି ଉଠିଥାଏ । ଏହାଛଡା ଏଥିରେ ୪ଟି ଛୋଟ ଛୋଟ ଦ୍ୱାର ରହିଛି । ଚନ୍ଦନ କାଠ ନିଜର ବାସ୍ନା ପାଇଁ ପରିଚିତ । ବର୍ଷ ବର୍ଷ ଧରି ଏହାକୁ ମୂଲ୍ୟବାନ ଓ ପବିତ୍ର ବୋଲି କୁହଯାଏ । ଏହାର ଧାର୍ମିକ ମହତ୍ତ୍ୱ ମଧ୍ୟ ରହିଛି ।