୨୦୬ଟି ରାଲି-ରୋଡ୍ ସୋ’ ସହ ଚଳିତ ନିର୍ବାଚନରେ ୮୦ଟି ସାକ୍ଷାତକାର ଦେଲେ ମୋଦୀ: କାହିଁକି ରାହୁଲ ଗାନ୍ଧୀ ଦେଲେନାହିଁ ଗୋଟିଏ ବି ସାକ୍ଷାତକାର ବଢିଲା ଚର୍ଚ୍ଚା

388

କନକ ବ୍ୟୁରୋ: ଶେଷ ହୋଇଛି ସାଧାରଣ ନିର୍ବାଚନ ପାଇଁ ପ୍ରଚାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକାଧିକ ରାଲି କରିଛନ୍ତି । ଏହି ରାଲି ଜରିଆରେ ନିଜ ୧୦ ବର୍ଷର କାର୍ଯ୍ୟକାଳର ରିପୋର୍ଟ କାର୍ଡ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରିଛନ୍ତି । ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ୨୦୬ଟି ରାଲିକୁ ସମ୍ବୋଧିତ କରିଛନ୍ତି । ୮୦ଟି ସାକ୍ଷାତକାର ଦେଇଛନ୍ତି । ଅପରପକ୍ଷରେ ବିରୋଧୀ ଦଳର ପ୍ରମୁଖ ନେତା ରାହୁଲ ଗାନ୍ଧୀ କୌଣସି ସାକ୍ଷାତକାର ଦେଇନାହାନ୍ତି ।

ଚଳିତ ସାଧାରଣ ନିର୍ବାଚନ ପାଇଁ ଘନଘନ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ । କନ୍ୟାକୁମାରୀରୁ ପ୍ରଚାର ଆରମ୍ଭ ଥିଲା । ଆଉ ଗୁରୁବାର ପଞ୍ଜାବର ହୋସିଆରପୁରରେ ଶେଷ ରାଲି କରିଛନ୍ତି । ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକସଭା ଆସନ ବାରାଣସୀରେ ମଧ୍ୟ ମତଦାନ ହେବ । ଯେଉଁଠାରେ ସେ କଂଗ୍ରେସ ପ୍ରାର୍ଥୀ ଅଜୟ ରାୟଙ୍କୁ ସାମ୍ନା କରୁଛନ୍ତି । ଅଜୟ ରାୟ ବାରଣାସୀରୁ ଲଗାତାର ୩ ଥର ହାରିଛନ୍ତି । ସେହିପରି ମୋଦି ଲଗାତାର ଦୁଇ ଥର ତାଙ୍କୁ ପରାସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ନିର୍ବାଚନରେ ଇତିହାସ ରଚିଛନ୍ତି । କାରଣ ସେ ଏଥର ଏକାଧିକ ରାଲି ଏବଂ ରୋଡ ସୋ କରିଛନ୍ତି । ପ୍ରଧାନମନ୍ତ୍ରୀ ଗଣମାଧ୍ୟମକୁ ରେକର୍ଡ ସଂଖ୍ୟକ ସାକ୍ଷାତକାର ଦେଇଛନ୍ତି । ଯାହାର ସଂଖ୍ୟା ୮୦ । ଏହି ସମୟରେ ସେ ବିରୋଧୀଙ୍କ ଅଭିଯୋଗର ଗୋଟିଏ ପରେ ଗୋଟିଏ ଜବାବ ଦେଇଛନ୍ତି । ଏଥିସହିତ ସରକାରଙ୍କ ୧୦ ବର୍ଷର କାର୍ଯ୍ୟର ହିସାବ ରଖିଛନ୍ତି । ପ୍ରତିଥର ସେ କହିଛନ୍ତି ଯେ ଏହି ସରକାର ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛନ୍ତି ଏବଂ ଦୁର୍ନୀତି ବିରୋଧରେ ପଦକ୍ଷେପ ନେବା ଜାରି ରଖିବେ । ନିର୍ବାଚନ ତାରିଖ ଘୋଷଣା ହେବାଠାରୁ ଗୁରୁବାର ଶେଷ ହେବା ଭିତରେ ୨୦୬ଟି ରାଲି ଏବଂ ରୋଡ ଶୋ କରିଛନ୍ତି ମୋଦୀ ।

ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ବିରୋଧୀ ଏକାଠି ହୋଇ ଇଣ୍ଡିଆ ମେଂଟ ନାଁରେ ନିର୍ବାଚନ ଲଢିଛନ୍ତି । କଂଗ୍ରେସର ପ୍ରମୁଖ ନେତା ରାହୁଲ ଗାନ୍ଧୀ ଯଦିଓ କେତୋଟି ରାଲି ଏବଂ ରୋଡ ସୋ କରିଛନ୍ତି ହସ୍ତକ୍ଷେପ ହୋଇନି । କିନ୍ତୁ ନିର୍ବାଚନ ପୂର୍ବରୁ ଭାରତ ଯୋଡ ଯାତ୍ରା କରି ସାରା ଦେଶର ବିଶ୍ୱାସଭାଜନ ହେବାକୁ ରାହୁଲ ଗାନ୍ଧୀ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି । ବଡ କଥା ହେଉଛି ବିଜେପି ଚଳିତ ନିର୍ବାଚନରେ ୪୦୦ ପାର ଲୋକସଭା ଆସନ ଜିତିବାକୁ ନାରା ଦେଇଛି । ଏପରି ନାରା ପଛର ଉଦ୍ଦେଶ୍ୟ ବିଜେପି ତରଫରୁ ଏଯାବତ ସ୍ପଷ୍ଟ କରାଯାଇନି । କିନ୍ତୁ ବିରୋଧୀ କହିଛନ୍ତି ଯେ, ସମ୍ବିଧାନକୁ ବଦଳାଇବାକୁ ବିଜେପି ଏହି ନାରା ଦେଇଛି । ଯାହାର ଜାବାବ ମଧ୍ୟ ଦେବାକୁ ବାଧ୍ୟ ହୋଇଛି ବିଜେପି । ଏକ ଜାତୀୟ ଗଣମାଧ୍ୟମର ସାକ୍ଷାତକାରରେ ମୋଦୀ କହିଥିଲେ, ଧାରା ୩୭୦ ଉଚ୍ଛେଦ ଭାରତର ଗୋଟିଏ ବଡ ଉପଲବଧି । ତେଣୁ ବିଜେପି ୩୭୦ ଆସନ ଲକ୍ଷ୍ୟ ରଖିଛି ଏବଂ ଏନଡିଏ ୪୦୦ରୁ ଅଧିକ ଆସନ ଜିତିବାକୁ ନାରା ଦିଆଯାଇଛି ବୋଲି ମୋଦୀ କହିଥିଲେ ।

ମୋଦୀ ପ୍ରେସମିଟ୍ କରନ୍ତି ନାହିଁ ବୋଲି ବିରୋଧୀ ସମାଲୋଚନା କରି ଆସୁଛନ୍ତି । ଏହାରି ଭିତରେ ରାହୁଲ ଗାନ୍ଧୀ ଚଳିତ ନିର୍ବାଚନରେ ଗୋଟିଏ ବି ସାକ୍ଷାତକାର ନଦେବା ନେଇ ଚର୍ଚ୍ଚା ବଢିଛି । କିନ୍ତୁ ପୂର୍ବରୁ ରାହୁଲ ୟୁପି ନିର୍ବାଚନ ହେଉ କିମ୍ବା ୨୦୧୯ରେ ଶେଷ ଲୋକସଭା ନିର୍ବାଚନ ସମୟରେ ସାକ୍ଷାତକାର ଦେଇଥିଲେ । ଏବେ ରାହୁଲ କାହିଁକି ପ୍ରମୁଖ ମିଡିଆକୁ ସାକ୍ଷାତକାର ଦେବାକୁ ମୁହଁ ମୋଡିଲେ ପ୍ରକୃତ କାରଣ ଜଣାପଡିନି । କିନ୍ତୁ ଅନେକ ୟୁଟ୍ୟୁବର କିମ୍ବା ସୋସିଆଲ ମିଡିଆ ଇନଫ୍ଲୁଏନସରଙ୍କୁ ସେ ନିଜର ମତାମତ ଦେଉଥିବା ଦେଖିବାକୁ ମିଳିଛି । ନିର୍ବାଚନ ସମୟରେ ସାକ୍ଷାତକାର ପ୍ରଚାର ଭଳି ଏକ ସମାନ ସୁଯୋଗ । ହେଲେ ରାହୁଲ ଗାନ୍ଧୀ ସାକ୍ଷାତକାର ନଦେଇ ସୁଯୋଗ ହାତଛଡ଼ା କଲେ କି ବୋଲି ପ୍ରଶ୍ନ ଉଠିଛି । କିଛି ରାଜନୈତିକ ବିଶେଷଜ୍ଞଙ୍କ ମତରେ ଏକ ଘରୋଇ ଚ୍ୟାନେଲକୁ ଦିଆଯାଇଥିବା ସାକ୍ଷାତକାର ଯୋଗୁଁ ୨୦୧୪ ନିର୍ବାଚନ ଏକ ପ୍ରକାରରେ ରାହୁଲ ଗାନ୍ଧୀଙ୍କ ଭାବମୂର୍ତ୍ତି ଖରାପ ହୋଇଥିଲା । ସେବେଠାରୁ ରାହୁଲ ସାକ୍ଷାତକାର ପ୍ରତି ବିମୁଖ ବୋଲି କୁହାଯାଉଛି ।