ହାତ ଯୋଡ଼ି ଚାଷୀଙ୍କୁ ମନାଇବା ପାଇଁ ଉଦ୍ୟମ କଲେ ମୋଦୀ । କହିଲେ, ଆଲୋଚନା ପାଇଁ ୨୪ ଘଣ୍ଟା ପ୍ରସ୍ତୁତ ଅଛନ୍ତି ସରକାର

295

କନକ ବ୍ୟୁରୋ : ଅବସର ଥିଲା ଭିଡିଓ କନଫରେନ୍ସିଂ ଜରିଆରେ ମଧ୍ୟପ୍ରଦେଶର ଚାଷୀଙ୍କୁ ସମ୍ବୋଧନ । ଆଉ ଏହି ଅବସରକୁ ହାତ ଛଡ଼ା କରିନଥିଲେ ପ୍ରଧାନମନ୍ତ୍ରୀ । ୩ ସପ୍ତାହ ଧରି ଚାଲିଥିବା ଚାଷୀ ଆନ୍ଦୋଳନ, ଦିନକୁ ଦିନ ଅଧିକ ଉଗ୍ର ରୂପ ନେଉଥିବାରୁ ଚାଷୀଙ୍କୁ ଆଲୋଚନା କରିବା ପାଇଁ ଅପିଲ କରିଛନ୍ତି ମୋଦୀ । ସେ କହିଛନ୍ତି, ଯଦି ନୂଆ କୃଷି ଆଇନରେ କାହାର ସଂଶୟ ରହିଛି, ମୁଣ୍ଡ ନୁଆଁଇ ଅତି ବିନମ୍ରତାର ସହ ଆଶଙ୍କା ଦୂର କରିବା ପାଇଁ ପ୍ରସ୍ତୁତ ଅଛନ୍ତି । କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କୃଷକ ସଂଗଠନକୁ ଦେଇଥିବା ୮ ପୃଷ୍ଠାର ପ୍ରସ୍ତାବ ଭଲ ଭାବେ ପଢ଼ିବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ।

ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନକୁ ୩ ସପ୍ତାହ ହୋଇଗଲାଣି । ଦେଶର ବିଭିନ୍ନ ଭାଗରେ ମଧ୍ୟ ପ୍ରତିବାଦ, ବିକ୍ଷୋଭ ଦେଖିବାକୁ ମିଳୁଛି । ଯାହା ମୋଦୀ ସରକାରଙ୍କୁ ବିବ୍ରତ କରିବାରେ ଲାଗିଛି ।

ପ୍ରଥମ ଥର ପାଇଁ ଚାଷୀଙ୍କୁ ଆଲୋଚନା ଜରିଆରେ ମନରେ ଥିବା ଆଶଙ୍କା ଦୂର କରିବାକୁ ଖୋଲା ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି, ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ହଟିଯିବ ବୋଲି ଯେଉଁ ଧାରଣା ସୃଷ୍ଟି କରାଯାଇଛି, ତାହା ସବୁଠୁ ବଡ଼ ମିଛ । ଏହି ଅବସରରେ ବିରୋଧୀ ଦଳକୁ ପରୋକ୍ଷ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, କୃଷି ସଂସ୍କାର ନେଇ ସବୁ ଶ୍ରେୟ ବିରୋଧୀ ଦଳ ନିଅନ୍ତୁ । କିନ୍ତୁ ଚାଷୀଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ । ଚାଷୀଙ୍କ ଉନ୍ନତି ତାଙ୍କର ଏକମାତ୍ର ଲକ୍ଷ୍ୟ ବୋଲି କହିଛନ୍ତି ମୋଦୀ ।

ଚାଷୀ ଆନ୍ଦୋଳନକୁ ପ୍ରଶମିତ କରିବା ପାଇଁ ଅମିତ ଶାହାଙ୍କ ସହ ମୋଦୀ ସରକାରଙ୍କ ପାୱାରଫୁଲ ମନ୍ତ୍ରୀ ଫେଲ ମାରିବା ପରେ ନିଜେ ପ୍ରଧାନମନ୍ତ୍ରୀ, ଚାଷୀଙ୍କୁ ଅପିଲ କରିଛନ୍ତି । ଏହା ସହ ନୂଆ କୃଷି ଆଇନ ସପକ୍ଷରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଛନ୍ତି ମୋଦୀ ।

ମୋଦୀ କହିଛନ୍ତି, କୃଷି ସଂସ୍କାର ଆଇନ ରାତାରାତି ଆସିନାହିଁ । ୨-୩ ଦଶନ୍ଧୀ ଧରି ଏ ନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିଲା । ୬ ମାସ ତଳୁ ଆଇନ ଆସିଲାଣି, ହେଲେ ଏବେ ଏହି ପ୍ରସଙ୍ଗରେ ବିରୋଧୀ ଦଳ, ଭୋଟ ରାଜନୀତି କରୁଛନ୍ତି ବୋଲି ଆକ୍ଷେପ କରିଛନ୍ତି ପ୍ରଧାନମନ୍ତ୍ରୀ । ସଂସ୍କାର ଉପରେ ସେ ଜୋର ଦେଇଛନ୍ତି । କହିଛନ୍ତି, ଭାରତର ଚାଷୀ ଆଉ ପଛୁଆ ରହିବେ ନାହିଁ । ସେମାନଙ୍କ ଜୀବନଧାରଣ ମାନ ବୃଦ୍ଧିପାଇବ ।