କନକ ବ୍ୟୁରୋ : ଗଙ୍ଗା ଆଳତି ପରେ ଶୁକ୍ରବାର ଉତରପ୍ରଦେଶର ବାରଣାସୀ ଘାଟରୁ ବିଶ୍ୱର ସବୁଠୁ ଲମ୍ବା ନଦୀ କ୍ରୁଜର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାରଣାସୀରୁ ଯାତ୍ରା ଆରମ୍ଭ କରିଥିବା ଏହି ବିଳାସପୂର୍ଣ୍ଣ କ୍ରୁଜ୍ ୨୭ ନଦୀ ଅତିକ୍ରମ କରି ଆସାମର ଡିବ୍ରୁଗଡ଼ରେ ପହଂଚିବ । ଭାରତର ୫ ରାଜ୍ୟ ଦେଇ ୫୧ ଦିନରେ ୩ ହଜାର ୨୦୦ କିଲୋମିଟରର ଯାତ୍ରା କରିବ ଏହି ମର୍ଡନ କ୍ରୁଜ୍ । ଏହି ପଂଚତାରକା କ୍ରୁଜ୍ର ଉଦଘାଟନୀ କରି ମୋଦୀ କହିଛନ୍ତି, ଯେତେବେଳେ ପର୍ଯ୍ୟଟନ କ୍ଷେତ୍ରରେ ଭାରତର ବିକାଶ ଦୃତ ଗତିରେ ବଢୁଛି ସେତେବେଳେ ପର୍ଯ୍ୟଟକଙ୍କ ପାଇଁ ଏଭଳି କ୍ରୁଜ୍ର ସୁବିଧା ଉପଲବ୍ଧ ହୋଇଛି । ସଡକ ପଥରେ ଏବଂ ସ୍ଥଳ ଭାଗରେ ପର୍ଯ୍ୟଟନ କ୍ଷେତ୍ରରେ ଭାରତରେ ଯେପରି ବିକାଶ ହୋଇଛି ହେଲେ ଜଳଭାଗ ଅବା ଜଳପଥରେ ସେଭଳି କିଛି ବିକାଶ ହୋଇନାହିଁ । ଏହି କ୍ରୁଜ୍ ଜଳପଥ ପର୍ଯ୍ୟଟନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି କୁହାଯାଉଛି ।

Advertisment

ବିଶ୍ୱର ସବୁଠୁ ଲମ୍ବା ନଦୀ ଯାତ୍ରା କରୁଥିବା ଏହି ଏମଭି ଗଙ୍ଗା ଭିଲାସ କ୍ରୁଜ୍ର ପାଉଣା ଦେବା ସାଧାରଣ ଲୋକଙ୍କ ପକ୍ଷେ ସମ୍ଭବ ନୁହେଁ । ଏଥିରେ ଦିନକୁ ଜଣେ ବ୍ୟକ୍ତିଙ୍କ ପିଛା ୨୫ ହଜାରରୁୁ ୫୦ ହଜାର ଟଙ୍କା ଦେବାକୁ ପଡିବ । ପୁରା ଟ୍ରିପ୍ ପାଇଁ ଜଣେ ବ୍ୟକ୍ତିଙ୍କ ପିଛା ୨୦ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ପଡିବ ବୋଲି ସୂଚନା ମିଳିଛି । ହେଲେ ଏକ ପଂଚତାରକା ହୋଟେଲରେ ଯାହା ସୁବିଧା ସୁଯୋଗ ମିଳେ ଏଥିରେ ସେସବୁ ସୁବିଧା ମିଳିବ ବୋଲି କହିଛନ୍ତି କ୍ରୁଜ୍ କତୃପକ୍ଷ । ପର୍ଯ୍ୟଟକମାନେ ନଦୀ ଭ୍ୟୁର ମଜା ନେବା ସହ ବୁଦ୍ଧସ୍ଥଳୀ ସାରନାଥ, ବିଶ୍ୱର ସବୁଠୁ ବଡ ନଦୀ ଦ୍ୱୀପ ‘ମଞ୍ଜଳୀ’, ବଙ୍ଗୋପସାଗର ଉପକୂଳରେ ଥିବା ସୁନ୍ଦରବଣ, ଆସାମର କାଜିରଙ୍ଗା ନ୍ୟାସନାଲ ପାର୍କ ସମେତ ୫୦ଟି ପର୍ଯ୍ୟଟନସ୍ଥଳୀ ବୁଲିପାରିବେ ।

‘ଗଙ୍ଗା ବିଳାସ’ରେ କ’ଣ ରହିଛି ସୁବିଧା ?

  • ଏହି ଯାହାଜରେ ତିନି ତାଲା ବିଶିଷ୍ଟ
  • କ୍ରୁଜର ଲମ୍ବ ୬୨ ମିଟର ଓସାର ୧୨ ମିଟର
  • ଏଥିରେ ୧୮ଟି ବିଳାସପୂର୍ଣ୍ଣ ଘର ରହିଛି
  • ୩୬୦-୩୮୦ ସ୍କୋୟାରଫୁଟ ଲେଖାଏଁ ଘର ରହିଛି
  • କ୍ରୁଜରେ ମୋଟ ୩୬ ପର୍ଯ୍ୟଟକ ଯାଇପାରିବେ
  • ଏଥିରେ ସ୍ପା, ସେଲୁନ, ଜିମ୍ର ସୁବିଧା ରହିଛି
  • ଏହି କ୍ରୁଜଟି ସମ୍ପୁର୍ଣ୍ଣ ପ୍ରଦୂଷଣ ମୁକ୍ତ
  • ଏଥିରେ ଶବ୍ଦ ନିୟନ୍ତ୍ରଣ କ୍ଷମତା ରହିଛି

୨୭ ନଦୀ ଅତିକ୍ରମ କରିବାକୁ ଥିବା ଏହି ବିଳାସପୂର୍ଣ୍ଣ କ୍ରୁଜ୍ ଶୁକ୍ରବାର ଯାତ୍ରା ଆରମ୍ଭ କରିଛି । ପ୍ରଥମ ଯାତ୍ରୀ ଭାବେ ସୁଇଜରଲ୍ୟାଣ୍ଡର ୩୨ ଜଣ ପର୍ଯ୍ୟଟକ ଯାତ୍ରା ଆରମ୍ଭ କରିଛନ୍ତି । ଆଗମୀ ଦିନରେ ଏହା ବିଶ୍ୱ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି ।