ଶ୍ରୀହୀନ ହୋଇପଡିଛି ଶ୍ରୀକ୍ଷେତ୍ର । ପୁରୀର ବିକଳ ଚିତ୍ର ଦେଖି ଭାବବିହ୍ୱଳ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

820

କନକ ବ୍ୟୁରୋ : ବାତ୍ୟା ଫୋନି ପାଇଁ ଶ୍ରୀହୀନ ହୋଇପଡିଛି ଶ୍ରୀକ୍ଷେତ୍ର । ଆଉ ଆଜି ଦିନିକିଆ ଓଡିଶା ଗସ୍ତରେ ଆସି ଆକାଶମାର୍ଗରୁ ପୁରୀର ଚିତ୍ର ଦେଖି ଭାବବିହ୍ୱଳ ହୋଇପଡିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶେଷ କରି ପୁରୀ ଶ୍ରୀମନ୍ଦିର ଏବଂ କଳ୍ପବଟ ଦେଖି ପ୍ରଧାନମନ୍ତ୍ରୀ ଭାବବିହ୍ୱଳ ହୋଇପଡିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆକାଶମାର୍ଗରୁ ଆଜି ବାତ୍ୟା ଫୋନିର କ୍ଷୟକ୍ଷତି ଦେଖିଛନ୍ତି ପ୍ରଧାନମନ୍ତ୍ରୀ । ‘ପୁରୀ, ଗୋପ, ନିମାପଡା, ବ୍ରହ୍ମଗିରି ସମ୍ପୂର୍ଣ୍ଣ ନଷ୍ଟଭ୍ରଷ୍ଟ ହୋଇଯାଇଛି ।’

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବାଲୁଖଣ୍ଡ ଅଭୟାରଣ୍ୟ ଛିନଛତ୍ର ହୋଇଯାଇଛି । କୌଣସି ଗୋଟିଏ ନଡିଆ ଗଛ, ଚାଳ, ଆଜବେଷ୍ଟସ ଘର ଆଉ ବାକି ନଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଓଡିଶାବାସୀଙ୍କ ସହ ଥିବା ଆଶ୍ୱାସନା ଦେଇଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସେ କହିଛନ୍ତି, ‘ପୂର୍ବରୁ କେନ୍ଦ୍ର ସରକାର ୩୪୧ କୋଟି ଟଙ୍କା ଦେଇଥିଲେ, ଏବେ ଆଉ ୧ ହଜାର କୋଟି ଟଙ୍କା ମଞ୍ଜୁର କରିଛନ୍ତି । ପ୍ରାୟ ସବୁ ସ୍ଥାନରେ ପେଟ୍ରୋଲ ପମ୍ପ ପୁଣି ଚାଲୁ ହୋଇଯାଇଛି । ପୁରୀରେ ଥିବା ୫୨ଟି ପେଟ୍ରୋଲ ପମ୍ପରୁ ୨୯ଟି ବାତ୍ୟା ପରେ ପରେ ଅଚଳ ହୋଇଯାଇଥିଲା । କାଲି ସନ୍ଧ୍ୟାରେ ସେଥିରୁ ୮ଟି ଚାଲୁ ହୋଇଯାଇଛି ।’ ଯେତେ ଜଲଦି ବିଜୁଳି କାର୍ଯ୍ୟକ୍ଷମ ହେବ, ପେଟ୍ରୋଲ ପମ୍ପ ଚାଲୁ ହୋଇଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।