ସଂସଦରେ କୃଷି ବିଲ ପାସ ପରେ ଚାଷୀଙ୍କୁ ବୁଝାଇଲେ ମୋଦୀ : କହିଲେ, କେବଳ କୃଷି କ୍ଷେତ୍ରରେ ଆମୁଳଚୁଳ ପରିବର୍ତ୍ତନ ହେବ ନାହିଁ ; ଏହା ଦ୍ୱାରା କୃଷକ ମାନେ ସଶକ୍ତ ହେବେ 

2,926
କନକ ବ୍ୟୁରୋ : କୃଷି ବିଧେୟକ ସଂସଦରେ ପାରିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରିଛନ୍ତି । ମୋଦୀ କହିଛନ୍ତି କି ଏହା ଭାରତର କୃଷି ଇତିହାସରେ ଏକ ବଡ ଦିନ । ଏଭଳି ଭାବେ ପ୍ରଧାନମନ୍ତ୍ରୀ ଗୋଟିଏ ପରେ ଗୋଟିଏ ଟ୍ୱିଟ୍ କରି ତାଙ୍କ ମନର କଥା କହିଛନ୍ତି । ସେ ତାଙ୍କର ପ୍ରଥମ ଟ୍ୱିଟ୍ ରେ କହିଛନ୍ତି କି ଏହା ଦେଶର କୃଷକ ମାନଙ୍କ ପାଇଁ ଏକ ବଡଦିନ । ସଂସଦରେ ଏହି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ ହୋଇଥିବାରୁ ମୁଁ ପରିଶ୍ରମି ଅନ୍ନଦାତାଙ୍କୁ ବଧାଇ ଜଣାଉଛି । ଏହି ବିଲ୍ କେବଳ କୃଷି କ୍ଷେତ୍ରରେ ଆମୁଳଚୁଳ ପରିବର୍ତ୍ତନ ଆଣିବ ନାହିଁ । ଏହା ଦ୍ୱାରା ଦେଶର କୃଷକ ମାନେ ସଶକ୍ତ ହେବେ ।
ସେ ତାଙ୍କର ଦ୍ୱିତୀୟ ଟ୍ୱିଟରେ ଲେଖିଛନ୍ତି କି ବର୍ଷ ବର୍ଷ ଧରି ଦେଶର କୃଷକ ଭାଇ ଭଉଣୀ ମାନେ ଅନେକ ପ୍ରକାର ବନ୍ଧନରେ ବାନ୍ଧି ହୋଇ ରହିଥିଲେ । ଯାହା ଫଳରେ ସେମାନେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଥିଲେ । ଏହି ବିଲ ସଂସଦରେ ପାରିତ ହେବା ପରେ କୃଷକ ମାନେ ଅନେକ ସମସ୍ୟାରୁ ମୁକ୍ତ ହୋଇଛନ୍ତି । ଆମେ କୃଷକ ମାନଙ୍କର ଆୟକୁ ଦ୍ୱିଗୁଣିତ କରିବାକୁ ଯେଉଁ ପ୍ରୟାସ ଚଳାଇଛୁ ତାହାପାଇଁ ଆମକୁ ଶକ୍ତି ମିଳିଲା  ଏବଂ ସେମାନଙ୍କର ସମୃଦ୍ଧି ସୁନିଶ୍ଚିନ୍ତ ହେଲା ।
ସେ ଆହୁରି କହିଛନ୍ତି କି ‘ମୁଁ ପ୍ରଥମରୁ କହିଛି ଆଉ ଏବେ ବି କୃଷକ ଭାଇ ମାନଙ୍କୁ କହିରଖୁଛି କି  ଏହି ବିଲ ପାସ ହେବା ପରେ ବି କୃଷକ ମାନଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ଉପରେ ମିଳୁଥିବା ସର୍ବନିମ୍ନ ସହାୟକ ମୂଲ୍ୟ ଜାରି ରହିବ,  ସରକାର ପୂର୍ବ ଭଳି ମଣ୍ଡି ମାଧ୍ୟମରେ ସେମାନଙ୍କ ସାମଗ୍ରୀ କିଣିବ । ମୁଁ ଏଠାରେ କୃଷକ ମାନଙ୍କର ସେବା ପାଇଁ ବସିଛି । କୃଷକ ମାନଙ୍କ ସେବା ପାଇଁ  ଯଥା ସମ୍ଭବ ପ୍ରୟାସ କରିବି  ଏବଂ ସେମାନଙ୍କର ଆଗାମୀ ପିଢୀ କିଭଳି ଏକ ମର୍ଯ୍ୟଦା ସମ୍ପର୍ଣ୍ଣ ଜୀବନ ଜିଇଁବେ ସେନେଇ ଚେଷ୍ଟା କରିବି ’ ।
ଏନେଇ ତୃତୀୟ ଥର ମଧ୍ୟ ଏକ ଟ୍ୱିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଟ୍ୱିଟରେ ସେ ଲେଖିଛନ୍ତି କି ‘ଆମର କୃଷିକ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ତୁରନ୍ତ ଆବଶ୍ୟକତା ରହିଛି । କାହିଁକି ନା ଏହାଦ୍ୱାରା କୃଷକ ମାନଙ୍କୁ ଅଧିକ ଶାରୀରିକ ପରିଶ୍ରମ କରିବାକୁ ପଡିବ ନାହିଁ । ଏହି ବିଲ ପାସ୍ ହେବା ଦ୍ୱାରା କୃଷିକ୍ଷେତ୍ରରେ ଅତ୍ୟନାଧୁନିକ ପ୍ରୟୁକ୍ତି ବିଦ୍ୟା ପହଂଚାଇବାକୁ ସହଜ ହେବ । ଯାହାଦ୍ୱାରା କୃଷକ ମାନଙ୍କର ଏକ ସୁନ୍ଦର ଭବିଷ୍ୟତ କଳ୍ପନା କରାଯାଇ ପାରିବ ।
ପ୍ରଧାନମନ୍ତ୍ରୀ ଏଭଳି ଟ୍ୱିଟ୍ କରି ବିଲକୁ ସମର୍ଥନ କରିବା ପରେ ବି ସଂସଦ ଠାରୁ ସଡକ ଯାଏ ଏହି ବିଲ୍ ବିରୋଧରେ ବିରୋଧୀ ଓ କୃଷକ ମାନେ ହଙ୍ଗାମା କରୁଥିବା ଦେଖାଦେଇଛି । ପ୍ରଥମେ ପଞ୍ଜାବରୁ ଆରମ୍ଭ ହୋଇଥିବା ବିରୋଧ ଏବେ ମହାରାଷ୍ଟ୍ର ଓ ହରିଆନାରେ ବି ଦେଖିବାକୁ ମିଳିଛି ।