ମେ ୩ ଯାଏଁ ବଢିଲା ତାଲାବନ୍ଦ ଅବଧି: ଦେଶରେ ଲକଡାଉନ୍ ଅବଧି ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣା; କହିଲେ, ଆମପାଇଁ ଦେଶର ଅର୍ଥନୀତିଠାରୁ ଲୋକଙ୍କ ଜୀବନ ଅଧିକ ମୂଲ୍ୟବାନ

339

କନକ ବ୍ୟୁରୋ: ଲକଡାଉନ ଯୋଗୁଁ ଆମକୁ ବହୁତ ବଡ ଲାଭ ମିଳିଛି…ଅନ୍ୟ ଦେଶ ତୁଳନାରେ ଆମ ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବହୁତ କମ୍ ରହିଛି… ହଁ ଦେଶରେ ଅର୍ଥନୈତିକ କ୍ଷତି ହୋଇଛି, କିନ୍ତୁ ଦେଶବାସୀଙ୍କ ଜୀବନ ତୁଳନାରେ ଏହି କ୍ଷତି କିଛି ନୁହେଁ । ଦେଶବାସୀଙ୍କୁ ଆଜି ସମ୍ବୋଦ୍ଧିତ କଲା ବେଳେ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କରୋନା ମହାମାରୀ ମହାସଂକଟକୁ ନଜରରେ ରଖି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଲକଡାଉନ କଟକଣାକୁ ପୁଣି ଥରେ ବଢାଇବାକୁ ଘୋଷଣା କରିଛନ୍ତି । ବର୍ତ୍ତମାନ ଦେଶରେ ମଇ ୩ ତାରିଖ ପର୍ଯ୍ୟନ୍ତ ଦେଶରେ ବଳବତର ରହିବ ତାଲାବନ୍ଦ କଟକଣା । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ୩ ମଇ ଯାଏଁ ଲୋକଙ୍କୁ ଲଡଡାଉନ ପାଳନ କରିବାକୁ ହେବ ଏବଂ ଅନୁଶାସନରେ ମଧ୍ୟ ରହିବାକୁ ପଡିବ । ଏଥି ସହିତ ପ୍ରଧାନମନ୍ତ୍ରୀ କହିଛନ୍ତି କି, ଆମକୁ ଆର୍ଥିକ କ୍ଷେତ୍ରରେ ଚ୍ୟାଲେଂଜ ମିଳିଛି କିନ୍ତୁ ଦେଶବାସୀଙ୍କ ଜୀବନଠାରୁ ଏହା ବେଶି ମୂଲ୍ୟବାନ ନୁହେଁ । ତେବେ ଲକଡାଉନ କାରଣରୁ ଦେଶରେ ସବୁ ପ୍ରକାରର ବ୍ୟବସାୟ ଠାପ୍ ହୋଇପଡିଛି ଆଉ ଏହାର ସବୁଠାରୁ ଅଧିକ ପ୍ରଭାବ ଉପରେ ପଡିଛି ଖଟିକିଆ ତଥା ଦିନ ମଜୁରିଆଙ୍କ ଉପରେ ।

ଦେଶବାସୀଙ୍କୁ ସଂବୋଧିତ କରିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସାମାଜିକ ଦୂରତ୍ୱ ଏବଂ ତାଲାବନ୍ଦ କଟକଣାର ବହୁତ ବଡ ଫାଇଦା ଦେଶକୁ ମିଳିଛି । ଯଦି କେବଳ ଆର୍ଥିକ ଦୃଷ୍ଟିକୋଣରୁ ଦେଖାଯାଏ ତେବେ ଏଥିପାଇଁ ଦେଶକୁ ବହୁତ ବଡ ବଳିଦାନ ଦେବାକୁ ପଡିଛି ହେଲେ ଲୋକଙ୍କ ଜୀବନ ଆଗରେ ଏହାର ମୂଲ୍ୟ କିଛି ନୁହେଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।