ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ଦେଶଭକ୍ତ କହି ବିବାଦ ସୃଷ୍ଟି କରିଥିବା ବିଜେପି ସାଂସଦ ପ୍ରାର୍ଥୀ ସ୍ୱାଧୀ ପ୍ରଜ୍ଞାଙ୍କ ଉପରେ ବିରକ୍ତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହାସହ କହିଛନ୍ତି, ସ୍ୱାଧୀଙ୍କୁ କେବେ ମନରୁ କ୍ଷମା ଦେଇପାରିବିନି ।
ବିଜେପି ଟ୍ୱିଟର ଆକାଉଣ୍ଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୟାନ ଜାରି କରାଯାଇଛି । ଯେଉଁଥିରେ ମୋଦି କହିଛନ୍ତି, ମହାତ୍ମା ଗାନ୍ଧୀ ଓ ନାଥୁରାମ ଗଡସେଙ୍କୁ ନେଇ ଯେଉଁ ବୟାନବାଜି ଚାଲିଛିତାହା ଅତ୍ୟନ୍ତ ଦୁଃଭାଗ୍ୟପୂର୍ଣ୍ଣ । ସଭ୍ୟ ସମାଜରେ ଏଭଳି କଥା ଆଦୌ ଗ୍ରହଣୀୟ ନୁହେଁ । ଏଭଳି ବୟାନ ଶୁଣି ଘୃଣା ଲାଗୁଛି । ଏଭଳି ବୟାନ ଦେଇ ବିବାଦ ସୃଷ୍ଟି କରିଥିବା ନେତା ନିଜ ତରଫରୁ କ୍ଷମା ପ୍ରାର୍ଥନା କରିଛନ୍ତି ସତ । କିନ୍ତୁ ଏହି ମାନଙ୍କୁ ମୁଁ କେବେ ମୋ ମନରୁ କ୍ଷମା କରିପାରିବିନି ବୋଲି କହିଛନ୍ତି ମୋଦି ।
गांधी जी या गोडसे के बारे में जो बयान दिए गए हैं वो बहुत ख़राब है और समाज के लिए बहुत गलत हैं।
ये अलग बात है की उन्होंने माफ़ी मांग ली, लेकिन मैं उन्हें मन से कभी माफ़ नहीं कर पाऊंगा: पीएम मोदी #DeshKaGauravModi
— BJP (@BJP4India) May 17, 2019
କେବଳ ମୋଦି ନୁହେଁ ବରଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ଏହି ମାମଲାକୁ ଗୁରୁତର ସହ ନେଇଛନ୍ତି । ଏଭଳି ବୟାନ ସହ ଦଳର କୌଣସି ସର୍ମ୍ପକ ନାହିଁ । ସ୍ୱାଧୀ ପ୍ରଜ୍ଞା, ଅନନ୍ତ ହେଗଡେ ଓ ଅନୀଲା ସୌମିତ୍ର ବ୍ୟକ୍ତିଗତ ଭାବେ ଏଭଳି ବୟାନ ଦେଇଛନ୍ତି । ବିଜେପିର ଗାରିମାକୁ ଦୃଷ୍ଟିରେ ରଖି ଏମାନଙ୍କ ବିବାଦୀୟ ବୟାନକୁ ଦଳର ଅନୁଶାସନ ସମିତିକୁ ପଠାଯିବ । ଅନୁଶାସନ ସମିତି ଏହାର ତର୍ଜମା କରି କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛନ୍ତି ଶାହ ।
ଏହାପୂର୍ବରୁ ବିଜେପି ପ୍ରାର୍ଥୀ ସ୍ୱାଧୀ ପ୍ରଜ୍ଞା ଠାକୁର ନିର୍ବାଚନ ସଭାରେ କହିଥିଲେ “ନାଥୁରାମ ଗୋଡସେ ଦେଶଭକ୍ତ ଥିଲେ, ଦେଶଭକ୍ତ ଅଛନ୍ତି ଓ ଦେଶଭକ୍ତ ରହିବେ ।” ଏହାଛଡା ନାଥୁରାମକୁ ଆତଙ୍କବାଦୀ କହୁଥିବା ଲୋକ ପ୍ରଥମେ ନିଜକୁ ଦେଖନ୍ତୁ । ଏମିତି ଲୋକଙ୍କୁ ଏହି ନିର୍ବାଚନରେ ଜବାବ ଦିଆଯିବ । କେବଳ ସ୍ୱାଧୀ ନୁହଁନ୍ତି ବିଜେପି ନେତା ଅନୀଲ ସୌମିତ୍ର ମହାତ୍ମା ଗାନ୍ଧୀଙ୍କୁ ପାକିସ୍ତାନର ଜାତିର ପିତା କହିବା ପରେ ବିବାଦ ବଢିଥିଲା । ଯେଉଁଥିପାଇଁ ଅନୀଲଙ୍କୁ ଦଳରୁ ସସପେଣ୍ଡ ମଧ୍ୟ କରାଯାଇଛି ।