ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ଖେଳିଲେ ମାଷ୍ଟରଷ୍ଟ୍ରୋକ୍! ଗରିବ ଉଚ୍ଚବର୍ଗଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଦେଲା ମଂଜୁରୀ, ଜାଣନ୍ତୁ କାହାକୁ ମିଳିବ ସଂରକ୍ଷଣ ?

372

କନକ ବ୍ୟୁରୋ : ନିର୍ବାଚନ ବର୍ଷରେ ମୋଦି ମାରିଛନ୍ତି ମାଷ୍ଟରଷ୍ଟ୍ରୋକ୍ । ଶିକ୍ଷା ଓ ଚାକିରି କ୍ଷେତ୍ରରେ ଉଚ୍ଚ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣକୁ ମୋଦି କ୍ୟାବିନେଟ୍ ମୋହର ମାରିଛି । ଆସନ୍ତାକାଲି ଶୀତ ଅଧିବେଶନର ଶେଷ ଦିନରେ ଏସମ୍ପର୍କିତ ବିଧେୟକ ସଂସଦରେ ଆସିପାରେ । ମୋଟ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି ନିୟମ ରହିଥିବାରୁ ସମ୍ବିଧାନ ସଂଶୋଧନ କରିବାକୁ ଚାହୁଁଛନ୍ତି ମୋଦି ସରକାର । ତେବେ ନିର୍ବାଚନକୁ ଦୃଷ୍ଟିରେ ରଖି ଉଚ୍ଚବର୍ଗର ମଧ୍ୟବିତଙ୍କୁ ନିଜ ଆଡକୁ ଆକର୍ଷିତ କରିବା ଲାଗି ସରକାର ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି ।

ଉଚ୍ଚ ବର୍ଗର ଆର୍ଥିକ ଅନଗ୍ରସରଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ କୋଟା ଦେବା ଲାଗି କେନ୍ଦ୍ର କ୍ୟାବିନେଟ୍ ମଂଜୁରି ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏପରି ବଡ଼ ନିଷ୍ପତି ନେଇଛି କେନ୍ଦ୍ର କ୍ୟାବିନେଟ୍ । ଏଥିପାଇଁ ସମ୍ବିଧାନ ସଂଶୋଧନ ବିଧେୟକ ଆଣିବା ଲାଗି ପ୍ରସ୍ତୁତ ହେଉଛନ୍ତି ମୋଦୀ ସରକାର । ଆସନ୍ତାକାଲି ଶୀତ ଅଧିବେଶନର ଶେଷ ଦିନରେ ସଂସଦରେ ଆସିପାରେ ବିଧେୟକ । କିଛି ମାସ ଭିତରେ ମୋଦି ସରକାରଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ନିର୍ବାଚନକୁ ଦୃଷ୍ଟିରେ ରଖି ଉଚ୍ଚବର୍ଗର ମଧ୍ୟବିତଙ୍କୁ ନିଜ ଆଡକୁ ଆକର୍ଷିତ କରିବା ଲାଗି ସରକାର ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି ।

କେଉଁମାନେ ଏହି ସଂରକ୍ଷଣ ପାଇବେ?
– ଯେଉଁମାନଙ୍କ ରୋଜଗାର ବାର୍ଷିକ ଆୟ ୮ ଲକ୍ଷ ଟଙ୍କାରୁ କମ୍ ହୋଇଥିବ
– ୫ ଏକର ଜମିରୁ କମ୍ ଚାଷ ଜମି ଥିବ
– ୧୦୦୦ ବର୍ଗଫୁଟରୁ କମ୍ ଆବାସିକ ଗୃହ ଥିବ
– ବିଜ୍ଞାପିତ ଅଂଚଳରେ ୧୦୦ ୟାର୍ଡରୁ କମ୍ ଘରବାଡ଼ି ପ୍ଲଟ
– ଅଣ-ବିଜ୍ଞାପିତ ଅଂଚଳରେ ୨୦୦ ୟାର୍ଡରୁ କମ୍ ଆବାସିକ ଜମି ରହିଥିବା ଜରୁରି

ମୋଟ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି ନିୟମ ରହିଥିବାରୁ ସମ୍ବିଧାନ ସଂଶୋଧନ କରିବାକୁ ଚାହୁଁଛନ୍ତି ମୋଦି ସରକାର । ସମ୍ବିଧାନର ଧାରା ୧୫ ଓ ୧୬ ଧାରାରେ ସଂଶୋଧନ ଆଣିବାକୁ ଯାଉଛନ୍ତି ସରକାର ।
ଧାରା ୧୫ – ଜାତି, ବର୍ଣ୍ଣ, ଧର୍ମ, ଲିଙ୍ଗ, ସ୍ଥାନ ନିର୍ବିଶେଷରେ କୌଣସି ନାଗରିକଙ୍କ ପ୍ରତି ଭେଦଭାବକୁ ନିଷେଧ
ଧାରା ୧୬ – ଶିକ୍ଷା ଓ ଚାକିରି କ୍ଷେତ୍ରରେ ସମସ୍ତ ନାଗରିକଙ୍କୁ ସମାନ ଅଧିକାର ପ୍ରଦାନ

ପଛୁଆ ବର୍ଗ ଓ ଦଳିତ ବର୍ଗ ବିଜେପି ଆଡୁ ମୁହଁ ଫେରାଇ ନେଉଥିବା ବେଳେ ଉଚ୍ଚ ଜାତିର ଭୋଟବ୍ୟାଙ୍କକୁ ଧ୍ରୁବିକରଣ କରିବା ପାଇଁ ଚାହୁଁଥିବା ଚର୍ଚ୍ଚା ହେଉଛି । ତେବେ ରାଜ୍ୟ ସଭାରେ ସଂଖ୍ୟା ନଥିବାରୁ ବିଧେୟକକୁ ଆଇନରେ ପରିଣତ କରିବା ସହଜ ହେବ ନାହିଁ ବୋଲି ଆକଳନ କରାଯାଉଛି । ଏବେ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ରହିଛି । ଏସଟି-ଏସସି ଓ ଅନ୍ୟାନ୍ୟ ସଂରକ୍ଷଣକୁ ମିଶାଇଲେ ଏହା ୫୦ ପ୍ରତିଶତକୁ ଟପିବ ନାହିଁ ବୋଲି ଆଇନ ରହିଛି । ସମ୍ବିଧାନ ସଂଶୋଧନ କରି ଏହାକୁ ୬୦ ପ୍ରତିଶତ ବଢାଇବାକୁ ଚାହୁଁଛନ୍ତି ମୋଦୀ ସରକାର ।