ଦିନେ ଡାକ୍ତର ସାଜି କରୁଥିଲେ ରୋଗୀ ସେବା । ଆଜି ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ପାଇଲେ ସ୍ଥାନ । ଜାଣନ୍ତୁ, ଏହି ନେତା କିଏ କିଏ?

336

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତ୍ରୀମଣ୍ଡଳ ଆଜି ସମ୍ପ୍ରସାରିତ ହୋଇଛି । ଯେଉଁଥିରେ ୪୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୋଦୀଙ୍କ ଏହି ନୂଆ ଟିମରେ ଆଜି ୪ ଜଣ ଡାକ୍ତର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।ପଶ୍ଚିମବଙ୍ଗର ବାଙ୍କୁରା ଆସନରୁ ଲୋକସଭାକୁ ଆସିଥିବା ସୁବାସ ସରକାର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି । ଆପଣ ଜାଣିନଥିବେ ଯେ, ସୁବାସ ସରକାର ପେଶାରେ ହେଉଛନ୍ତି ଜଣେ ଡାକ୍ତର । ଏମସ୍ କଲ୍ୟାଣୀରେ ସେ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଭାବେ କାମ କରିଛନ୍ତି ।

ରାଜ୍ୟସଭା ସାଂସଦ ଡାକ୍ତର ଭାଗବତ କ୍ରିଷ୍ଣାରାଓ କରାଡଙ୍କୁ ମଧ୍ୟ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି । ଭାଗବତ କ୍ରିଷ୍ଣାରାଓ କରାଡ ଜଣେ ଡାକ୍ତର ଭାବେ ଔରଙ୍ଗାବାଦରେ ଏକ ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଂଟର ଚଳାଉଛନ୍ତି । ସେହିପରି ଆଜି ମନ୍ତ୍ରୀ ଭାବେ ଶପଥ ନେଇଥିବା ମହାରାଷ୍ଟ୍ର ଡିଣ୍ଡୋରି ଲୋକସଭା ସାଂସଦ ଭାରତୀ ପରଭିନ ପାୱାର  ମଧ୍ୟ ପେଶାରେ ଜଣେ ଡାକ୍ତର । ରାଜନୀତିକୁ ଆସିବା ଆଗରୁ ସେ ଡାକ୍ତର ଭାବେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିଲେ । ଅନ୍ୟପଟେ ମନ୍ତ୍ରୀ ଭାବେ ଆଉ ଜଣେ ଡାକ୍ତର ଆଜି ଶପଥ ନେଇଛନ୍ତି , ସେ ହେଉଛନ୍ତି ଗୁଜୁରାଟ ସୁରେନ୍ଦ୍ର ନଗର ଲୋକସଭା ସାଂସଦ ମୁଞ୍ଜାପରା ମହେନ୍ଦ୍ର ଭାଇ । ଗୁଜୁରାଟ ୟୁନିର୍ଭସିଟିରେ ସେ ଜେନେରାଲ ମେଡିସିନର ଏମଡି ଭାବେ ସେବା ଯୋଗାଇ ଆସିଛନ୍ତି ।