ମୋଦୀଙ୍କ ଶପଥ, ନେତାଙ୍କୁ ଯାଉଛି ଫୋନ୍ କଲ୍ । ଏହି ସବୁ ନେତାଙ୍କୁ ଯାଇସାରିଲାଣି ଫୋନ୍ କଲ୍ । ଦେଖନ୍ତୁ, କିଏ କିଏ ଏହି ନେତା…

1,700

କନକ ବ୍ୟୁରୋ: ଆଜି ଶପଥ ନେବେ ମୋଦୀ । ଆଉ ଏହା ପୂର୍ବରୁ ସମ୍ଭାବ୍ୟ ମନ୍ତ୍ରୀମଣ୍ଡଳକୁ ନେଇ ଚର୍ଚ୍ଚା ବଢିଛି । ଖାସ୍ କରି ଆଜି ମୋଦୀଙ୍କ ସହ ଅନ୍ୟ କେଉଁ କେଉଁ ନେତା ମନ୍ତ୍ରୀ ଭାବେ ଶପଥ ନେବେ ତାକୁ ନେଇ ଚର୍ଚ୍ଚା ଆଲୋଚନା ବଢିଛି । ବର୍ତ୍ତମାନ ପିଏମଓରୁ ଜଣକ ପରେ ଜଣେ ନେତାଙ୍କୁ ଫୋନ୍ ଯାଉଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବର୍ତ୍ତମାନ ସୁଦ୍ଧା ବିଜେପି ନେତା ପିୟୁଷ ଗୋଏଲ, ରାଜନାଥ ସିଂହ, ନୀତିନ ଗଡକରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଫୋନ୍ ଯାଇଛି । ଏହାସହ ଜେଡିଏସ୍ ନେତା କୁମାରସ୍ୱାମୀ, ହାମ୍ ନେତା ଜିତନ ରାମ ମାଞ୍ଝୀ, ଆରଏଲଡି ନେତା ଜୟନ୍ତ ଚୌଧୁରୀ, ଏଲଜେପି(ଆର୍) ନେତା ଚିରାଗ ପାଶୱାନ୍, ଜେଡିୟୁ ନେତା ରାମନାଥ ଠାକୁର ଏବଂ ଅପନା ଦଳ ନେତ୍ରୀ ଅନୁପ୍ରିୟା ପଟେଲଙ୍କ ପାଖକୁ ଫୋନ୍ ଯାଇଛି । ଏହି ସବୁ ନେତା ଆଜି ମୋଦୀଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ।

ସୂଚନାଯୋଗ୍ୟ ଯେ, ଏଲଜେପି (ଆର୍) ନେତା ଚିରାଗ ପାଶୱାନଙ୍କ ଦଳ ଏଥର ୫ଟି ଆସନରୁ ନିର୍ବାଚନ ଲଢି ୫ଟି ଆସନରେ ବିଜୟ ଲାଭ କରିଛି । ଚିରାଗ ନିଜେ ହାଜିପୁର ଆସନରୁ ସାଂସଦ ଭାବେ ନିର୍ବାଚିତ ହେଇଛନ୍ତି । ଏଥିସହ ବିଜେପି ନେତା ନୀତିନ ଗଡକରି ମଧ୍ୟ ନାଗପୁରରୁ ଜିତି ସାଂସଦ ଭାବେ ନିର୍ବାଚିତ ହେଇଛନ୍ତି । ସେପଟେ ଜେଡିୟୁ ନେତା ରାମନାଥ ଠାକୁର ବର୍ତ୍ତମାନ ରାଜ୍ୟସଭା ସାଂସଦ ଅଛନ୍ତି । ତେଣୁ ଏହି ନେତା ସବୁ ମୋଦୀ କ୍ୟାବିନେଟରେ ସାମିଲ ହେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସେପଟେ ଅନୁପ୍ରିୟା ପଟେଲଙ୍କ ଅପନା ଦଳ ଏଥର ଦୁଇଟି ଆସନରୁ ନିର୍ବାଚନ ଲଢିଥିଲା । ଯେଉଁଥିରୁ କେବଳ ଗୋଟିଏ ସିଟରେ ହିଁ ସେ ବିଜୟ ଲାଭ କରିପାରିଛନ୍ତି । ନିଜେ ଅନୁପ୍ରିୟା ପଟେଲ ଏହି ବିଜୟ ଲାଭ କରିଛନ୍ତି । ତାଙ୍କ ଭଳି ଜିତନରାମ ମାଞ୍ଝୀଙ୍କ ହାମ୍ ଦଳ ମଧ୍ୟ ଗୋଟିଏ ସିଟ୍ ଜିତିଥିବାବେଳେ, ଗୋଟିଏ ସିଟରେ ପରାଜୟ ଭୋଗିଛି । ସେପଟେ ଜୟନ୍ତ ଚୌଧୁରୀଙ୍କ ପାର୍ଟି ଦୁଇଟି ସିଟରେ ବିଜୟ ଲାଭ କରିଛି । ଆଉ ଜୟନ୍ତ ନିଜେ ଏବେ ରାଜ୍ୟସଭା ସାଂସଦ ଅଛନ୍ତି । ମିଳିଥିବା ସୂଚନା ମୁତାବକ, ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ ସମାରୋହ ପୂର୍ବରୁ ନୂଆ ମନ୍ତ୍ରୀଙ୍କୁ ଭେଟିପାରନ୍ତି । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ ହେବାକୁ ଅଛି ।