ଏବେ ସପିଙ୍ଗ୍ ମଲ୍ ଏବଂ ରିଟେଲ୍ ସପ୍ ରେ ମିଳିପାରେ ପେଟ୍ରୋଲ୍ – ଡିଜେଲ୍ ! ମୋଦି ସରକାର ନେଇପାରନ୍ତି ବଡ଼ ନିଷ୍ପତ୍ତି ।

212

ବୁଧବାର ହେବାକୁ ଥିବା କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକରେ ମୋଦି ସରକାର ଅନେକ ବଡ଼ ନିଷ୍ପତ୍ତି ନେଇପାରନ୍ତି । ଏଥିରେ ପେଟ୍ରୋଲ୍ ପମ୍ପକୁ ନେଇ ନିଷ୍ପତ୍ତି ନିଆଯିବ ବୋଲି ଶୁଣିବାକୁ ମିଳୁଛି । ସୂତ୍ର ମୁତାବକ , କେନ୍ଦ୍ର ସରକାର ବଡ଼ ବଡ଼ ସପିଙ୍ଗ୍ ମଲ୍ ଏବଂ ରିଟେଲ୍ ସପ୍ ରେ ପେଟ୍ରୋଲ୍ ଏବଂ ଡିଜେଲ୍ ବିକ୍ରି କରିବାକୁ ମଞ୍ଜୁରୀ ଦେଇପାରନ୍ତି ।

ସୂତ୍ର ମୁତାବକ , କେନ୍ଦ୍ର ସରକାର ୨୦୦୦ କୋଟି ଟଙ୍କାର ନିବେଶ ବଦଳରେ ଏବେ ୨୦୦ କୋଟି ଟଙ୍କାର ନେଟୱର୍ଥ କମ୍ପାନୀର ପେଟ୍ରୋଲ୍ ପମ୍ପ ଖୋଲିବା ପାଇଁ ମଞ୍ଜୁରୀ ଦେଇପାରନ୍ତି । ଏହାସହ ପେଟ୍ରୋଲ୍ ପମ୍ପ ଖୋଲିବାକୁ ନେଇ ଜଡିତ ହୋଇଥିବା ଅନ୍ୟ ନିୟମରେ ମଧ୍ୟ ପରିବର୍ତ୍ତନ ଆଣିପାରନ୍ତି । ଏହାସହ ଏବେ ଯଦି କୌଣସି କମ୍ପାନୀ ପେଟ୍ରୋଲିୟମ୍ ସେକ୍ଟରରେ ବ୍ୟବସାୟ କରୁନାହିଁ ତେବେ ତାକୁ ମଧ୍ୟ ଲାଇସେନ୍ସ ମିଳିପାରେ । ପେଟ୍ରୋଲିୟମ୍ ମନ୍ତ୍ରାଳୟ ଗତବର୍ଷ ଅକ୍ଟୋବର ମାସରେ ଫୁଏଲ୍ ରିଟେଲ୍ ସହ ଜଡିତ ଥିବା ନିୟମକୁ ପରିବର୍ତ୍ତନ କରିବାକୁ ନେଇ ଏକ କମିଟିର ଗଠନ କରିଥିଲେ । ଏହାଛଡା ମୋଦି ସରକାର ଚାଷୀଙ୍କ ପାଇଁ ମଧ୍ୟ ଦୀପାବଳି ଭେଟି ଦେଇପାରନ୍ତି । ରବି ଫସଲ ଆରମ୍ଭ ହେବା ପୂର୍ବରୁ ସରକାର ପ୍ରମୁଖ ଫସଲର ନ୍ୟୁନତମ ସମର୍ଥନ ମୂଲ୍ୟ ବଢାଇପାରନ୍ତି ।