ରାସନ କାର୍ଡ ଧାରକଙ୍କ ପାଇଁ ଖୁସି ଖବର, ଜାଣନ୍ତୁ ମାଗଣା ରାସନ ଯୋଜନା ନେଇ କଣ ଘୋଷଣା କଲେ ପ୍ରଧାନମନ୍ତ୍ରୀ

2,506

କନକ ବ୍ୟୁରୋ : ରାସନ କାର୍ଡ ଧାରକଙ୍କ ପାଇଁ ଖୁସି ଖବର ଆଣିଲେ କେନ୍ଦ୍ର ସରକାର । ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଗାମୀ ୩ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ନେଇ ନିଷ୍ପତ୍ତି ହୋଇଛି । ଏବେ ଏହି ଯୋଜନା ଅଧିନରେ ଲାଭାର୍ଥୀଙ୍କୁ ଡିସେମ୍ବର ମାସ ପର୍ଯ୍ୟନ୍ତ ସରକାର ମାଗଣା ରାସନ ଯୋଗାଇ ଦେବେ ।

କେନ୍ଦ୍ର ସରକାର କୋଭିଡ କାଳରେ ୨୦୨୦ ମସିହାରେ ଏହି ଯୋଜନାର ଆରମ୍ଭ କରିଥିଲେ । ଏହାପରେ ମାର୍ଚ୍ଚ ୨୦୨୨ ରେ ଏହି ଯୋଜନାର ଅବଧି ପୁଣି ୬ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା  । ଏବେ ପୁଣିଥରେ ସରକାର ଏହି ମାଗଣା ରାସନ ବଣ୍ଟନକୁ ପୁଣି ୩ ମାସ ବୃଦ୍ଧି କରିଛନ୍ତି ।

ସରକାରଙ୍କ ଦ୍ୱାରା ଏହାର ଘୋଷଣା ପରେ ଏବେ ସିଧାସଳଖ ଦେଶର ୮୦ କୋଟି ରାସନକାର୍ଡଧାରୀ ଏହାର ଲାଭ ପାଇବେ । କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ଏହି ଯୋଜନାରେ ୩.୪୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିସାରିଛନ୍ତି । ଏହି ଯୋଜନାରେ ରାସନକାର୍ଡଧାରୀଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ମାସିକ ବ୍ୟକ୍ତି ପ୍ରତି ୫ କିଲୋ ରାସନ ମାଗଣାରେ ଯୋଗାଇ ଦେଇଥାନ୍ତି ।

କେବଳ ସେତିକି ନୁହେଁ ଏହି ବୈଠକରେ କେନ୍ଦ୍ର ସରକାର ଆଉଏକ ବଡ ଘୋଷଣା ମଧ୍ୟ କରିଛନ୍ତି । ଚଳିତ ପୂଜାରେ ରେଳ ବିଭାଗର କର୍ମଚାରୀଙ୍କ ବୋନଓ ଆକାରରେ ୭୮ ଦିନର ଅଧିକ ଦରମା ମିଳିବ ବୋଲି କୁହାଯାଇଛି । ଏହାଦ୍ୱାରା ଦେଶର ୧୧ ଲକ୍ଷ ରେଳ କର୍ମଚାରୀ ଉପକୃତ ହେବେ ।