ମୋଦିଙ୍କ ମନ୍ତ୍ରୀମଣ୍ଡଳରୁ ବିଦା ହେଲେ ବଡ ଚେହେରା ! ହର୍ଷବର୍ଦ୍ଧନ, ବାବୁଲ ସୁପ୍ରିୟୋ, ପ୍ରତାପ ଷଡଙ୍ଗୀ, ସଦାନନ୍ଦ ଗୌଡ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିବା ସୂଚନା । 

327

କନକ ବ୍ୟୁରୋ : ସଂଧ୍ୟା ୬ଟାରେ ମୋଦିଙ୍କ ନୂଆ ମନ୍ତ୍ରୀମଣ୍ଡଳ ଶପଥ ନେବା ପୂର୍ବରୁ ବଡ ଧରଣର ହଲଚଲ ହୋଇଛି । ଏକାଧିକ ମନ୍ତ୍ରୀ କ୍ୟାବିନେଟ ପଦରୁ ଇସ୍ତଫା ଦେଇଛନ୍ତି । ଏହାର ଭିତରେ ସବୁଠୁ ଚକିତ କଲା ଭଳି ନାଁ ରହିଛି ଡକ୍ଟର ହର୍ଷବର୍ଦ୍ଧନଙ୍କର । ସେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । କରୋନା ମହାମାରୀର ଦୁଇଟି ଲହରକୁ ମୁକାବିଲା କରିବାରେ ମୋଦି ସରକାର ବିଫଳ ହୋଇଥିବା ଅଭିଯୋଗ ଭିତରେ ହର୍ଷବର୍ଦ୍ଧନଙ୍କ ଇସ୍ତଫା ସବୁଠୁ ଚର୍ଚ୍ଚାର ବିଷୟ ରହିଛି । ସେପଟେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଇସ୍ତଫା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ର ରମେଶ ପୋଖରିଆଲ ନିଶଙ୍କ । ସେହିପର ଇସ୍ତଫା ଦେଇଛନ୍ତି ଶିକ୍ଷାରାଷ୍ଟ୍ରମନ୍ତ୍ରୀ ସଂଜୟ ଧୋତ୍ରେ । ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଏବଂ ସାର ଓ ରସାୟନ ମନ୍ତ୍ରୀ ସଦାନନ୍ଦ ଗୌଡ ମଧ୍ୟ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

ପଶ୍ଚିମବଙ୍ଗର ବିଜେପି ନେତ୍ରୀ ଦେବୋଶ୍ରୀ ଚୌଧୁରୀ ଇସ୍ତଫା ଦେଇଥିବା ବେଳେ ଓଡିଶାରୁ କେନ୍ଦ୍ରମନ୍ତ୍ରୀ ଥିବା ପ୍ରତାପ ଷଡଙ୍ଗୀ ଇସ୍ତଫା ଦେଇଛନ୍ତି । କେନ୍ଦ୍ରରେ ମୋଦିଙ୍କ ସରକାରଙ୍କ ୨ୟ ପାଳିରେ ପ୍ରତାପ ଷଡଙ୍ଗୀଙ୍କୁ ମିଳିଥିଲା ଏମଏସଏମଇ ଓ ପଶୁପାଳନ ରାଷ୍ଟ୍ରମନ୍ତ୍ରୀ ପାହ୍ୟା । ଜଙ୍ଗଲ ଓ ପରିବେଶ ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଓ ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ରତନ ଲାଲ କଟାରିଆ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପଶ୍ଚିମବଙ୍ଗ ନିର୍ବାଚନରେ ବାବୁଲଙ୍କ ପରାଜୟ ପରେ ତାଙ୍କ ଉପରେ ଦଳ ଏତେଟା ଖୁସ୍ ନଥିଲା । ଯେଉଁଥିପାଇଁ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ଆଉଟ କରାଯାଇଛି ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ଦେବୋଶ୍ରୀ ଚୌଧୁରୀଙ୍କୁ ପଶ୍ଚିମବଙ୍ଗରେ ଦଳର ସଙ୍ଗଠନକୁ ସୁଦୃଢ କରିବାକୁ ଗୁରୁଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

Comments are closed.