କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣରେ ଚିରାଗଙ୍କୁ ଝଟକା । କକା ପଶୁପତି ପାରସ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ପରେ ଚିରାଗ କହିଲେ ଏମିତି କଥା

293

କନକ ବ୍ୟୁରୋ : କେବେ ନିଜକୁ ପ୍ରଧାନମନ୍ତ୍ରୀଙ୍କ ହନୁମାନ କହୁଥିବା ଏଲଜେପି ନେତା ଚିରାଗ ପାସୱାନଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ପରେ ଝଟକା ଲାଗିଛି । ତାଙ୍କୁ ଛାଡି ତାଙ୍କ କକା ପଶୁପତି କୁମାର ପାରସଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି । ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଚିରାଗ । ସେ ଟ୍ୱିଟ୍ କରି କହିଛନ୍ତି କି ପଶୁପତି ପାରସଙ୍କୁ ପ୍ରଥମେ ଦଳରୁ ବହିଷ୍କୃତ କରାଯାଇଥିବା ବେଳେ ତାଙ୍କୁ କେମିତି ମନ୍ତ୍ରୀମଣ୍ଡଳରେ ସାମିଲ କରାଗଲା ।

ସେ ତାଙ୍କ ଟ୍ୱିଟରେ କହିଛନ୍ତି କି ପ୍ରଧାନମନ୍ତ୍ରୀଙ୍କ ନିକଟରେ ପୂର୍ଣ୍ଣ କ୍ଷମତା ରହିଛି କି, ସେ କହାକୁ ମନ୍ତ୍ରୀମଣ୍ଡଳରେ ସାମିଲ କରିବେ ଓ କାହାକୁ କରିବେ ନାହିଁ । ହେଲେ ଏଲ.ଜେ.ପି ପ୍ରସଙ୍ଗରେ ଯିଏ ଦଳର ସଦସ୍ୟ ନୁହେଁ ତାଙ୍କୁ କିଭଳି ଭାବେ ମନ୍ତ୍ରୀମଣ୍ଡଳରେ ସାମିଲ କରାଗଲା । ଏହା ସହ ଚିରାଗ କହିଛନ୍ତି କି ପଶୁପତି ପାରସ ଦଳରୁ ବହିଷ୍କୃତ ହୋଇଥିବା ସାଂସଦଙ୍କ ମଧ୍ୟରୁ ଜଣେ । ଏନେଇ ଲୋକସଭା ବାଚସ୍ପତ୍ତି ତାଙ୍କୁ ସଂସଦରେ ଲୋକ ଜନଶକ୍ତିର ନେତା ଭାବେ ଗ୍ରହଣ କରିବା ନିଷ୍ପତ୍ତି ଉପରେ ଆଜି ଦିଲ୍ଲୀ ହାଇକୋର୍ଟରେ ମାମଲା ଦାୟର ହୋଇଛି ।

କହିରଖୁ କି ଏଲଜେପି ମୁଖ୍ୟ ରାମ ବିଳାଶ ପାସୱାନଙ୍କ ମୃତ୍ୟୁପରେ ସଂସଦରେ ପଶୁପତି ପାରସଙ୍କୁ ଏଲଜେପି ନେତା ଭାବେ ଦଳ ନିଯୁକ୍ତ କରିଥିଲା । ହେଲେ କିଛି ରାଜନୈତିକ ଘଟଣା କ୍ରମେ ତାଙ୍କୁ ଦଳର ସଂସଦୀୟ ନେତା ପଦରୁ ହଟାଇବାକୁ ଚିରାଗ ପାସୱାନ ଲୋକସଭା ବାଚଷ୍ପତ୍ତିଙ୍କ ନିକଟରେ ଆବେଦନ କରିଥିଲେ ।