ଖାଦ୍ୟ ସଂରକ୍ଷଣ ଯୋଜନାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ, ଏବେ ପ୍ରତି ବ୍ଲକରେ ନିର୍ମାଣ ହେବ ଗୋଦାମ

146

କନକ ବ୍ୟୁରୋ : ମେ’୩୧ ତାରିଖରେ ବସିଥିବା କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଖାଦ୍ୟ ସଂରକ୍ଷଣ ଯୋଜନାକୁ ମଞ୍ଜୁରୀ ମିଳିଛି । ଏହି ଯୋଜନାରେ କେନ୍ଦ୍ର ସରକାର ୧ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି କି କ୍ୟାବିନେଟ ବୈଠକରେ ବିଶ୍ୱର ସବୁଠାରୁ ବଡ ଖାଦ୍ୟ ସଂରକ୍ଷଣ ଯୋଜନାକୁ ଅନୁମୋଦନ ମିଳିଛି ।

ଅନୁରାଗ ଠାକୁର କହିଛନ୍ତି କି, ଏବେ ଦେଶରେ ୧୪୫୦ ଲକ୍ଷ ଟନ୍ ଖାଦ୍ୟ ସଂରକ୍ଷଣ କ୍ଷମତା ରହିଛି । ଏବେ ଏହାକୁ ଆଉ ୭୦୦ ଲକ୍ଷ ଟନ୍ ବୃଦ୍ଧି କରାଯିବା ନେଇ ନିଷ୍ପତ୍ତି ହୋଇଛି । ଏହା ପରେ ମୋଟ ୨୧୫୦ ଲକ୍ଷ ଟନ୍ ଖାଦ୍ୟ ସଂରକ୍ଷଣ କ୍ଷମତା ରହିବ । ଏନେଇ ଆନୁମାନିକ ୧ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଏଥିରେ ପ୍ରତି ବ୍ଲକରେ ୨୦୦୦ଟନ୍ ଖାଦ୍ୟ ସଂରକ୍ଷଣ କରାଯିବା ଭଳି ଗୋଦାମ ନିର୍ମାଣ ହେବ ବୋଲି ଅନୁରାଗ ଠାକୁର କହିଛନ୍ତି ।

ଅନୁରାଗ ଠାକୁର କହିଛନ୍ତି କି ସାରା ବିଶ୍ୱରେ ଖାଦ୍ୟ ଉତ୍ପାଦନରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଅର୍ନ୍ତରାଷ୍ଟ୍ରୀୟ ସ୍ତରରେ ସବୁ ବଡ ବଡ ଖାଦ୍ୟ ଉତ୍ପାଦକ ଦେଶ, ଯେଭଳି ଚୀନ, ଆମେରିକା, ବ୍ରାଜିଲ, ଋଷ, ଆର୍ଜେଣ୍ଟିନା ଭଳି ଦେଶରେ ସେମାନଙ୍କର ବାର୍ଷିକ ଉତ୍ପାଦନ ଠାରୁ ଅଧିକ ସଂରକ୍ଷଣ କ୍ଷମତା ରହିଛି । ହେଲେ ଭାରତରେ ଏବେ ବାର୍ଷିକ ଉତ୍ପାଦନ କ୍ଷମତାର ମାତ୍ର ୪୭ ପ୍ରତି ଖାଦ୍ୟ ଶଷ୍ୟ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି । ଫଳରେ ଅନେକ ସମୟରେ ଖାଦ୍ୟ ଶଷ୍ୟ ସଂରକ୍ଷଣ ଅଭାବରୁ ନଷ୍ଟ ହେଉଛି ଓ କୃଷକମାନଙ୍କୁ ଶସ୍ତା ମୂଲ୍ୟରେ ସେଗୁଡିକୁ ବିକ୍ରି କରିବାକୁ ପଡୁଛି ।