ଟ୍ରିପଲ ତଲାକ ବିଲକୁ ମୋଦି ସରକାରଙ୍କ ଗ୍ରୀନ୍ ସିଗନାଲ । ଆଗାମୀ ସଂସଦ ଅଧିବେଶନରେ ଉପସ୍ଥାପିତ ହେବ ବିଲ୍ ।

112

କନକ ବ୍ୟୁରୋ: ଟ୍ରିପଲ ତଲାକକୁ ନିଷେଧ କରି ମୁସଲିମ୍ ମହିଳାଙ୍କ ଅଧିକାର ସୁରକ୍ଷା ପ୍ରୟାସ । ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ମୁସଲିମ ମହିଳା (ବିବାହ ଅଧିକାର ସୁରକ୍ଷା) ବିଲ, ୨୦୧୯କୁ ଅନୁମୋଦନ କରିଛନ୍ତି । ଏହି ବିଲ ପୂର୍ବରୁ ଆଗତ ମୁସଲିମ ମହିଳା (ବିବାହ ଅଧିକାର ସୁରକ୍ଷା) ଦ୍ୱିତୀୟ ଅଧ୍ୟାଦେଶ, ୨୦୧୯ (୨୦୧୯ର ଆଦେଶନାମା ୪)ର ସ୍ଥାନ ନେବ ।

ପ୍ରଭାବ :
ଏହି ବିଲ ମୁସଲିମ ମହିଳାଙ୍କ ପାଇଁ ଲିଙ୍ଗଗତ ସମାନତା ଏବଂ ଲିଙ୍ଗଗତ ନ୍ୟାୟ ସୁନିଶ୍ଚିତ କରିବ । ଏହି ବିଲ ମଧ୍ୟ ବିବାହିତ ମୁସଲିମ ମହିଳାଙ୍କ ଅଧିକାରକୁ ସୁରକ୍ଷା ଦେବାରେ ସହାୟକ ହେବା ସହିତ ସେମାନଙ୍କ ପତିଙ୍କ ଦ୍ୱାରା “ତଲାକ ଇ ବିଦ୍ଦାତ’ ଜରିଆରେ ଦିଆଯାଉଥିବା ଛାଡ଼ପତ୍ରକୁ ନିଷିଦ୍ଧ କରିବ ।

ପରିଣାମ :
ଏହି ବିଲରେ ଟ୍ରିପଲ ତଲାକର ପ୍ରଚଳନକୁ ଅବୈଧ ଏବଂ ବେଆଇନ ଘୋଷଣା କରିବାର ବ୍ୟବସ୍ଥା ରହିଛି । ଏହାର ଉଲ୍ଲଙ୍ଘନ ହେଲେ ତିନି ବର୍ଷର ଦଣ୍ଡବିଧାନ ଏବଂ ଜରିମାନାର ବ୍ୟବସ୍ଥା ରହିଛି । ଏହାଛଡ଼ା ବିବାହିତ ମୁସଲିମ ମହିଳା ଏବଂ ତାଙ୍କ ଉପରେ ନିର୍ଭରଶୀଳ ପିଲାଙ୍କୁ ଆର୍ଥିକ ଭରଣପୋଷଣ ଦେବାର ବ୍ୟବସ୍ଥା ରହିଛି । ଅପରାଧ କ୍ଷେତ୍ରରେ ପୋଲିସ ହସ୍ତକ୍ଷେପର ବ୍ୟବସ୍ଥା ସହ ଅପରାଧ ଘଟିବା କ୍ଷେତ୍ରରେ ପୀଡ଼ିତା ମୁସଲିମ ମହିଳା କିମ୍ବା ତାଙ୍କ ସହ ରକ୍ତ ସମ୍ପର୍କ ଦାୟିତ୍ୱରେ ଥିବା ପୋଲିସ ଅଧିକାରୀଙ୍କୁ ସୂଚିତ କଲେ ପୋଲିସ ନିଜ ଆଡ଼ୁ ମାମଲା ରୁଜୁ କରିପାରିବ ।

ଏହାଛଡ଼ା ଟ୍ରିପଲ ତଲାକ ପାଇଥିବା ବିବାହିତା ମୁସଲିମ ମହିଳାଙ୍କ ସମ୍ମୁଖରେ ଅଭିଯୁକ୍ତର ଜାମିନ ଆବେଦନ ବିଚାରପତି ଶୁଣାଣି କରିବାର ବ୍ୟବସ୍ଥା ମଧ୍ୟ ବିଲରେ ରହିଛି । ମୁସଲିମ ମହିଳା (ବିବାହ ଅଧିକାର ସୁରକ୍ଷା) ବିଲ, ୨୦୧୯ ପୂର୍ବରୁ ଆଗତ ମୁସଲିମ ମହିଳା (ବିବାହ ଅଧିକାର ସୁରକ୍ଷା) ଦ୍ୱିତୀୟ ଅଧ୍ୟାଦେଶ ଧାରାରେ ପ୍ରସ୍ତୁତ କରାଯାଇଛି ।