ମୋଦୀ-ବାଇଡେନଙ୍କ ଦ୍ୱିପାକ୍ଷିକ ଆଲୋଚନା: ସୀମା ପାର ଆତଙ୍କବାଦକୁ ଦୁଇ ନେତାଙ୍କ ଘୋର ନିନ୍ଦା

89

କନକ ବ୍ୟୁରୋ: ୩ ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସାକ୍ଷାତ କରିଛନ୍ତି । ହ୍ୱାଇଟ ହାଉସରେ ଦୁଇ ନେତାଙ୍କ ଭିତରେ ଦ୍ୱିପାକ୍ଷୀକ ଆଲୋଚନା ହୋଇଛି । ଗତ ଜାନୁଆରୀରେ ବାଇଡେନ ଆମେରିକା ରାଷ୍ଟ୍ରପତି ହେବାପରେ ଏହା ଦୁଇ ନେତାଙ୍କ ଭିତରେ ପ୍ରଥମ ସାକ୍ଷାତ । ବାଇଡେନଙ୍କ ସହ ଆଲୋଚନାବେଳେ ମୋଦୀ କହିଛନ୍ତି- ପ୍ରତିଭା ଓ ଲୋକ ସଂପର୍କ ଆଧାରରେ ଏହି ଦଶନ୍ଧି ରୂପ ନେବ । ଆମେରିକାର ବିକାଶରେ ଭାରତୀୟମାନଙ୍କ ଯୋଗଦାନ ରହିଛି ।

ଚଳିତ ଶତାବ୍ଦିର ତୃତୀୟ ଦଶକରେ ସାକ୍ଷାତ ହେଉଥିବାରୁ ଏହି ଦ୍ୱିପାକ୍ଷୀକ ଆଲୋଚନା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମୋଦୀ କହିଛନ୍ତି । ତେଣୁ ଏହି ଦଶନ୍ଧି କିଭଳି ଆକାର ନେବ, ସେଥିରେ ବାଇଡେନଙ୍କ ନେତୃତ୍ୱ ଅଧିକ ଗୁରୁତ୍ୱ ବହନ କରୁଛି । ବାଇଡେନ ମଧ୍ୟ ବେଶ ଉତ୍ସାହର ସହ ମୋଦୀଙ୍କୁ ସ୍ୱାଗତ କରିଛନ୍ତି । ୨୦୦୬ରୁ ବାଇଡେନ୍ କହିସାରିଥିଲେ ଯେ, ୨୦୨୧ ବେଳକୁ ଭାରତ ଓ ଆମେରିକା ମଧ୍ୟରେ ସଂପର୍କ ଆହୁରି ନିବିଡ ହୋଇଥିବ ।

କୋଭିଡ ନିୟନ୍ତ୍ରଣ, ବିଶ୍ୱ ଜଳବାୟୁ ପରିବର୍ତନ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସୁରକ୍ଷା ପାଇଁ ଏକାଠି ମିଶି କାମ କରିବା ଉପରେ ଜୋର ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିବା, ବିବିଧତା ପ୍ରତି ସମ୍ମାନ ଏବଂ ଅହିଂସା ଓ ସହନଶୀଳତା ବର୍ତମାନ ସମୟର ଆବଶ୍ୟକତା ବୋଲି କହିଛନ୍ତି ଜୋ ବାଇଡେନ ।

ହ୍ୱାଇଟ୍ ହାଉସରେ କ୍ୱାଡ୍ ବୈଠକ
– ଆମେରିକା ଗସ୍ତରେ ଥିବା ମୋଦୀ କ୍ୱାଡ୍ ରାଷ୍ଟ୍ରଙ୍କ ସମ୍ମିଳନୀରେ ଯୋଗ ଦେଇଛନ୍ତି
– ଆମେରକା ରାଷ୍ଟ୍ରପତିଙ୍କ ସହ ଅଷ୍ଟ୍ରେଲିଆ ଓ ଜାପାନ ପ୍ରଧାନମନ୍ତ୍ରୀ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି
– ୨୦୦୪ ସୁନାମି ପରେ ଆମେରିକା, ଅଷ୍ଟ୍ରେଲିଆ, ଜାପାନ ଓ ଭାରତ କ୍ୱାଡ୍ ରାଷ୍ଟ୍ରଙ୍କ ଏହା ପ୍ରଥମ ବୈଠକ
– ବୈଠକରେ ମହାକାଶ ଗବେଷଣା ପାଇଁ ଏକ କାର୍ଯ୍ୟକାରୀ କମିଟି ଗଠନ ହୋଇଛି
– କୋଭିଡ୍ ଟିକା ଯୋଗାଣ ନେଇ କ୍ୱାଡ୍ ରାଷ୍ଟ୍ରଙ୍କ ମଧ୍ୟରେ ହୋଇଛି କୂଟନୈତିକ ସହମତି
– କରୋନା, ଜଳବାୟୁ ପରିବର୍ତନ ଓ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସୁରକ୍ଷା ନେଇ ଚର୍ଚ୍ଚା ହୋଇଛି