ବିହାରରେ ବଡ ଭାଇ ବନିବ ବିଜେପି…ନୀତିଶଙ୍କ ତୁଳନାରେ ଭଲ ସ୍ଥିିତିରେ ମୋଦୀ ସେନା

263

କନକ ବ୍ୟୁରୋ: ବିହାର ବୁଥ ବାହୁଡ଼ା ମତ ଯାହାଥିଲା, ଫଳାଫଳ ସେପରି ଆସିନାହିଁ । ବୁଥ ବାହୁଡ଼ା ମତ ଅନୁସାରେ ଆରଜେଡି ନେତୃତ୍ୱରେ ମହାଗଠବନ୍ଧନ ବହୁମତ ପାଇଁ ସରକାର ଗଢ଼ିବା କଥା । ହେଲେ ଯେଉଁ ପରିଣାମ ଆସୁଛି, ତାହା ଚକିତ କଲାଭଳି । ଏନଡିଏ ଆଗରେ ରହିଛି । ତେବେ କିଛି ଆସନରେ ଦୁଇ ପକ୍ଷ ମଧ୍ୟରେ କମ୍ ଭୋଟ ବ୍ୟବଧାନ ରହିଛି । ତେଣୁ ଭୋଟ ଗଣତି ପରେ ହିଁ ସ୍ପଷ୍ଟ ହେବ, ବିହାରରେ କିଏ ଗଢ଼ିବ ସରକାରା । ବିହାରରେ ଆଉ ଏକ ଟ୍ରେଣ୍ଡ ଦେଖିବାକୁ ମିଳିଛି । ପୂର୍ବରୁ ଜେଡିୟୁ ବିହାରରେ ବଡ଼ ଦଳ ଭାବେ ଏନଡିଏରେ ଥିଲା । ଏହି ନିର୍ବାଚନରେ ଜେଡିୟୁକୁ ପଛରେ ପକାଇ ଏନଡିଏର ସିନିୟର ପାର୍ଟନର ହେବାକୁ ଯାଉଛି ବିଜେପି ।

ନୀତିଶ କୁମାର ଓ ନରେନ୍ଦ୍ର ମୋଦିଙ୍କୁ ଚେହେରା କରି ବିହାରରେ ପ୍ରଚାର ଆରମ୍ଭ କରିଥିଲା ଜେଡିୟୁ-ବିଜେପି ମେଂଟ । ନୀତିଶଙ୍କ ନେତୃତ୍ୱରେ ମେଂଟ ନିର୍ବାଚନକୁ ଓହ୍ଲାଇଲା । ଏମିତିକି ସିଟ ଭାଗ ବଂଟାରେ ଜେଡିୟୁର ଅଧିକ ପ୍ରାର୍ଥୀଙ୍କୁ ଟିକେଟ ମିଳିଲା । ହେଲେ ଭୋଟ ଗଣତିରେ କିନ୍ତୁ ଜେଡିୟୁ ଅପେକ୍ଷା ବିଜେପି ପ୍ରାର୍ଥୀଙ୍କ ପ୍ରଦର୍ଶନର ଭଲ ଟ୍ରେଣ୍ଡ ସାମ୍ନାକୁ ଆସିଛି । ୨୦୨୦ ବିଧାନସଭା ନିର୍ବାଚନରେ ବିଜେପି ୧୧୦ ଆସନରେ ଲଢିଥିବା ବେଳେ ଜେଡିୟୁ ପ୍ରାର୍ଥୀ ୧୧୫ଟି ଆସନରୁ ପ୍ରତିଦ୍ୱନ୍ଦିତା କରିଥିଲେ । ଭିଆଇପି ପ୍ରାର୍ଥୀ ୧୧ଟି ଆସନରୁ ଓ ହାମ ପ୍ରାର୍ଥୀ ୭ଟି ଆସନରୁ ମୈଦାନକୁ ଓହ୍ଲାଇଥିଲେ ।

୨୦୧୫ ତୁଳନାରେ ୨୦୨୦ ମସିହାରେ ବିଜେପି ପ୍ରାର୍ଥୀଙ୍କୁ କମ ଆସନରୁ ଟିକେଟ ମିଳିଥିଲା । ହେଲେ ଜେଡିୟୁ ପ୍ରାର୍ଥୀଙ୍କ ଠାରୁ ବିଜେପି ପ୍ରାର୍ଥୀଙ୍କ ପ୍ରଦର୍ଶନ ଅଧିକ ପ୍ରଭାବଶାଳୀ ରହିଛି । ଏଣୁ ୨୦୧୬ରେ ଜେଡିୟୁ ସହାୟତାରେ ସରକାର ଗଠନ କରିଥିବା ବିଜେପି ୨୦୨୦ରେ ଜେଡିୟୁ ଉପରେ ଅଧିକ ଭାରି ରହିପାରେ ।  ୨୦୧୫ରେ ଜେଡିୟୁ ଓ ବିଜେପିର ସିଟ ଭାଗବଂଟା ଓ ପ୍ରଦର୍ଶନ କେମିତି ରହିଥିଲ? ୨୦୧୫ରେ ବିଜେପି ପ୍ରାର୍ଥୀ ୧୫୭ଟି ଆସନରୁ ଲଢିଥିବା ବେଳେ ୫୩ଟି ସିଟରେ ବିଜୟୀ ହୋଇଥିଲା । ସେହିଭଳି ଜେଡିୟୁ ୧୦୧ଟି ଆସନରେ ଲଢେଇ କରି ୭୧ଟି ସିଟ ଜିତିଥିଲା ।

୨୦୨୦ ବିଧାନସଭା ନିର୍ବାଚନ ଆରମ୍ଭରୁ ବିଜେପି ନିଜ ପୋଷ୍ଟରରେ ନୀତିଶ କୁମାରଙ୍କୁ ସ୍ଥାନ ଦେଇ ନାହିଁ । ଆଉ ବର୍ତ୍ତମାନ ଜେଡିୟୁ ତୁଳନାରେ ବିଜେପି ପ୍ରାର୍ଥୀଙ୍କ ଭଲ ପ୍ରଦର୍ଶନର ଚିତ୍ର ଆସୁଛି । ଏଣୁ ଆଗାମି ଦିନରେ ବିହାରରେ ନୀତିଶଙ୍କ ଅପେକ୍ଷା ବିଜେପି ନେତାଙ୍କ ପ୍ରଭାବ ଅଧିକ ରହିବ ବୋଲି କୁହାଯାଉଛି ।