ଆର୍ଜେଂଟିନାରେ ଆରମ୍ଭ ହେଲା ଜି-୨୦ ଶିଖର ସମ୍ମିଳନୀ ! ଡୋନାଲ୍ଡ ଟ୍ରମ୍ପ, ସିଂଜୋ ଆବେଙ୍କ ସହ ତ୍ରିପାକ୍ଷିକ ଆଲୋଚନା କଲେ ମୋଦି । 

98

କନକ ବ୍ୟୁରୋ : ଆର୍ଜେଂଟିନାର ବୁଇନସରେ ଚାଲିଛି ବିଶ୍ୱର ଶ୍ରେଷ୍ଠ ବିତଶାଳୀ ୨୦ଟି ରାଷ୍ଟ୍ରକୁ ନେଇ ଗଠିତ ଜି-୨୦  ଶିଖର ସମ୍ମିଳନୀ । ଏହି ସମ୍ମିଳନୀରେ ଏକାଠି ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଆମେରିକା, ଚୀନ, ଋଷ୍, ଜାପାନ ଭଳି ୨୦ଟି ଶକ୍ତିଶାଳୀ ରାଷ୍ଟ୍ରର ପ୍ରତିନିଧି ।  ବିଶ୍ୱକୁ ପରସ୍ପର କିପରି ଅର୍ଥନୀତି କ୍ଷେତ୍ରରେ ସହଯୋଗର ହାତ ବଢ଼ାଇବା ସହ ସମୃଦ୍ଧ କରିପାରିବେ ସେ ନେଇ ଆଲୋଚନା ହୋଇଛି । ଏହି ଅବସରରେ ଜାପାନ, ଭାରତ ଓ ଆମେରିକା ତିନି ରାଷ୍ଟ୍ରମୁଖ୍ୟ ଏକ ତ୍ରିପାକ୍ଷିୟ ବୈଠକରେ ଏକାଠି ହୋଇଛନ୍ତି । ଏବଂ ଇଣ୍ଡୋ-ପ୍ୟାସିପିକ୍ ଅଂଚଳରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ଦିଗରେ କାର୍ଯ୍ୟ କରିବେ ବୋଲି ସହମତ ହୋଇଛନ୍ତି । ଯାହାକୁ ମୋଦି ଜୟର ଆଖ୍ୟା ଦେଇଛନ୍ତି ।

ପ୍ୟାସିପିକ୍ ରିଜନରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ ଜି-୨୦ ସମ୍ମିଳନୀ ବାହାରେ ଏକାଠି ହୋଇଛନ୍ତି ଜାପାନ, ଆମେରିକା ଓ ଭାରତର ରାଷ୍ଟ୍ରମୁଖ୍ୟ । ଆମେରିକୀୟ ରାଷ୍ଟ୍ରମୁଖ୍ୟ ଡୋନାଲ୍ଡ ଟ୍ରମ୍ପ, ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ଜି-ଟ୍ୱେଂଟି-ଶିଖର ବୈଠକ ବାହାରେ ପ୍ରଥମ ଥର ଲାଗି ତ୍ରିପାକ୍ଷିକ ବୈଠକରେ ଏକାଠି ହୋଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଏହି ବୈଠକରେ ମୋଦି କହିଛନ୍ତି ଯଦି ମୁଁ ଜାପାନ, ଆମେରିକା ଓ ଇଣ୍ଡିଆକୁ ଅଲଗା ଭାବେ ଦେଖେ ତେବେ ଏହା ‘ଜୟ’ ହେବ । ଯାହାର ଅର୍ଥ ସଫଳତା ।

ମୋଦି କହିଛନ୍ତି ବିଶ୍ୱରେ କେମିତି ଶାନ୍ତି, ସମୃଦ୍ଧି ଏବଂ ସ୍ଥିରତାର ଅଗ୍ରଗତି ହେବ । ତେଣୁ ଏନେଇ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଉତ୍ସର୍ଗୀକୃତ ତିନିଟି ଦେଶ ଆଲୋଚନା କରିବା ହେଉଛି ଗୋଟିଏ ଶୁଭ ଅବସର । ଏହା ସହିତ କହିଛନ୍ତି ମୁଁ ଆନନ୍ଦିତ ଯେ ଉଭୟ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଜାପାନ ଆମ ରଣନୀତିର ଅଂଶୀଦାର । ଉଭୟ ନେତା ମୋର ଘନିଷ୍ଠ ବନ୍ଧୁ । ତିନି ରାଷ୍ଟ୍ର ମୁଖ୍ୟ ଭେଟିବା ପରେ ଏହା ସଫଳ ହୋଇଛି ବୋଲି କହିଛନ୍ତି ବୈଦେଶିକ ସଚିବ ବିଜୟ ଗୋଖଲେ । ଏବଂ ଇଣ୍ଡୋ ପ୍ୟାସିଫିକ୍ ରିଜନରେ ଶାନ୍ତି ପ୍ରତିଷ୍ଠା ପାଇଁ ବିଭିନ୍ନ ପ୍ରସଙ୍ଗରେ ସହମତ ହୋଇଛନ୍ତି ବୋଲି ସେ କହିଛନ୍ତି ।

ସେହିପରି ଏହି ସମ୍ମିଳନୀ ଅବସରରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ମଧ୍ୟ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆତଙ୍କବାଦ ସମେତ ବାଣିଜ୍ୟିକ ପ୍ରସଙ୍ଗରେ ଦୁଇ ନେତା ଆଲୋଚନା କରିଛନ୍ତି । ଆର୍ଜେଂଟିନା ବୁଏନସରେ ଆୟୋଜିତ ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ତିନି ଦିନିଆ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମ୍ମିଳନୀରେ ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ପ୍ରସଙ୍ଗରେ ଆଲୋଚନା ହୋଇଛି ।