ବିହାର ନିର୍ବାଚନରେ ଆଜି ମୋଦି ଓ ରାହୁଲଙ୍କ ଏଣ୍ଟ୍ରି : ଦୁଇ ହେଭିୱେଟଙ୍କ ମାରାଥନ ପ୍ରଚାର; ୩ ଟି ସ୍ଥାନରେ ରାଲି କରିବେ ମୋଦି, ୨ଟି ସ୍ଥାନରେ ରାହୁଲଙ୍କ ପ୍ରଚାର କାର୍ଯ୍ୟକ୍ରମ

136

କନକ ବ୍ୟୁରୋ : ବିହାର ନିର୍ବାଚନରେ ଆଜି ହେବ ମୋଦି-ରାହୁଲଙ୍କ ଏଣ୍ଟ୍ରି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ପ୍ରଥମ ଥର ଲାଗି ବିହାରର ପ୍ରଚାର ମୈଦାନକୁ ଓହ୍ଲାଇବେ । ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଉ ୪ ଦିନ ବାକିଥିବାବେଳେ ଭୋଟରଙ୍କ ନିକଟରେ ପଂହଚିବାକୁ ପ୍ରୟାସ କରିବେ ଏହି ବଡ ନେତା ।

ବିହାରରେ ନୀତିଶ କୁମାରଙ୍କ ନାଁରେ ଏନଡିଏ ନିର୍ବାଚନ ଲଢୁଥିଲେ ବି ମେଂଟ ପାଇଁ ଏବେ ବି ମୁଖ୍ୟ ପ୍ରଚାରକ ହୋଇଛନ୍ତି ପ୍ରଧାନମନ୍ତ୍ରୀ । ରାଜ୍ୟରେ ସେ ଆଜି ୩ଟି ରାଲି କରିବେ । ବିଜେପି ସଭାପତି ଜେ.ପି ନଡ୍ଡା , ଆଦିତ୍ୟନାଥ ଓ ରାଜନାଥ ସିଂ ଙ୍କ ପରେ ପ୍ରଚାରର ମଙ୍ଗ ଧରିବେ ମୋଦି । ସେ ପ୍ରାୟ ଡଜନେରୁ ଅଧିକ ରାଲିକୁ ସମ୍ବୋଧିତ କରିବେ ।

ସେହିଭଳି ମହାମେଂଟ ପକ୍ଷରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ତେଜସ୍ୱୀ ଯାଦବଙ୍କ ସହ ଆଜି ରାଲି କରିବେ । ସେ ଦୁଇଟି ରାଲିକୁ ସମ୍ବୋଧିତ କରିବେ । ମହାମେଂଟରେ କଂଗ୍ରେସ ଦ୍ୱିତୀୟ ବଡଦଳ ଭାବେ ୭୦ଟି ଆସନରେ ନିର୍ବାଚନ ଲଢୁଛି । ବିହାରରେ ୩ଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି । ପ୍ରଥମ ପର୍ଯ୍ୟାୟ ଭୋଟ ୨୮ ଅକ୍ଟୋବରରେ ହେବ । ୩ ଓ ୭ ନଭେମ୍ବରରେ ଆଉ ଦୁଇଟି ପର୍ଯ୍ୟାୟର ଭୋଟ ପଡିବ । ଭୋଟଗଣତି ୧୦ ନଭେମ୍ବରରେ ହେବ ।