ମୋଦି-ନବୀନଙ୍କ ମେଗା ସୋ’! ମୋଦିଙ୍କ ଟାର୍ଗେଟରେ ପଶ୍ଚିମ ଓଡିଶା ଭୋଟର, ନବୀନଙ୍କ ଟାର୍ଗେଟରେ କୃଷକ

126

କନକ ବ୍ୟୁରୋ : ମୋଦୀଙ୍କ ବଲାଙ୍ଗୀର କାର୍ଯ୍ୟକ୍ରମ ବନାମ ନବୀନଙ୍କ ବରମୁଣ୍ଡା କାର୍ଯ୍ୟକ୍ରମ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମେଗା ସୋ’ । ମୋଦୀଙ୍କ ଟାର୍ଗେଟରେ ପଶ୍ଚିମ ଓଡ଼ିଶା ଭୋଟର । ଏବଂ ନବୀନଙ୍କ ଟାର୍ଗେଟରେ କୃଷକ । ପୁଣି ଥରେ ଦୁଇ ଦଳର ଶୀର୍ଷ ନେତାଙ୍କ ମଧ୍ୟରେ ଦେଖିବାକୁ ମିଳିବ ଟକ୍କର । ଡିସେମ୍ବର ୨୪ ଓ ଜାନୁଆରୀ ୫ ତାରିଖରେ ନବୀନଙ୍କ ବିରୋଧରେ ମୋଦୀ ନରମ ଆଭିମୁଖ୍ୟ ଦେଖାଇଥିବା ବେଳେ କାଲି ବଲାଙ୍ଗୀର ଜନସଭାରେ କ୩ଣ କହୁଛନ୍ତି ମୋଦୀ, ତାହା ଉପରେ ରହିଛି ସମସ୍ତଙ୍କ ନଜର ।

୩ ସପ୍ତାହରେ ତୃତୀୟ ଥର ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ସରକାରୀ କାର୍ଯ୍ୟକ୍ରମ ସହ ବଲାଙ୍ଗୀରର ପଥରଚେପା ପଡ଼ିଆରେ ଜନସଭାକୁ ସମ୍ବୋଧିତ କରିବେ ମୋଦୀ । ଲକ୍ଷାଧିକ ଲୋକଙ୍କ ସମାଗମ ଲାଗି ରାଜ୍ୟ ବିଜେପି ଜୋରଦାର ଉଦ୍ୟମ କରୁଛି । ତେବେ ପ୍ରଥମ ଦୁଇଟି ଗସ୍ତରେ ନବୀନଙ୍କ ପ୍ରତି ନରମ ମନୋଭାବ ଦେଖାଇଥିଲେ ମୋଦୀ । ବଲାଙ୍ଗୀର ଗସ୍ତରେ ବିଜେଡି ସରକାର ଓ ନବୀନଙ୍କ ସଂପର୍କରେ କ’ଣ କହିବେ ଏ ନେଇ ରହିଛି, ସାରା ରାଜ୍ୟର ନଜର ।

ଯେଉଁ ସମୟରେ ବଲାଙ୍ଗୀର ଜନସଭାରେ ମୋଦୀ ଉଦବୋଧନ ଦେଉଥିବେ, ସେହି ସମୟରେ ଭୁବନେଶ୍ୱରରେ କୃଷି ଓଡ଼ିଶା ଆଲୋଚନା ଚକ୍ରରେ ଯୋଗ ଦେଇଥିବେ ନବୀନ । କୃଷକଙ୍କ ଆୟ ବଢ଼ାଇବା ପାଇଁ ବଜାର ବ୍ୟବସ୍ଥା, କୃଷି ଉନ୍ନତିକରଣ ନେଇ ୫ ଦିନିଆ କର୍ମଶାଳାର ବିରାଟ ଆୟୋଜନ କରୁଛନ୍ତି ରାଜ୍ୟ ସରକାର । ନିର୍ବାଚନ ପାଖେଇ ଆସୁଥିବା ବେଳେ ଏକ ସମୟରେ ଦୁଇଟି ସ୍ଥାନରେ ବଡ଼ ଆୟୋଜନ କରୁଛନ୍ତି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ । ଏଥର ମୋଦୀଙ୍କ ଟାର୍ଗେଟରେ ପଶ୍ଚିମ ଓଡ଼ିଶା ଭୋଟରଙ୍କ ଉପରେ ଥିବାବେଳେ କୃଷକ ଅଛନ୍ତି ନବୀନଙ୍କ ଟାର୍ଗେଟରେ ।