ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଅନୁରୋଧ । କହିଲେ, ରାଜ୍ୟରେ ରହିଛି କମ ସଂଖ୍ୟକ ଘରୋଇ ହସ୍ପିଟାଲ, ଓଡ଼ିଶା ସରକାରଙ୍କୁ ଦିଆଯାଉ ୯୫ ପ୍ରତିଶତ ଟିକା

196

କନକ ବ୍ୟୁରୋ: କରୋନା ସଂକ୍ରମଣ ନେଇ ପ୍ରଧାନମନ୍ତ୍ରୀ ସହ ଆଲୋଚନା ବେଳେ ରାଜ୍ୟର ସ୍ଥିତି ସଂପର୍କରେ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ରାଜ୍ୟ ସରକାରଙ୍କୁ ୯୫ ପ୍ରତିଶତ ଟିକା ଓ ଘରୋଇ କ୍ଷେତ୍ରକୁ ୫ ପ୍ରତିଶତ ଟିକା ଦେବାକୁ ଦାବି କରିଛନ୍ତି ନବୀନ । ଏହି ଅନୁପାତରେ ଟିକା ଦେଲେ ରାଜ୍ୟରେ ଟିକାକରଣର ଗତି ବଢ଼ିପାରିବ । ସେହିପରି ତୃତୀୟ ଲହରରେ ପିଲାମାନେ ପ୍ରଭାବିତ ହେବା ଆଶଙ୍କା ଥିବାରୁ ୧୨ରୁ ୧୮ ବର୍ଷ ବୟସର ପିଲାଙ୍କ ଟିକାକରଣକୁ ଅଗ୍ରାଧିକାର ଦେବାକୁ ପରାମର୍ଶ ଦେଇଛନ୍ତି ନବୀନ ।

ରାଜ୍ୟ ସରକାରଙ୍କୁ ୭୫ ପ୍ରତିଶତ ଓ ଘରୋଇ ହସପିଟାଲ ପାଇଁ ୨୫ ପ୍ରତିଶତ ଟିକା, ଏହିପରି ଭାବେ ଟିକା ଆବଂଟନ ନୀତି ନିର୍ଦ୍ଧାରଣ କରିଛନ୍ତି କେନ୍ଦ୍ର ସରକାର । ନବୀନଙ୍କ ଯୁକ୍ତି ହେଉଛି ରାଜ୍ୟରେ କମ ସଂଖ୍ୟକ ଘରୋଇ ହସ୍ପିଟାଲ ଅଛନ୍ତି । ସେମାନେ ୨୫ ପ୍ରତିଶତ ଟିକା ଉଠାଇ ପାରୁନାହାନ୍ତି । ଫଳରେ ରାଜ୍ୟରେ ଟିକାକରଣ ପ୍ରଭାବିତ ହେଉଛି ।

ଓଡିଶା ସମେତ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ କେରଳ, ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କରୋନା ଦ୍ୱିତୀୟ ଲହରର ପ୍ରକୋପ କମୁଥିଲେ ବି ଅନ୍ୟ ରାଜ୍ୟଗୁଡିକ ତୁଳନାରେ ଏହି ରାଜ୍ୟ ଗୁଡିକରେ ସଂକ୍ରମଣ ଅଧିକ ରହିଛି । ଗତ ସପ୍ତାହରେ ଏହି ୬ ରାଜ୍ୟରୁ ୮୦ ପ୍ରତିଶତ ନୂଆ ମାମଲା ଆସିଛି, ୮୪ ପ୍ରତିଶତ ମୃତ୍ୟୁ ହୋଇଛି । ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଂଟ ଓ ଟିକାକରଣ ଉପରେ ଜୋର ଦେବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ତୃତୀୟ ଲହର ଆସିବା ଆଶଂକା ଥିବାରୁ ସତର୍କ ରହିବାକୁ କହିଛନ୍ତି ମୋଦୀ । ଅଧିକ ସଂକ୍ରମଣ ଥିବା ଅଂଚଳଗୁଡ଼ିକରେ ଅଧିକରୁ ଅଧିକ ପରୀକ୍ଷା କରାଇବା ଉପରେ ଗୁରୁତ୍ୱ ଦେବା ସହ ଅଧିକ ଆରଟିପିସିଆର ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଟିକାକରଣ ସହ କୋଭିଡ ନିୟମ ପାଳନ କଲେ କରୋନା ମୁକାବିଲାରେ ସଫଳତା ମିଳିବ ବୋଲି କହିଛନ୍ତି ମୋଦୀ ।