ନେତାଜୀ ଜୟନ୍ତୀକୁ ନେଇ ମୋଦୀ-ମମତା ମୁହାଁମୁହିଁ । ପରାକ୍ରମ ଦିବସ ପାଳିବନି ପଶ୍ଚିମବଙ୍ଗ । ଦେଶନାୟକ ଦିବସ ପାଳିବାକୁ ମମତାଙ୍କ ଘୋଷଣା

183

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ମମତା ବନାମ ମୋଦୀ । ନେତାଜୀଙ୍କ ଜୟନ୍ତୀଙ୍କୁ ନେଇ ଜୋର ଧରିଛି ରାଜନୀତି । ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାର । ଜାନୁଆରୀ ୨୩ ତାରିଖରେ ନେତାଜୀ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । କିନ୍ତୁ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ପଶ୍ଚିମବଙ୍ଗ ସରକାର । ଏହି ଦିନକୁ ପଶ୍ଚିମବଙ୍ଗରେ ଦେଶନାୟକ ଦିବସ ଭାବେ ପାଳନ କରିବାକୁ ମମତା ବାନାର୍ଜୀ ଘୋଷଣା କରିଛନ୍ତି ।

ଶନିବାର ଦିନ ଦେଶରେ ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତୀ ପାଳନ ହେବ । ଏହି ଦିନ ମମତା ବାନାର୍ଜୀ ଏକ ଶୋଭାଯାତ୍ରାରେ ବାହାରିବା ସହ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଭାଷଣ ଦେବେ । ଏପଟେ ଶନିବାର ପଶ୍ଚିମବଙ୍ଗ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେପଟେ ତାଙ୍କ ଗସ୍ତ ପୂର୍ବରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ଅଭିଭାଷଣ ରଖିବାକୁ ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କେନ୍ଦ୍ରରେ ବିଜେପି ସରକାର ଗଠନ କରିବା ପରେ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ସୁବାଷ ବୋଷଙ୍କ ଜୟନ୍ତୀ ପାଳନ କରିବାକୁ ପହଂଚିବେ ମୋଦୀ ।

ଶୁଭେନ୍ଦୁ ଅଧିକାରୀଙ୍କ ସମେତ ତୃଣମୂଳ କଂଗ୍ରେସର କିଛି ବଡ ନେତା ଦଳ ଛାଡିବା ଟିଏମସିର ଚିନ୍ତା ବଢାଇ ଦେଇଛି । ନିର୍ବାଚନକୁ ଆଖି ଆଗରେ ରଖି ପଶ୍ଚିମବଙ୍ଗ ଦିଘାରେ ବିରାଟ ରାଲି କରିଛନ୍ତି ଶୁଭେନ୍ଦୁ ଅଧିକାରୀ । ସେପଟେ ରାଜ୍ୟର ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜି ମଧ୍ୟ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି । ଲଗାତର ଭାବେ ଦଳୀୟ ବୈଠକରେ ଅନୁପସ୍ଥିତ ରହିବା ପରେ ସେ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି ରାଜୀବ । ଯାହା ତୃଣମୂଳ କଂଗ୍ରେସର ଚିନ୍ତା ବଢାଇ ଦେଇଛି ।

ପଶ୍ଚିମବଙ୍ଗରେ ଚଳିତବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାପୂର୍ବରୁ ରାଜ୍ୟରେ ମୁହାଁମୁହିଁ ହୋଇଛନ୍ତି ମମତାଙ୍କ ତୃଣମୂଳ କଂଗ୍ରେସ ଓ ବିଜେପି । ବିଜେପି, ମମତାଙ୍କୁ ହରାଇ ରାଜ୍ୟରେ କ୍ଷମତାସୀନ ହେବାକୁ ଲକ୍ଷ୍ୟ ରଖିଛି । ଜେ.ପି. ନଡ୍ଡା ଓ ଅମିତ ଶାହଙ୍କ ଠାରୁ ଆରମ୍ଭ କରି ବିଜେପିର କେନ୍ଦ୍ରୀୟ ନେତା ପଶ୍ଚିମବଙ୍ଗକୁ ଘନ ଘନ ଯାତ୍ରା କରୁଛନ୍ତି ।