ଆସନ୍ତା ୨୪ରେ ମୋଦୀ-ବାଇଡେନ ଭେଟ: ହ୍ୱାଇଟ ହାଉସରେ ହେବ ଆଲୋଚନା

122

କନକ ବ୍ୟୁରୋ: ଚଳିତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯିବେ ଆମେରିକା । ଏହି ଗସ୍ତ ବେଳେ ମୋଦୀ ଭେଟିବେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ । ସେପ୍ଟେମ୍ବର ୨୪ରେ କ୍ୱାଡ ବୈଠକରେ ଏହି ଦୁଇ ନେତା ଯୋଗ ଦେବେ । ଏହା ପୂର୍ବରୁ ବିଶ୍ୱର ଦୁଇ ପ୍ରମୁଖ ଗଣତାନ୍ତ୍ରିକ ଦେଶର ନେତାଙ୍କ ଏହି ଭେଟଘାଟ ଉପରେ ରହିଛି ସାରା ବିଶ୍ୱର ନଜର । ପୂର୍ବରୁ ଏହି ଦୁଇ ନେତା ଫୋନରେ ଭର୍ଚୁୁଆଲ ମୋଡରେ ବୈଠକ କରିସାରିଛନ୍ତି । ହେଲେ ଏବେ ମୋଦି ଏବଂ ବାଇଡେନ ଫେସ ଟୁ ଫେସ ହେବାକୁ ଯାଉଛନ୍ତି ।

ସବୁଠୁ ବଡ କଥା ହେଲା ଏହି ଭେଟଘାଟ ବେଳେ ମୋଦୀଙ୍କ ମନ ଜୋ ବାଇଡେନଙ୍କ ପାଖରେ ଲାଗିବ ତ? କାରଣ ଆମେରିକାର ତକ୍ରାଳୀନ ରଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ମୋଦିଙ୍କ ଘନିଷ୍ଠତାକୁ ସାରା ବିଶ୍ୱ ଜାଣିଛି । ଆଉ ଅନ୍ତିମ ଥର ମୋଦି ଆମେରିକାର ହଷ୍ଟନ ଗସ୍ତରେ ଯାଇଥିବା ବେଳେ ଟ୍ରମ୍ପଙ୍କ ସପକ୍ଷରେ ଦେଇଥିଲେ ଅବ୍ କୀ ବାର୍ ଟ୍ରମ୍ପ ସରକାରର ନାରା । ଏବେ କିନ୍ତୁ ଆମେରିକାର ଶାସନ ଗାଦିରେ ବସିଛନ୍ତି ଟ୍ରମ୍ପଙ୍କ ପ୍ରମୁଖ ସମାଲୋଚକ ବାଇଡେନ । ଚଳିତ ବର୍ଷ ଜାନୁଆରୀରେ ବାଇଡେନ ରଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଏହାପରେ ଆମେରିକା ଓ ଭାରତ ମଧ୍ୟରେ ଥିବା ପୂର୍ବ ସମ୍ପର୍କ ଆଉ ନାହିଁ । ଯାହାର ପ୍ରମାଣ ଟିକା ପାଇଁ କଞ୍ଚାମାଲ ଆବଶ୍ୟକ ଥିବା ବେଳେ ଆମେରିକାର ଟାଳଟୁଳ ନୀତି ଅବଲମ୍ବନ କରିବା । ଏବେ କିନ୍ତୁ କାବୁଲକୁ ତାଲିବାନ କବଜା କରିବା ପରେ ସ୍ଥିତି ବଦଳିଛି ଆମେରିକାର । କାରଣ ତାଲିବାନକୁ ଚାଇନା ସମର୍ଥନ କରିବାକୁ ଆମେରିକାକୁ ଝଟକା ଲାଗିଛି । ତେଣୁ ଆମେରିକା ଏବେ ଭାରତକୁ ସାଙ୍ଗରେ ନେଇ ଆଗକୁ ବଢିବାକୁ ଚିନ୍ତା କରୁଛି ।

ଭାରତ ମଧ୍ୟ ଚାଇନାର ଅନେକ ନିଷ୍ପତ୍ତି ପାଇଁ ଘାଟାରେ ଥିବାରୁ ଆମେରିକା ସହିତ ହାତରେ ହାତ ମିଳାଇ ଆଗକୁ ବଢିବାକୁ ଚିନ୍ତା କରୁଛି । ତେବେ ମୋଦି ଓ ବାଇଡେନଙ୍କ ଭେଟଘାଟ ବେଳେ ଅନେକ କିଛି ପ୍ରସଙ୍ଗରେ ଆଲୋଚନା ହୋଇପାରେ । ଯେଉଁଥିରେ ଆତଙ୍କବାଦ, ବୈଶୟିକ ଅର୍ଥନୀତି ଏବଂ ଅନ୍ତର୍ଜାତୀୟ ସୁରକ୍ଷା ପ୍ରମୁଖ ରହିଛି ।ଆଫଗାନିସ୍ତାନର ନୂଆ ତାଲିବାନ ଶାସନ ଉପରେ ଦୁଇ ଦେଶ ଆଭିମୁଖ୍ୟ ସ୍ପଷ୍ଟ କରିପାରନ୍ତି

ଅନ୍ତର୍ଜାତୀୟ ଅର୍ଥନୀତିରେ ଚାଇନାରୁ ଦବଦାବକୁ ହ୍ରାସ କରିବାକୁ ହୋଇପାରେ କୂଟନୀତି
ପାକିସ୍ତାନ ଓ ଆତଙ୍କବାଦକୁ ନେଇ ଆମେରିକା କୋର୍ଟରେ ଭାରତ କରିପାରେ ବଡ ଅଭିଯୋଗ
ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ଓ ସୀମା ସୁରକ୍ଷାକୁ ନେଇ ହୋଇପାରେ ବଡ ଚୁକ୍ତି
ସାରା ବିଶ୍ୱରେ ଟିକା ପହଞ୍ଚାଇବା ପାଇଁ ଦୁଇ ଦେଶ ଆଲୋଚନା କରିପାରନ୍ତି