କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନ ଅବସରରେ ଛୁଟିଛି ଶୁଭେଚ୍ଛାର ସୁଅ । ସୋସିଆଲ ମିଡିଆରେ ତାଙ୍କର ଦୀର୍ଘ ଜୀବନର କାମନା କରିଛନ୍ତି ଅନେକ ରାଜନେତା ଓ ସେଲିବ୍ରିଟି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଟ୍ୱିଟ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ଏହାର ଜବାବରେ ଧନ୍ୟବାଦ ଜଣାଇଛନ୍ତି । ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଜନ୍ମଦିନ ଅବସରରେ ମୋଦୀଙ୍କ ସୁସ୍ଥ ଜୀବନ କାମନା କରିଛନ୍ତି । ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଶୁଭେଚ୍ଛା ଜଣାଇବା ସହ ଦେଶକୁ ଉଚ୍ଚକୁ ନେଇ ଯାଇଥିବାରରୁ ଧନ୍ୟବାଦ ଜଣାଇଛନ୍ତି ।
ସେହିପରି ୟୁକେ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଶୁଭେଚ୍ଛା ବାର୍ତା ପଠାଇଛନ୍ତି । ଜର୍ମାନୀ ଚାନସେଲର ଏଂଜେଲା ମର୍କେଲ ମୋଦୀଙ୍କ ଜନ୍ମଦିନ ଅବସରରେ ଭାରତ ଓ ଜର୍ମାନୀର ସମ୍ପର୍କ ବିଷୟରେ ଲେଖିବା ସହ କରୋନା ମହାମାରୀ ସମୟରେ ସମସ୍ତଙ୍କୁ ମିଳିତ ଭାବେ କାମ କରିବାକୁ ପଡିବ ବୋଲି ଲେଖିଛନ୍ତି । ଫିନଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ମେରିନ୍ ସନ୍ନା ମୋଦୀଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି । ଜନ୍ମଦିନରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି । ସେହିପରି ଗୃହମନ୍ତ୍ରୀ ତଥା ମୋଦୀଙ୍କ ନିକଟତମ ସହଯୋଗୀ ଅମିତ ଶାହ ରାଷ୍ଟ୍ରସେବା ଓ ଗରୀବ କଲ୍ୟାଣ ପ୍ରତି ସମର୍ପିତ ଥିବା ଉଲ୍ଲେଖ କରି ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ରାଜନାଥ ସିଂ, ଜପେି ନଡ୍ଡା ଓ ଏସ ଜୟଶଙ୍କର ମଧ୍ୟ ମୋଦୀଙ୍କୁ ଜନ୍ମଦିନର ବାର୍ତା ପଠାଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ବିଜେପି ପକ୍ଷରୁ ବିଶେଷ ପ୍ରସ୍ତୁତି ହୋଇଛି । ଏହି ଅବସରରେ ୧୪ରୁ ୨୦ ସେପେଟମ୍ବରକୁ ସେବ ସପ୍ତାହ ଭାବେ ପାଳନ କରୁଛି ଦଳ । ପ୍ରତ୍ୟେକ ଜିଲ୍ଲାର ବୁଥ ସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଥିମଧ୍ୟରେ ରହିଛି ରକ୍ତଦାନ, ପିଲାଙ୍କୁ ପୁସ୍ତକ ବଂଟନ ଓ ହସପିଟାଲରେ ଫଳ ବଂଟନ । ସବୁ ଜିଲ୍ଲା ମୁଖ୍ୟାଳୟରେ ୭୦ ଜାଗାରେ ସଫେଇ ଅଭିଯାନର ଆୟୋଜନ ବି କରାଯାଇଛି ।
୭୦ ତମ ଜନ୍ମଦିନରେ ପ୍ରଧାନମନ୍ତ୍ରୀଙ୍କୁ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି । ସେପଟେ ପୁରୀରେ ବାଲୁକାକଳାରେ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇଛନ୍ତି ବାଲୁକା ଶିଳ୍ପୀ ।