ନିଅଣ୍ଟିଆ ଟିକା ଭିତରେ ଆଶା ସଂଚାର କଲା ମଡର୍ଣ୍ଣା । ଚଳିତ ସପ୍ତାହରେ ଭାରତରେ ପହଂଚିବା ନେଇ ଆକଳନ

163

କନକ ବ୍ୟୁରୋ : କରୋନା ବିରୋଧୀ ଲଢେଇରେ ଟିକା ହିଁ ଏକମାତ୍ର ଅସ୍ତ୍ର । ଏକଥା ବୈଜ୍ଞାନିକମାନେ ବାରମ୍ବାର କହିଚାଲିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର ବି ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବାକୁ ପ୍ରୟାସ କରୁଛନ୍ତି । ହେଲେ ଟିକାର ନିଅଣ୍ଟିଆ ଉତ୍ପାଦନ ନେଇ ଟିକାକରଣରେ ବାରମ୍ବାର ବ୍ୟାଘାତ ସୃଷ୍ଟି ହେଉଛି । ଏଭଳି ଘଡିସନ୍ଧି ସମୟରେ ଆମେରିକୀୟ କମ୍ପାନୀ ମଡର୍ଣ୍ଣା ଦ୍ୱାରା ପ୍ରସ୍ତୁତ କୋଭିଡ-୧୯ ଟିକା ଚଳିତ ସପ୍ତାହରେ ଭାରତ ପହଂଚିବା ନେଇ ଆକଳନ କରାଯାଉଛି ।

ଅନ୍ୟପଟେ କିଛିଦିନ ହେବ ସାରା ବିଶ୍ୱକୁ ଡରାଇବାରେ ଲାଗିଛି କରୋନାର ଡେଲଟା ଭାରିଆଣ୍ଟ । ଡେଲଟା ଭାରିଆଣ୍ଟ ବି ଭାରତରେ ତାର କାୟା ବିସ୍ତାର କରିବାରେ ଲାଗିଛି । କରୋନାର ଏହି ସ୍ୱରୂପ ଭାରତରେ କରୋନା ସଂକ୍ରମଣର ତୃତୀୟ ଲହର ଆଣିପାରେ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ଏହାରି ଭିତରେ ଭାରତକୁ ଆସୁଥିବା ମଡର୍ଣ୍ଣାଟିକା ଡେଲଟା ଭାରିଆଣ୍ଟ ଉପରେ କେତେ ପ୍ରଭାବଶାଳୀ ହେବ ତାହା ସମସ୍ତଙ୍କ ଅପେକ୍ଷାରେ । ଆମେରିକା କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏହି ଟିକା ଆମେରିକାର ତୃତୀୟ ଲହର ସଂକ୍ରମଣ ବେଳେ ୯୪ ପ୍ରତିଶତ ପ୍ରଭାବଶାଳୀ ରହିଛି ବୋଲି କୁହାଯାଇଛି   । ହେଲେ ଏହି ଟିକାକୁ ସର୍ବନିମ୍ନ ତାପମାତ୍ରାରେ ରଖିବାକୁ କୁହାଯାଇଛି ।

ସେଣ୍ଟର୍ସ ଫର ଡିଜିଜ କଣ୍ଟ୍ରୋଲ (ସିଡିସି) ର ନୂଆ ଅଧ୍ୟୟନରୁ ଜଣାପଡିଛି କି ଫାଇଜର କିମ୍ବା ମଡର୍ଣ୍ଣାର ଗୋଟିଏ ଡୋଜ ଟିକା ସଂକ୍ରମଣକୁ ରୋକିବାରେ ୮୦ ପ୍ରତିଶତ ପ୍ରଭାବଶାଳୀ । ଏହାସହ ୨ ସପ୍ତାହ ପରେ ଦ୍ୱିତୀୟ ଡୋଜ ନେଲେ ଏହା ୯୦ ପ୍ରତିଶତ ପଯ ର୍୍ୟନ୍ତ ପ୍ରଭାବଶାଳୀ ହୋଇପାରେ । ଗତ ମଙ୍ଗଳବାର ଦିନ ମଡର୍ଣ୍ଣା ତରଫରୁ ଘୋଷଣା କରାଯାଇଥିଲା କି ଏହି ଟିକା ଡେଲଟା ଭାରିଆଣ୍ଟ ଓ ବର୍ତମାନ ସଂକ୍ରମିତ ହେଉଥିବା କରୋନାର ସବୁ ଭାରିଆଣ୍ଟ ଉପରେ ବେସ ପ୍ରଭାବଶାଳୀ ।

କହିରଖୁ କି, ଡ୍ରଗ୍ସ କଣ୍ଟ୍ରୋଲର ଜେନରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ମଡର୍ଣ୍ଣାକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି । କୋଭିସିଲ୍ଡ, କୋଭାକ୍ସିନ ଓ ସ୍ପୁଟନିକ-ଭି ପରେ ଚତୁର୍ଥ ଟିକା ଭାବେ ମଡର୍ଣ୍ଣାକୁ ଅନୁମତି ମିଳିଛି ।