କରୋନା ଟିକାକୁ ନେଇ ସବୁଠାରୁ ବଡ଼ ଖବର । ଆମେରିକାର ମଡର୍ଣ୍ଣା ଟିକାର ସଫଳତା ହାର ୯୪ ଦଶମିକ ୫ ପ୍ରତିଶତ ଦାବି

193

କନକ ବ୍ୟୁରୋ : ସାରା ବିଶ୍ୱ ପାଇଁ ଏକ ବଡ ଖବର । କାରଣ, କରୋନା ଟିକା ପ୍ରସ୍ତୁତ କରୁଥିବା ସବୁ କମ୍ପାନୀ ଠାରୁ ଆମେରିକାର ଏହି ମଡର୍ଣ୍ଣା କମ୍ପାନୀ ପ୍ରସ୍ତୁତ କରୁଥିବା ଟିକାର ସଫଳତା ହାର ସବୁଠାରୁ ଅଧିକ । ମଡର୍ଣ୍ଣା କମ୍ପାନୀ ଘୋଷଣା କରି କହିଛି, ଡାଟା ସେଫ୍ଟି ମନିଟରିଂ ବୋର୍ଡର ତତ୍ୱାବଧାନରେ କରାଯାଇଥିବା ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣରେ ସଫଳତାର ହାର ଆସିଛି ୯୪. ୫ ପ୍ରତିଶତ । ମଡର୍ଣ୍ଣର ଚିଫ୍ ଏକ୍ଜିକ୍ୟୁଟିଭ ଅଫିସର ଷ୍ଟିଫେନ୍ ବାନସେଲ୍ କହିଛନ୍ତି, ଏହି ଭ୍ୟାକ୍ସିନ୍ କୋଭିଡ ୧୯ ମହାମାରୀରୁ ରକ୍ଷା କରି ପାରିବ ।

କେବଳ ଆମେରିକାରେ କମ୍ପାନୀ ପକ୍ଷରୁ ୩୦ ହଜାର ଲୋକଙ୍କ ଶରୀରରେ ଏହି ପରୀକ୍ଷା କରାଯାଇଥିଲା । ଏବଂ ଏଥିରେ ଯେଉଁ ସଫଳତାର ହାର ଆସିଲା ତାହା ସମସ୍ତଙ୍କୁ ଖୁସି କରିଦେଲା । କରୋନା ଟିକା ପ୍ରସ୍ତୁତ କରିବା ପାଇଁ ଆମେରିକା ସରକାର ମଡର୍ଣ୍ଣା କମ୍ପାନୀରେ ୧ ବିଲିୟନ ଡଲାର ଅଥାତ୍ ସାଢେ ୭ ହଜାର କୋଟି ଟଙ୍କା ଗବେଷଣାରେ ଲଗାଇଥିଲେ । ଏହାଛଡା ୧୦ କୋଟି ଟିକା ପାଇଁ ୧୧ ହଜାର କୋଟି ଟଙ୍କା ଦେଇଛନ୍ତି ଆମେରିକା ସରକାର ।

ଏକ ସପ୍ତାହ ପୂର୍ବରୁ ଫାଇଜର କମ୍ପାନୀ ନିଜର ତଥ୍ୟ ପ୍ରକାଶ କରିଥିଲା । ଏହି କମ୍ପାନୀ କହିଥିଲା, ତାଙ୍କର ସଫଳତା ହାର ୯୦ ପ୍ରତିଶତରୁ ଅଧିକ ରହିଛି । ମଡର୍ଣ୍ଣା ଟିକାର ଆଉ ଏକ ପ୍ରମୁଖ ଦିଗ ହେଉଛି ଏହାକୁ ଫାଇଜର ଟିକା ଭଳି ମାଇନସ୍ ୭୦ ଡିଗ୍ରୀ ସେଲସିୟସ୍ରେ ରଖିବାକୁ ପଡିବ ନାହିଁ । ତେଣୁ ଭାରତରେ ମଧ୍ୟ ଏହି ଟିକା ଉପଲବ୍ଧ ହେବାର ଅଧିକ ସମ୍ଭାବନା ରହିଛି ।