କର୍ଣ୍ଣାଟକ ମନ୍ତ୍ରୀଙ୍କ ବିବାଦୀୟ ବୟାନ : କହିଲେ, ପିଲା ଜନ୍ମ କରିବାକୁ ଆଗ୍ରହୀ ନୁହନ୍ତି ଭାରତୀୟ ମହିଳା

ଅବିବାହିତ ରହିବାକୁ କରୁଛନ୍ତି ପସନ୍ଦ; ବାହାଘର ପରେ ସରୋଗେସି ପ୍ରତି ବଢ଼ୁଛି ଆଗ୍ରହ

145

କନକ ବ୍ୟୁରୋ : କର୍ଣ୍ଣାଟକ ମନ୍ତ୍ରୀଙ୍କ ବିବାଦୀୟ ବୟାନ । ପିଲାଜନ୍ମ କରିବାକୁ ମହିଳାମାନେ ଆଗ୍ରହୀ ନୁହନ୍ତି ବୋଲି କହି ନୂଆ ବିବାଦ ସୃଷ୍ଟି କରିଛନ୍ତି କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ କେ, ସୁଧାକର । ସେ କହିଛନ୍ତି, ଦେଶର ଆଧୁନିକ ମହିଳାମାନେ ପିଲାଜନ୍ମ କରିବାକୁ ରାଜି ନୁହନ୍ତି । ସେମାନେ ଅବିବାହିତ ରହିବାକୁ ପସନ୍ଦ କରୁଛନ୍ତି । ଆଉ ବାହାହେଲା ପରେ ପିଲାଜନ୍ମ କରିବାକୁ ରାଜି ହେଉନାହାନ୍ତି । ସରୋଗେସି ମାଧ୍ୟମରେ ପିଲାଜନ୍ମ କରିବାକୁ ଚାହିଁଛନ୍ତି । ବେଙ୍ଗାଲୁରୁର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ବିବାଦୀୟ ବୟାନ ଦେଇଛନ୍ତି କର୍ଣ୍ଣାଟକ ମନ୍ତ୍ରୀ । ଭାରତୀୟ ସମାଜ ଉପରେ ପାଶ୍ଚାତ୍ୟ ପ୍ରଭାବକୁ ନେଇ ବି କର୍ଣ୍ଣାଟକ ମନ୍ତ୍ରୀ ଚିନ୍ତା ପ୍ରକାଟ କରିଛନ୍ତି । ଦୁଃଖର କଥା ହେଲା, ଭାରତରେ ଆମେମାନେ ବାପାମାଆଙ୍କୁ ପାଖରେ ରଖିବାକୁ ଚାହୁଁନାହୁଁ । ମନ୍ତ୍ରୀଙ୍କ ଏହି ବୟାନ ଏବେ ବେଶ ଚର୍ଚ୍ଚାର ବିଷୟ ହୋଇଛି ।

ଅଧିକାଂଶ ମହିଳା ସରୋଗେସି ଦ୍ୱାରା ସନ୍ତାନ ଜନ୍ମ କରିବାକୁ ଚାହୁଁଛନ୍ତି । ଆମର ଚିନ୍ତାଧାରାରେ ଏକ ବଡ ପରିବର୍ତ୍ତନ ଆସିଛି, ଯାହା ଠିକ୍ ନୁହେଁ । ଭାରତୀୟ ସମାଜ ଉପରେ ପାଶ୍ଚାତ୍ୟ ପ୍ରଭାବକୁ ଦାୟୀ କରି ମନ୍ତ୍ରୀ କହିଛନ୍ତି ଯେ ଲୋକମାନେ ଚାହୁଁନାହାଁନ୍ତି ଯେ ସେମାନଙ୍କ ପିତାମାତା ସେମାନଙ୍କ ସହ ରୁହନ୍ତୁ । ଦୁର୍ଭାଗ୍ୟବଶତଃ ଆମେ ପାଶ୍ଚାତ୍ୟ ସଂସ୍କୃତିରେ ପ୍ରଭାବିତ ହେଉଛୁ । ଆମେ ଚାହୁଁନାହୁଁ ଆମର ପିତାମାତା ଆମ ସହିତ ରୁହନ୍ତୁ । ଆଉ ଜେଜେବାପା-ଜେଜେମାଙ୍କ ସହ ରହିବା କଥା ଭୁଲିଯାଆନ୍ତୁ । ଭାରତରେ ମାନସିକ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକଟ କରି ସୁଧାକର କହିଛନ୍ତି ଯେ ପ୍ରତ୍ୟେକ ୭ଜଣ ଭାରତୀୟଙ୍କର ମାନସିକ ସମସ୍ୟା ରହିଛି, ଯାହା ସାମାନ୍ୟ, ମଧ୍ୟମ କିମ୍ବା ଗୁରୁତର ହୋଇପାରେ ।