ଉଡିବା ପାଇଁ ସୁଟ୍, ରୋବୋଟିକ ଖଚର: ଭାରତୀୟ ସେନାକୁ ମିଳିବ ଆଧୁନିକ ଉପକରଣ

104

କନକ ବ୍ୟୁରୋ: ହଲିଉଡ ମୁଭିର ଚର୍ଚ୍ଚିତ ସୁପରହିରୋ ଆଇରନ ମ୍ୟାନ ଭଳି ଆକାଶରେ ଉଡିବ ଭାରତୀୟ ସେନା । ହାଇଟେକ ହେବ ଆର୍ମିର ସାମରିକ କ୍ଷମତା । ଦୁର୍ଗମ ଅଂଚଳରେ ପଶି ଶତ୍ରୁକୁ ଦମନ କରିପାରିବ । ସୀମାବର୍ତି ଅଂଚଳରେ ସେନାର ସାମରିକ ଶକ୍ତି ମଜବୁତ କରିବା ସହ ଶତ୍ରୁପକ୍ଷ ଉପରେ ନୀରିକ୍ଷଣ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ବଡ ପଦକ୍ଷେପ ନେଇଛି ଭାରତୀୟ ସେନା । ସେଇଥି ପାଇଁ ପ୍ରାଥମିକ ଭାବେ ୪୮ଟି ଜେଟ ପ୍ୟାକ ସୁଟ୍, ୧୦୦ଟି ରୋବଟ ଏବଂ ୧୩୦ଟି ଫାଷ୍ଟ-ଟ୍ରାକ ‘ଟିଥର୍ଡ’ ଡ୍ରୋନ୍ ସିଷ୍ଟମ କିଣିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଭାରତୀୟ କଂପାନୀଠାରୁ ଏସବୁ କିଣିବାକୁ ନିଷ୍ପତି ନେଇଛି ସେନା ।

କ’ଣ ଏହି ଜେଟ ପ୍ୟାକ ସୁଟ୍?
ଏଥିରେ ୫ଟି ଗ୍ୟାସ ଟର୍ବାଇନ ଜେଟ ଇଂଜିନ ରହିଛି
ଯାହା ୧୦୦୦ ହର୍ସ ପାୱାର ଶକ୍ତି ସୃଷ୍ଟି କରିଥାଏ
ଏ ସୁଟ ପିନ୍ଧି ମଣିଷ ଆକାଶରେ ଉଡିପାରିବ
ଜେଟ ପ୍ୟାକ ସୁଟ୍ର ବେଗ ଘଂଟା ପ୍ରତି ୫୦ କିଲୋମିଟର

ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଜେଟ ପ୍ୟାକ ସୁଟ ମାଇନସ ୧୦ ଡିଗ୍ରୀରୁ ୪୫ ଡିଗ୍ରୀ ସେଲସିୟସରେ କାମ କରିପାରୁଥିବା ଦରକାର । ଏଥିସହ ୮୦ କିଲୋରୁ ଅଧିକ ଓଜନ ଧରି ସୁଟ ଉଡିପାରୁଥିବା ଜରୁରୀ ବୋଲି ସର୍ତ ରଖିଛି । ଏହାଛଡା ସେନା ସୁରକ୍ଷିତ ଉଡାଣ ଓ ଅବତରଣ ବ୍ୟବସ୍ଥା ଥିବା ଉପରେ ଜୋର ଦେଇଛି ।

ନିକଟରେ ଆର୍ମେନିଆ-ଆଜରବାଇଜାନ ଠାରୁ ଆରମ୍ଭ କରି ରୁଷ-ୟୁକ୍ରେନ ଯୁଦ୍ଧରେ ଜେଟ ପ୍ୟାକ ସୁଟର କରାମତି ଦେଖିବା ପରେ କିଣିବାକୁ ନିଷ୍ପତି ନେଇଛି ଭାରତୀୟ ସେନା । ଏହି ସୁଟ ପାଇଲେ ଦୁର୍ଗମ ଅଂଚଳରେ ପହଂଚି ଶତ୍ରୁର ଉଦ୍ୟମକୁ ବିଫଳ କରିପାରିବ ଭାରତୀୟ ସେନା ।

କଠିଣ ଭୌଗଳିକ ସ୍ଥିତିରେ ଥିବା ସୀମାବର୍ତି ଅଂଚଳର ସେନା ଶିବିରକୁ ଖଚରରେ ସାମଗ୍ରୀ ବୁହା ହୋଇ ଯାଇଥାଏ । ଏବେ ରୋବଟ ଜରିଆରେ ସେହି କାମ କରିବାକୁ ନିଷ୍ପତି ନେଇଛି ସେନା । ସେଥିପାଇଁ ୧୦୦ଟି ରୋବଟିକ ମ୍ୟୁଲ ବରାଦ କରାଯାଇଛି । ସେହିପରି ସୀମା ରେଖା ଉପରେ ନଜର ରଖିବା ପାଇଁ ୧୩୦ଟି ଫାଷ୍ଟ-ଟ୍ରାକ ‘ଟିଥର୍ଡ’ ଡ୍ରୋନ୍ ସିଷ୍ଟମ କିଣିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ୨୦୨୦ରେ ପୂର୍ବ ଲଦାଖରେ ଉତେଜନା ପରଠୁ ଭାରତୀୟ ସେନା ୩୫ଶହ କିଲୋମିଟର ବାସ୍ତବିକ ନିୟନ୍ତ୍ରଣ ରେଖା ବା ଏଲଏସି ଉପରେ ନୀରିକ୍ଷଣ ବ୍ୟବସ୍ଥାକୁ ମଜବୁତ କରୁଛି ।