କନକ ବ୍ୟୁରୋ : ସରକାରୀ ଡାକ୍ତରଖାନା ପରିସରରେ ମଡେଲ ପାର୍କ । ଉପାନ୍ତ ଅଂଚଳରେ ରାଜଧାନୀର ପରିବେଶ । ମାଲକାନଗିରି ଜିଲା ଉପାନ୍ତ ମାଥିଲି ବ୍ଲକ ସଦର ଉପଖଣ୍ଡ ଡାକ୍ତରଖାନାରୁ ଆସିଛି ଏପରି ନିଆରା ଚିତ୍ର । କିଏ ମୋବାଇଲରେ ସେଲ୍ଫି ନେଉଛି ତ ଆଉ କିଏ ଏହି ପରିବେଶକୁ ମନଭରି ଉପଭୋଗ କରୁଛି । ଶିଶୁଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହାର ପ୍ରାକୃତିକ ପରିବେଶରେ ହଜିଯାଉଛନ୍ତି । ରୋଗୀ ସେବାରେ ବି ପଛରେ ଏହି ପଡିନି ଡାକ୍ତରଖାନା । ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ସହ ରୋଗୀଙ୍କ ମାନସିକତାରେ ପରିବର୍ତନ ଆଣିବାକୁ ଏଭଳି ଉଦ୍ୟମ କରିଛି ସ୍ୱାସ୍ଥ୍ୟ ବିଭାଗ ।
ଏକ ସୁସ୍ଥ ମନ ଓ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଉତମ ପରିବେଶର ନିହାତି ଆବଶ୍ୟକତା ରହିଛି । ଆଉ ଏଭଳି ଆବଶ୍ୟକତାକୁ ପୁରଣ କରିବାରେ ସଫଳ ହୋଇଛି ଉପାନ୍ତ ଅଂଚଳରେ ଥିବା ମାଥିଲି ଉପଖଣ୍ଡ ଚିକିତ୍ସାଳୟ । ସରକାରୀ ଡାକ୍ତରଖାନା ପରିସରରେ ତିଆରି ହୋଇଛି ମଡେଲ ପାର୍କ । ମାଲକାନଗିରି ଜିଲା ମାଥିଲି ବ୍ଲକ ସଦର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ଓ ପର୍ଯ୍ୟଟକଙ୍କ ମନ କିଣୁଛି ଏହି ପାର୍କ । ରଙ୍ଗିନ ଆଲୋକୀକରଣ ସହ ଫାଉଣ୍ଟେନର ମଜା ନେଉଛନ୍ତି ଲୋକେ । ସନ୍ଧ୍ୟା ହେଲେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଜମୁଛି ଲୋକଙ୍କ ଭିଡ । କିଏ ସେଲ୍ଫି ନେଇ ମୋବାଇଲରେ ସାଇତି ରଖୁଛି ତ ଆଉ କିଏ ମେଡ଼ିକାଲ ପରିସରରେ ଥିବା ଏହି ସୁନ୍ଦର ପରିବେଶକୁ ମନଭରି ଉପଭୋଗ କରୁଛି । ମାଥିଲି ସମେତ ଖଇରପୁଟ, କୁଡୁମୁଲୁଗୁମ୍ମା ଆଦି ଅଂଚଳରୁ ଲୋକେ ଆସି ମେଡିକାଲ ଓ ପାର୍କ ଦେଖିବାକୁ ଦୈନିକ ଭିଡ ଜମାଉଛନ୍ତି ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାୟାକଳ୍ପ ଯୋଜନା ମାଧ୍ୟମରେ ମାଥିଲି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପାର୍କ, ମ୍ୟୁଜିକ ଥେରାପି, ହରବାଲ ଗାର୍ଡନ, ଫାଉଟେନ ସହ ଆଲୋକୀକରଣର ବ୍ୟବସ୍ଥା କରାଯାଇଛି । ମାଲକାନଗିରି ଜିଲାରେ ପ୍ରଥମ ଥର ସରକାରୀ ଡାକ୍ତରଖାନାକୁ ମଡେଲ ପାର୍କର ରୂପ ଦିଆଯାଇଛି । ପୂର୍ବରୁ ମାଥିଲି ସ୍ୱାସ୍ଥ୍ୟକେନ୍ଦ୍ର ଅବ୍ୟବସ୍ଥା ଭିତରେ ରହୁଥିଲା । ଏବେ କିନ୍ତୁ ପରିବେଶ ସାଙ୍ଗକୁ ସ୍ୱାସ୍ଥକେନ୍ଦ୍ରର ଚିତ୍ର ମଧ୍ୟ ବଦଳିଯାଇଛି । ମେଡିକାଲ ପରିବେଶରେ ମଡେଲ ପାର୍କ ବ୍ୟବସ୍ଥା ରୋଗୀର ମାନସିକତା ଓ ରୋଗ ଭଲ ହେବାରେ ସହାୟକ ହେବ ବୋଲି କହିଛନ୍ତି ମାଥିଲି ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ।