କନକ ବ୍ୟୁରୋ: ଗୁଜରାଟ ମଡେଲ ତାନିଆ ସିଂହ ଆତ୍ମହତ୍ୟା ଘଟଣାରେ ଅଡୁଆରେ ଆଇପିଏଲ ଖେଳାଳି ଅଭିଷେକ ଶର୍ମା । ଆଇପିଏଲ ଫ୍ରାଞ୍ଚାଇଜ୍ ସନରାଇଜର୍ସ ହାଇଦ୍ରାବାଦର ଅଲରାଉଣ୍ଡର ଅଭିଷେକ ଶର୍ମାଙ୍କୁ ପଚରା-ଉଚରା ପାଇଁ ନୋଟିସ୍ ଜାରି କରିଛି ସୁରଟ ପୋଲିସ । ତାନିଆଙ୍କ ଆତ୍ମହତ୍ୟା ଘଟଣାର ପ୍ରାରମ୍ଭିକ ତଦନ୍ତରୁ ଜଣା ପଡିଛି, ମୃତ୍ୟୁ ପୂର୍ବରୁ ସେ ଶେଷ ଫୋନ୍ କଲ ଅଭିଷେକଙ୍କୁ କରିଥିଲେ । ତାନିଆଙ୍କ କଲ ଡିଟେଲରୁ ଏହା ସ୍ପଷ୍ଟ ହୋଇଛି । କେବଳ ସେତିକି ନୁହେଁ ତାନିଆଙ୍କ ଫୋନରୁ ସୁରଟ ପୋଲିସଙ୍କୁ ଅଭିଷେକଙ୍କ ସହ ତାଙ୍କର ଫଟୋଗ୍ରାଫ୍ ଏବଂ ମେସେଜେସ୍ ମିଳିଛି ।

Advertisment

ରବିବାର ରାତିରେ ନିଜ ଘରେ ଆତ୍ମହତ୍ୟା କରିଥିଲେ ମଡେଲ୍ ତାନିଆ ସିଂହ । ରବିବାର ବିଳମ୍ବିତ ରାତିରେ ଘରକୁ ଫେରିଥିଲେ ତାନିଆ । ସୋମବାର ସକାଳୁ ପରିବାର ଲୋକେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ସ୍ତବ୍ଧ ହୋଇ ଯାଇଥିଲେ । ପ୍ରେମ ପ୍ରସଙ୍ଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି । ଫ୍ୟାସନ୍ ଡିଜାଇନିଂର ଛାତ୍ରୀ ଥିଲେ ତାନିଆ । ତାଙ୍କ କଲ୍ ଡିଟେଲ ରେକର୍ଡରୁ ଜଣାପଡିଛି ବହୁ ବଡ ବଡ ଲୋକଙ୍କ ସମ୍ପର୍କରେ ସେ ଥିଲେ । ପୋଲିସ ସଭିଁଙ୍କୁ ତଦନ୍ତ ପରିସର ଭୁକ୍ତ କରିବ ବୋଲି ସ୍ପଷ୍ଟ କରିଛି । ତାନିଆଙ୍କ ଆତ୍ମହତ୍ୟା ଘଟଣା ପଛରେ ଅଭିଷେକ ଶର୍ମାଙ୍କ କୌଣସି ଭୂମିକା ରହିଛି କି ନାହିଁ ସେନେଇ ଅଧିକ ପଚରା ଉଚୁରା କରିବାକୁ ତାଙ୍କୁ ନୋଟିସ୍ କରିଛି ପୋଲିସ ।