ପେଟ୍ରୋଲ ପମ୍ପରୁ ହଟିବ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର : ଆଦର୍ଶ ଆଚରଣବିଦ୍ଧିର ଉଲ୍ଲଂଘନ କରିଥିବା କହି ନିର୍ଦ୍ଦେଶ ଦେଲେ ଭାରତୀୟ ନିର୍ବାଚନ କମିଶନ

୭୨ ଘଂଟା ଭିତରେ ହୋର୍ଡିଂରୁ ମୋଦୀଙ୍କ ଫଟୋ ହଟାଇବାକୁ ପେଟ୍ରୋଲ ପମ୍ପ ଡିଲରଙ୍କୁ ନିର୍ଦ୍ଦେଶ

1,014

କନକ ବ୍ୟୁରୋ : ପେଟ୍ରୋଲ ପମ୍ପଗୁଡିକରୁ ହଟିବ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର । ମୋଦିଙ୍କ ପୋଷ୍ଟର ହଟାଇବା ପାଇଁ ଦେଶର ସମସ୍ତ ପେଟ୍ରୋଲ ପମ୍ପ ଡିଲର ଓ ଅନ୍ୟ ଏଜେନ୍ସିଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ୍ । କେନ୍ଦ୍ର ସରକାରଙ୍କ ଯୋଜନା ବାବଦରେ ପେଟ୍ରୋଲ ପମ୍ପ ଗୁଡିକରେ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ଥାଇ ଲଗାଯାଇଥିବା ବିଜ୍ଞାପନ ଗୁଡିକୁ ୭୨ ଘଂଟା ଭିତରେ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ କରୁଛି ବୋଲି ହୃଦବୋଧ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ୍ ।

ତୃଣମୂଳ କଂଗ୍ରେସର ଏକ ପ୍ରତିନିଧି ଦଳ କମିଶନଙ୍କୁ ଭେଟି ଅଭିଯୋଗ କରିବା ପରେ ଏଭଳି ନିର୍ଦ୍ଦେଶ ଦିଆଯାଇଥିବା ପଶ୍ଚିମବଙ୍ଗ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ପୂର୍ବରୁ ସରକାରୀ ଯୋଜନରା ବିଜ୍ଞାପନରେ କେବଳ ଦେଶର ପ୍ରଧାନମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ମାନଙ୍କ ଫଟୋ ରହିପାରିବ ବୋଲି କୁହାଯାଇଥିଲା । ହେଲେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ନିର୍ବାଚନ କମିଶନ ଏହିଭଳି ସାନି ନିର୍ଦ୍ଦେଶମାନା ଜାରି କରିଛନ୍ତି । ତେଣୁ ଅନୁମାନ କରାଯାଉଛି, ପେଟ୍ରୋଲ ପମ୍ପଗୁଡିକରେ ଲାଗିଥିବା ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟରଗୁଡିକୁ ଘୋଡାଇ ଦେବାପାଇଁ ପଦକ୍ଷେପ ନେଇପାରନ୍ତି ପେଟ୍ରୋଲ ପମ୍ପ ଡିଲର ।