ବିଧାନସଭାରେ ଆଲୋଚନା କମ୍, ହଟ୍ଟଗୋଳ ଅଧିକ ! ପୁରୁଣା ପ୍ରସଙ୍ଗ ଉଠାଇ ଗୃହକୁ ଅଚଳ କରୁଛନ୍ତି ବିରୋଧୀ ।

77

କନକ ବ୍ୟୁରୋ : ବିଧାନସଭାର ମୌସୁମୀ ଅଧିବେଶନରେ ଆଲୋଚନା କମ୍, ବିବାଦ ଏବଂ ହଟ୍ଟଗୋଳ ଅଧିକ । ଗୃହର ଗୁରୁତ୍ୱପୂର୍ଣ୍ଣ ସମୟ ନାରାବାଜି ଓ ମୁଲତବୀ ଭିତରେ ସରିଯାଉଛି । କଂଗ୍ରେସ ଓ ବିଜେପି ପକ୍ଷରୁ ଉଠୁଥିବା ପ୍ରସଙ୍ଗ କେତେବେଳେ ସରକାରଙ୍କୁ ଅଡୁଆରେ ପକାଇବାର ସମ୍ଭାବନା ରହିଥାଏ ତ କେତେବେଳେ ପୁରୁଣା ପ୍ରସଙ୍ଗ କହି ବାଚସ୍ପତି ଏହାକୁ ଏଡାଇ ଯାଇଥାନ୍ତି । କିଛି ଏଭଳି ଦୃଶ୍ୟ ଆଜି ବି ଦେଖିବାକୁ ମିଳିଥିଲା, ଯେତେବେଳେ ଖଣି ଦୁର୍ନୀତିର କଥା ଉଠାଇ ସରକାରଙ୍କୁ ଅଡୁଆରେ ପକାଇବାକୁ ସାମ୍ନାକୁ ଆସିଥିଲେ ବିରୋଧୀ । ହେଲେ ବାଚସ୍ପତି ଏହାକୁ ପୁରୁଣା ପ୍ରସଙ୍ଗ କହି ଗ୍ରହଣ ନକରିବାରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ସରକାର ବିରୋଧୀଙ୍କ ସ୍ୱରକୁ ସଂକୁଚିତ କରୁଥିବା ଅଭିଯୋଗ ଆଣି ବାଚସ୍ପତିଙ୍କୁ ଘେରାଉ କରିଥିଲେ ବିରୋଧୀ ।

ସପ୍ତମ ଦିନରେ ବିଧାନସଭାର ପ୍ରଶ୍ନକାଳ ଆରମ୍ଭ ହେବାର କିଛିକ୍ଷଣ ମଧ୍ୟରେ ବାଚସ୍ପତିଙ୍କ ପୋଡିଅମ ନିକଟକୁ ଆସି ହୋହଲ୍ଲା କରିଥିଲେ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟ । ଆଜି ପ୍ରଶ୍ନକାଳରେ କୃଷି, ଖାଦ୍ୟ ଯୋଗାଣ, ଗଣଶିକ୍ଷା ଓ ଉଚ୍ଚଶିକ୍ଷା ସହ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ଥିଲା । ହେଲେ ଖଣି ଦୁର୍ନୀତି ପ୍ରସଙ୍ଗରେ ମୁଲତବୀ ଆଲୋଚନା ଦାବି କରି ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ କଂଗ୍ରେସ ସଦସ୍ୟ । ମୁଖ୍ୟ ବିରୋଧୀ ଦଳ ବିଜେପି ମଧ୍ୟ ସ୍ୱର ମିଳାଇଥିଲା । ପୁରୁଣା ପ୍ରସଙ୍ଗ କହି ବାଚସ୍ପତି ଆଲୋଚନାକୁ ଏଡାଇ ଯାଇଥିବାରୁ ଅଧିକ ଉତକ୍ଷିପ୍ତ ହୋଇ ପଡିଥିଲେ ବିରୋଧୀ । ଫଳରେ ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି ।

ରାଜ୍ୟରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଥିବା କହି ମୁଲତବୀ ଆଲୋଚନା ଦାବିରେ ଅଡି ବସିଥିଲେ ବିରୋଧୀ । ଆଲୋଚନାକୁ ଏଡାଇ ବାଚସ୍ପତି ସରକାରଙ୍କୁ ସୁରକ୍ଷା ଯୋଗାଇ ଦେଉଥିବା ଅଭିଯୋଗ କରିଥିଲେ ଉଭୟ ବିଜେପି ଓ କଂଗ୍ରେସ । ଏପରିକି ପ୍ରଶ୍ନକାଳ ଶେଷହେବା ପରେ ମଧ୍ୟ ବାଚସ୍ପତିଙ୍କ ଚ୍ୟାମ୍ବରକୁ ଯାଇ ଘେରାଉ କରି ରଖିଥିଲେ । ଫଳରେ ଦ୍ୱିତୀୟାର୍ଦ୍ଧରେ ବିଧାନସଭାକୁ ଆସିପାରିନଥିଲେ ବାଚସ୍ପତି । ଉପବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଚାଲିଥିଲା ଗୃହକାର୍ଯ୍ୟ । ବିରୋଧୀଙ୍କୁ ଏଭଳି ଆଭିମୁଖ୍ୟକୁ ଦେଖି ବିଜେଡି କହିଛି, ଗୋଲପୋଷ୍ଟ ପରିବର୍ତନ କରୁଛନ୍ତି ବିରୋଧୀ । ଚାଷୀ ଓ ମରୁଡି ପ୍ରସଙ୍ଗରେ ଆଲୋଚନା ପାଇଁ ସେମାନଙ୍କର ଆନ୍ତରିକତା ନାହିଁ ।

ଆସନ୍ତାକାଲି ଶେଷ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ସ୍ୱଳ୍ପ ସମୟର ଏହି ଅଧିବେଶନରେ କେବଳ ୨ ଦିନ ଗୃହରେ ପୂର୍ଣ୍ଣାଙ୍ଗ ଆଲୋଚନା ହୋଇପାରିଛି । କେତେବେଳେ କଂଗ୍ରେସ ତ ଆଉ କେତେବେଳେ ବିଜେପି ଗୃହରେ ହଟ୍ଟଗୋଳର ମଙ୍ଗ ଧରୁଛନ୍ତି । ତେଣୁ ଲୋକଙ୍କ ସମସ୍ୟା ସମ୍ବଳିତ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରୁନାହିଁ । ଗୃହ ବାରମ୍ବାର ମୁଲତବୀ ଭିତରେ ବିଲ ପାସ କରାଇ ନେଉଛନ୍ତି ସରକାର । ଆଜି ବିନା ଅଲୋଚନାରେ ୪ଟି ଗୁରୁତ୍ୱପୂର୍ଣ୍ଣ ବିଲ ପାସ ହୋଇଥିବାବେଳେ ପଞ୍ଚାୟତ ନିର୍ବାଚନ ପାଇଁ ବାଟ ଫିଟିଛି । କାରଣ ବିଧାନସଭାର ଅନୁମୋଦନ ଲାଭ କରିଛି ଓଡିଶା ପଂଚାୟତ ସଂଶୋଧନ ବିଲ ।