ହଠାତ୍ ନିଆଁ ଲାଗିଗଲେ କଣ କରିବେ? ମକ୍ ଡ୍ରିଲ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ବିପର୍ଯ୍ୟୟ ପ୍ରଶମନ ପାଠ ପଢାଇଲେ ଅଗ୍ନିଶମ ଅଧିକାରୀ

34

କନକ ବ୍ୟୁରୋ : ଯାଜପୁର ଜିଲ୍ଳା ଜନକଲ୍ୟାଣ ହାଇସ୍କୁଲରେ ଅଗ୍ନିଶମ ଅଧିକାରୀ ଛାତ୍ର/ଛାତ୍ରୀଙ୍କୁ ପଢାଇଲେ ନିଆଁକୁ ଆୟତ କରିବାର କୌଶଳ । ଶ୍ରେଣୀ ଗୃହରେ ଦେଲେ ବିପର୍ଯ୍ୟୟ ପ୍ରଶମନର ବାର୍ତା । ସ୍କୁଲ ପରିସରରେ ମକଡ୍ରିଲ କରି ଦେଖାଇଲେ କଳା କୌଶଳ । ପିଲାମାନେ କହିଲେ ଗାଁରେ, ଘରେ ପ୍ରଚାର କରିବୁ ନିଆଁକୁ ଆୟତ କରିବାର ତରିକା, ବିପର୍ଯ୍ୟୟ ମୁକାବିଲା କରିବାର ବାର୍ତା ।

ସ୍କୁଲରେ ଅଗ୍ନିଶମ ବିଭାଗର ମକ୍ ଡ୍ରିଲ । ମକ୍ ଡ୍ରିଲ କରି ଛାତ୍ରଛାତ୍ରୀଙ୍କୁ ନିଆଁକୁ ଆୟତ କରିବାର ରଣକୌଶଳ ଦେଖାଇବା ସହ ବିପର୍ଯ୍ୟୟ ପ୍ରଶମନର ପାଠ ପଢାଇଲେ ଅଗ୍ନିଶମ ଅଧିକାରୀ । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟ ଜନକଲ୍ୟାଣ ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଏଭଳି ମକ ଡ୍ରିଲ ଦେଖାଯାଇଛି । ହଠାତ୍ ଅଗ୍ନିକାଣ୍ଡ ଘଟିଲେ କିଭଳି ନିଆଁକୁ ନିୟନ୍ତ୍ରଣ କରିବା ସହ ଲୋକଙ୍କୁ ଉଦ୍ଧାର କରାଯାଏ ତାର ଝଲକ ଦେଖାଇଛନ୍ତି ଅଗ୍ନିଶମ କର୍ମଚାରୀ ।

ଯାଜପୁର ଜିଲ୍ଳା ଚଣ୍ଡିଖୋଲ ଅଗ୍ନିଶମ ଅଧିକାରୀ ପ୍ରଭାକର ସାହୁ । ଅଗ୍ନିଶମ ବିଭାଗରେ ୩୧ ବର୍ଷର ଚାକିରି ଭିତରେ ସାଉଂଟିଛନ୍ତି ଅନେକ ତିକ୍ତ ମଧୁର ଅନୁଭୂତି । ଅନେକ ସମୟରେ ଦେବଦୂତ ସାଜି ମରଣ ମୁହଁରୁ ଲୋକଙ୍କୁ ଉଦ୍ଧାର କରି ପ୍ରଶଂସିତ ହୋଇଛନ୍ତି । ଦୁଇ ଦୁଇଥର ରାଷ୍ଟ୍ରପତିଙ୍କଠାରୁ ପୁରସ୍କୃତ ମଧ୍ୟ ପାଇଛନ୍ତି । ଅଗ୍ନିର ଭୟାବହତା ଓ ପ୍ରାକୃତିକ ବିପର୍ଯ୍ୟୟକୁ ଅତି ନିକଟରୁ ଦେଖିଥବା ପ୍ରଭାକର ବିଭିନ୍ନ ସମୟରେ ସ୍କୁଲ, କଲେଜରେ ସଚେତନତା ସୃଷ୍ଟି କରିବା ପାଇଁ ନିଜ ଟିମ୍ ସହ ମକ୍ ଡ୍ରିଲ କରିଥାନ୍ତି ।
ନିଆଁର ଭୟାବହତା ସମ୍ପର୍କରେ ବୁଝାଇବା ସହ ରଣକୌଶଳ ଦେଖାଇବା ପାଇଁ ନିଜ ଟିମ୍ ସହ ଚଣ୍ଡିଖୋଲ ଜନକଲ୍ୟାଣ ହାଇସ୍କୁଲରେ ପହଂଚିଥିଲେ ପ୍ରଭାକର । ବିଭିନ୍ନ ସମୟରେ ଅଗ୍ନି ବିପତି ଓ ବିପର୍ଯ୍ୟୟରେ ଧନଜୀବନ ନଷ୍ଟ ହେଉଥିବା ବେଳେ ଅଗ୍ନିଶମ ଅଧିକାରୀଙ୍କ ଏହି ଉଦ୍ୟମ ଅନେକଙ୍କୁ ରକ୍ଷା କରିବାରେ ସହାୟକ ହେବ ବୋଲି କୁହାଯାଉଛି ।