ଆଜିଠୁ ରାଜ୍ୟର ସବୁ ରୁଟରେ ଚାଲିବ ‘ମୋ ବସ୍’ : ରାଜ୍ୟ ସଡକ ପରିବହନ ବିଭାଗ ପକ୍ଷରୁ ସୂଚନା

98

ଆଜିଠୁ ରାଜ୍ୟର ସବୁ ରୁଟରେ ଚାଲିବ ‘ମୋ ବସ୍’ । କୋଭିଡ୍ ନିୟମ ପାଳନ ସହ ‘ମୋ ବସ୍’ ଚଳାଚଳ କରିବ । ରାଜ୍ୟ ସଡକ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କୋଭିଡ୍ ପାଇଁ ‘ମୋ ବସ୍’ ଚଳାଚଳ ଉପରେ ଲାଗିଥିଲା କଟକଣା । ଭୁବନେଶ୍ୱର, କଟକ, ପୁରୀ ଓ ଖୋର୍ଦ୍ଧାରେ ମୋ ବସ୍‌ ଚଳାଚଳ ସ୍ୱାଭାବିକ ହେବ । କେବଳ ରୁଟ୍‌ ୨୯କୁ ଛାଡ଼ି ମଙ୍ଗଳବାର ଠାରୁ ୨୨ଟି ରୁଟ୍‌ରେ ୧୪୪ଟି ‘ମୋ ବସ୍’‌ ଧାର୍ଯ୍ୟ ସମୟରେ ଯାତାୟାତ କରିବ ବୋଲି କ୍ରୁଟ୍‌ ପକ୍ଷରୁ କୁହାଯାଇଛି’।

କ୍ରୁଟ୍‌ର ସୂଚନା ଅନୁଯାୟୀ, କରୋନା ଜନିତ ସଟ୍‌ଡାଉନ୍ ଓ ଲକ୍‌ଡାଉନ୍ ଯୋଗୁଁ ମାର୍ଚ୍ଚ ୨୪ରୁ ମୋ ବସ୍‌ ସେବା ବନ୍ଦ ହୋଇଯାଇଥିଲା। ହେଲେ ଏହି ସମୟରେ କଣ୍ଟେନମେଣ୍ଟ ଜୋନ୍‌ରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାରେ ମୋ ବସ୍‌କୁ ବ୍ୟବହାର କରାଯାଇଥିଲା। ଏହାପରେ ମେ ୨୬ରୁ ୭ଟି ରୁଟ୍‌ରେ ୪୦ଟି ବସ୍‌ ଚଳାଚଳ କରିଥିଲା । ଯାତ୍ରୀ ବଢିବାରୁ ଏହି ରୁଟ୍‌ରେ ଜୁନ୍‌ ମାସରୁ ମୋଟ୍‌ ୬୬ଟି ବସ୍‌ ଯାତାୟାତ କରୁଥିଲା। ଜୁଲାଇରେ ଆଉ ଗୋଟିଏ ରୁଟ୍‌ରେ ବସ୍‌ ଚଳାଚଳ ଆରମ୍ଭ କରିଥିଲା । ସେପ୍ଟେମ୍ବର ୨୭ରେ ପର୍ଯ୍ୟଟନ ଦିବସ ଉପଲକ୍ଷେ ପୁରୀ ଓ କୋଣାର୍କକୁ ବସ୍‌ ଚଳାଚଳ ଆରମ୍ଭ ହୋଇଥିଲା । ନଭେମ୍ବରରେ ୧୭ଟି ରୁଟ୍‌ରେ ୧୦୯ଟି ବସ୍‌ ଚଳାଚଳ କରୁଥିଲା। ଏବେ ସ୍ଥିତି ପ୍ରାୟତଃ ସ୍ୱାଭାବିକ ହୋଇଯାଇଥିବାରୁ ୨୨ଟି ରୁଟ୍‌ରେ ୧୪୪ଟି ବସ୍‌ ଯାତାୟାତ କରିବାକୁ ନିଷ୍ପତ୍ତି ହୋଇଛି। ଖୁବ୍‌ ଶୀଘ୍ର ସମସ୍ତ ୨୦୦ଟି ବସ୍‌ ଗଡ଼ିବ ବୋଲି କ୍ରୁଟ୍‌ କର୍ତ୍ତୃପକ୍ଷ କହିଛନ୍ତି ।