ଶୁଣୁ ନାହାନ୍ତି ସରକାର, ଟାର୍ଗେଟରେ ମୋବାଇଲ ଟାୱାର । ଚାଷୀ ଆନ୍ଦୋଳନ ସମର୍ଥନରେ ପଞ୍ଜାବରେ ମୋବାଇଲ ଟାୱାର ଭାଙ୍ଗିଲେ କୃଷକ ।

236

କନକ ବ୍ୟୁରୋ: ଦେଶରେ ୩୪ ଦିନରେ ପହଂଚିିଛି ଚାଷୀ ଆନ୍ଦୋଳନ । କୃଷି ଆଇନକୁ ବିରୋଧ କରି ପଂଜାବରେ ଜାରି ରହିଛି ଆନ୍ଦୋଳନ । ଆନ୍ଦୋଳନକୁ ଆହୁରି ତୀବ୍ର କରିବା ଲାଗି ଚାଷୀ ଆକ୍ରୋଶମୂଳକ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ସରକାର ଦାବି ଶୁଣୁ ନଥିବାରୁ ଆନ୍ଦୋଳନରତ କୃଷକ ମୋବାଇଲ ଫୋନ ଟାୱାରକୁ ଟାର୍ଗେଟ କରିଛନ୍ତି ।ଧାରଣାରେ ଥିବା ଚାଷୀ ୨ ଦିନରେ ୧୫ ଶହ ମୋବାଇଲ ଟାୱାରକୁ କ୍ଷତିଗ୍ରସ୍ତ କରିଛନ୍ତି । ଗତ ୨୪ ଘଂଟାରେ ୧୪୬ଟି ମୋବାଇଲ ଟାୱାରକୁ ବିଦ୍ୟୁତ ସଂଯୋଗ କାଟିଦେଇଥିବା ବେଳେ ଅନ୍ୟ ଟାୱାର ଗୁଡିକୁ କ୍ଷତିଗ୍ରସ୍ତ କରିଛନ୍ତି । ଫଳରେ ମୋବାଇଲ ଯୋଗାଯୋଗରେ ଅନେକ ସମସ୍ୟା ଦେଖାଦେଇଛି । ଆନ୍ଦୋଳନରତ ଚାଷୀ ମୋବାଇଲ ଟାୱାରକୁ କ୍ଷତି ନପହଂଚାଇବା ଲାଗି ଟେଲିକମ୍ କମ୍ପାନୀଗୁଡ଼ିକ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ନିବେଦନ କରିଥିଲେ । ଚାଷୀଙ୍କୁ ମଧ୍ୟ ଏନେଇ ସୂଚନା ଦିଆଯିବା ସତ୍ୱେ ଟାୱାର ଗୁଡିକୁ ଭଙ୍ଗା ଯାଉଥିବା ସୂଚନା ମିଳିଛି ।

ରାଜ୍ୟରେ ୨୨ଟି ଜିଲ୍ଲାରେ ପ୍ରାୟ ୨୧ହଜାର ୩୦୬ଟି ଟାୱାର ଅଛି । ଏଥିମଧ୍ୟରୁ ୧୫ଶହ ୬୧ଟି ଟାୱାରକୁ ଆନ୍ଦୋଳନକାରୀ ଚାଷୀ ମାନେ କ୍ଷତି ପହଂଚାଇଛନ୍ତି । ତେବେ ଏଥିମଧ୍ୟରୁ ୪୩୩ଟି ଟାୱାରର ମରାମତି କରାଯାଇଛି । ସେପଟେ ମୁଖ୍ୟମନ୍ତ୍ରୀ ରାଜ୍ୟ ପୁଲିସକୁ ଟାୱାର ନଷ୍ଟ କରୁଥିବା ଚାଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଚାଷୀମାନେ କେବଳ ଟାୱାରକୁ ଭାଙ୍ଗୁ ନାହାନ୍ତି ବରଂ ଟାୱାର ପାଇଁ କମ୍ପାନୀ ପକ୍ଷରୁ ନିୟୋଜିତ ସୁରକ୍ଷାକର୍ମୀମାନଙ୍କୁ ମାରପିଟ କରୁଥିବା ଅଭିଯୋଗ ହୋଇଛି । କିଛି ସ୍ଥାନରେ ମୋବାଇଲ ଟାୱାରର ବିଜୁଳି ସଂଯୋଗ କାଟି ଦିଆଯାଇଥିବା ବେଳେ ଅନ୍ୟ କିଛି ସ୍ଥାନରେ ମୋବାଇଲ ଟାୱାରର ତାର ପୋଡ଼ାଯାଇଛି । ଏହା ପୂର୍ବରୁ ରିଲାଏନ୍ସ ପେଟ୍ରୋଲ ପମ୍ପ, ରିଲାଏନ୍ସ ରିଟେଲ ଉପରେ ରାଗ ସୁଝାଉଥିବା ଅଭିଯୋଗ ହୋଇଛି ।

ସେପଟେ ଆଜି ପ୍ରଧାନମନ୍ତ୍ରୀ ମଧ୍ୟ ଉଦବୋଧନରେ କହିଛନ୍ତି ବିରୋଧ ପ୍ରଦର୍ଶନ ନାଁରେ ଦେଶର ସମ୍ପତିକୁ ନଷ୍ଟ ନକରିବା ପାଇଁ ଅପିଲ କରିଛନ୍ତି । ଯଦି କୌଣସି ସମ୍ପତି ନଷ୍ଟ ହୁଏ ତେବେ ଏହା ପରୋକ୍ଷଭାବେ ନିଜର ହିଁ କ୍ଷତି । ଏବଂ ସରକାରୀ ସମ୍ପତି କୌଣସି ରାଜନେତା କିମ୍ବା କୌଣସି ରାଜନୀତି ଦଳର ନୁହେଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।