କନକ ବ୍ୟୁରୋ : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଯେତେ ସଚେତନତା ସୃଷ୍ଟି କରାଗଲେ ବି ରେଳ ଲାଇନ୍ କଡ଼ରେ ଥିବା ବସ୍ତିଗୁଡ଼ିକ ଖୋଲାରେ ମଳତ୍ୟାଗମୁକ୍ତ ଅଞ୍ଚଳ ହୋଇପାରୁନି। ବସ୍ତିରେ ପାଇଖାନା କଲେ ବି ଲୋକମାନେ ରେଳ ଲାଇନ୍ କଡ଼କୁ ଶୌଚ ପାଇଁ ଯାଉଛନ୍ତି। ଏପରିକି ବହୁ ସ୍ଥାନରେ ରେଳ ଲାଇନ୍ କଡ଼ରେ ଅସ୍ଥାୟୀ ଭାବେ ବାସ କରୁଥିବା ଲୋକମାନଙ୍କ ପାଇଁ ଶୌଚାଳୟ ନିର୍ମାଣ କରାଯାଇପାରୁନି । ତେଣୁ ଏହି ବର୍ଗର ଲୋକଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ନିର୍ମାଣ କରିବାକୁ ଯୋଜନା ହୋଇଛି ।
ରେଳ ଲାଇନ୍ ଉପରେ କି ରେଳ ଧାରଣା କଡ଼ରେ ଯେପରି କେହି ବି ମଳତ୍ୟାଗ ନ କରିବେ ସେଥିପାଇଁ ସ୍ୱଚ୍ଛ ଭାରତ ଯୋଜନାରେ ମୋବାଇଲ୍ ଟଏଲେଟ୍ ବା ଇକୋ ଫ୍ରେଣ୍ଡଲି ଟଏଲେଟ୍ ନିର୍ମାଣ କରିବାକୁ ଯୋଜନା ହୋଇଛି। ଏହି ଶୌଚାଳୟ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଜମି ଯୋଗାଇ ଦେବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପୂର୍ବତଟ ରେଳପଥ ଓ ଦକ୍ଷିଣ ପୂର୍ବ ରେଳପଥର ମହାପ୍ରବନ୍ଧକଙ୍କ ନିକଟକୁ ଚିଠି ଲେଖାଯାଇଛି । ଏହି ଦୁଇଟି ସଂସ୍ଥା ଜମି ଯୋଗାଇଲେ ସେଠାରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଶୌଚାଳୟ ନିର୍ମାଣ କରାଯିବା ସହ ଏହାକୁ କିପରି ଲୋକ ବ୍ୟବହାର କରିବେ ସେନେଇ ସଚେତନତା ସୃଷ୍ଟି କରାଯିବ ବୋଲି ନିଷ୍ପତ୍ତି ହୋଇଛି ।
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱର ସ୍ମାର୍ଟ ସିଟି ଅଞ୍ଚଳରେ ୧୩ଟି ବସ୍ତି ଖୋଲାରେ ମଳତ୍ୟାଗ ମୁକ୍ତ ଅଞ୍ଚଳ ଘୋଷଣା ହୋଇଥିଲେ ହେଁ ଏଠାରେ କେତେକ ଲୋକ ଚିରାଚରିତ ଭାବେ ରେଳ ଧାରଣା ଉପରେ ନଚେତ୍ ରେଳ ଧାରଣା କଡ଼କୁ ଶୌଚ ପାଇଁ ଯାଉଛନ୍ତି। ତେଣୁ ଭୁବନେଶ୍ୱରର ସହରାଞ୍ଚଳ ଦେଇ ଯାଇଥିବା ରେଳଧାରଣା କଡ଼ରେ ଆମେ ମୋବାଇଲ୍ ଟଏଲେଟ୍ ନିର୍ମାଣ କରିବାକୁ ଯୋଜନା କରୁଛୁ । ରେଳ ଧାରଣାର ଉଭୟ ପାର୍ଶ୍ୱରେ ଆମେ ଏହି ପ୍ରକାରର ଶୌଚାଳୟ ନିର୍ମାଣ କରିବୁ। ଅଧିକାଂଶ ସ୍ଥାନରେ ରେଳ ଧାରଣାର ଉଭୟ ପାର୍ଶ୍ୱରେ ପ୍ରାୟ ୨୦ରୁ ୪୦ମିଟର ପର୍ୟ୍ୟନ୍ତ ରେଳପଥ କର୍ତ୍ତୃପକ୍ଷଙ୍କର ଜମି ଥିବାରୁ ଆମକୁ ଏହି ଜମି ହସ୍ତାନ୍ତର କରାଗଲେ ଶୌଚାଳୟ ନିର୍ମାଣ ହୋଇପାରିବ ।
ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟର ୯ଟି ଯାକ ଅମୃତ ସହରରେ ଅଗ୍ରାଧିକାର ଭିତ୍ତିରେ ଏହି ମୋବାଇଲ୍ ଟଏଲେଟ୍ ନିର୍ମାଣ କରାଯିବ। ଏହାପରେ ସାରା ରାଜ୍ୟର ସହରାଞ୍ଚଳରେ ଏହି ଯୋଜନା ଲାଗୁ ହେବ ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/09/mobile-toilet.jpg)