ଜେଲରୁ ବାହାରିବା ପରେ ଆରୟନଙ୍କୁ ଦେଖିବାକୁ ଯାଇଥିଲେ ଲୋକେ । ଗହଳି ଭିତରେ ଚୋରି ହୋଇଗଲା ୧୦ଟି ମୋବାଇଲ୍ ।

105

କନକ ବ୍ୟୁରୋ : ‘ଡ୍ରଗ୍‌ସ୍‌-ଅନ୍‌-କ୍ରୁଜ୍‌’ ମାମଲାରେ ପ୍ରାୟ ୩ ସପ୍ତାହ ଜେଲ୍‌ରେ ରହିବା ପରେ ଆରୟନଙ୍କୁ ମୁକ୍ତ କରାଯାଇଥିଲା । ଆର୍ଥର୍‌ ରୋଡ୍‌ ଜେଲ୍‌ କର୍ମଚାରୀମାନେ ‘ବେଲ୍‌ ବକ୍ସ୍‍’ରୁ ଜାମିନ କାଗଜପତ୍ର ନେଇ ଆରୟନଙ୍କୁ ମୁକୁଳାଇବା ପ୍ରକ୍ରିୟା ଆରମ୍ଭ କରିଥିଲେ । ଗତ ଗୁରୁବାର ଦିନ ବମ୍ବେ ହାଇକୋର୍ଟ ୧୪ଟି ସର୍ତ୍ତ ରଖି ଆରୟନଙ୍କୁ ଜାମିନ ମଞ୍ଜୁର କରିଥିଲେ ।

ଆରୟନଙ୍କୁ ମୁକ୍ତ କରାଯିବା ପୂର୍ବରୁ ମୁମ୍ବାଇ ପୁଲିସ ଆର୍ଥର୍‌ ରୋଡ୍‌ ଜେଲ୍‌ ବାହାରେ ବ୍ୟାରିକେଡ୍‌ ବସାଇଥିଲା । ଆର୍ଥର୍‌ ରୋଡ୍‌ ଜେଲ୍‌କୁ ପଡ଼ିଥିବା ରାସ୍ତାରେ ବ୍ୟାପକ ଯାନବାହନ ଗହଳି ଲାଗି ରହିଥିଲା । ଆରୟନଙ୍କୁ ଟିକେ ଦେଖିବା ପାଇଁ ଆର୍ଥର୍‌ ରୋଡ୍‌ କେନ୍ଦ୍ରୀୟ କାରାଗାର ବାହାରେ ଜନଗହଳି ଲାଗି ରହିଥିଲା । ଏହି ଗହଳି ସମୟରେ ଯେଭଳି କୌଣସି ଅପ୍ରୀତିକର ଘଟଣା ନଘଟେ ସେଥିପାଇଁ ପୁଲିସ ନିରାପତ୍ତା ବ୍ୟବସ୍ଥା କଠୋର କରିଥିଲା । ଏହା ସତ୍ତ୍ବେ ବି ଚୋର କିନ୍ତୁ ଗହଳିର ସୁଯୋଗ ନେଇ ପୁଲିସ ଆଖିରେ ଧୂଳି ଦେଇ ‌ପକେଟ ମାର କରିବା ସହିତ ଲୋକଙ୍କ ମୋବାଇଲ ଚୋରି କରିଥିଲା । ଏହି ଗହଳି ସମୟରେ ଲୋକଙ୍କ ପକେଟରୁ ୧୦ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି ।